ରାମମନ୍ଦିର ଆଖଡାରେ ହେବ ଗେରୁଆ ଡବ୍ଲୁ ଡବ୍ଲୁ ଏଫ

ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ୍ ଲଢ଼େଇରେ କୁସ୍ତିଆଳମାନେ ରିଙ୍ଗ ଭିତରକୁ ପଶିବା ବେଳକୁ ଯେପରି ରଡ଼ି କରି ପଶନ୍ତି ଠିକ୍ ସେମିତି ପଦ୍ମପୁର କୁସ୍ତି ଘଣ୍ଟି ବାଜିବା ବେଳକୁ ପଦ୍ମ ଦଳିଆ ବିକଟାଳ ରଡ଼ି କରି ମଇଦାନକୁ ଡେଇଁଥିଲେ । କୁସ୍ତିର ଧାର ଧାରି ନ ଥିବା ଦୁର୍ବଳିଆ ପ୍ରତିପକ୍ଷଙ୍କୁ ଏକାଥରକେ ଚିତ୍ କରିଦେବାକୁ ପୁରୁଣା ଦାଢ଼ିଆ ଖେଳୁଆଡ଼ଙ୍କୁ ମଇଦାନକୁ ଛାଡ଼ିଥିଲେ। ଦାଢ଼ି ନନା ବାହା ପିଟି ୩୦ ହଜାର ଭୋଟରେ ଜିତିବେ ବୋଲି ଘୋଷଣା କଲେ; ହେଲେ ଫଳ ବାହାରିବା ବେଳକୁ ଓଲଟା ।
ଶଙ୍ଖପତିଙ୍କ ଟନିକ ତାଙ୍କ ଦଳର ଦୁର୍ବଳିଆ କୁସ୍ତିଆଳଙ୍କୁ ଏମିତି ବଳୁଆ କରି ଦେଲା ଯେ ଫଳ ସମସ୍ତେ ଦେଖିଲେ । ତା' ପରେ କୁସ୍ତିଆଳ ତ କୁସ୍ତିଆଳ, ତାଙ୍କ ଗୁରୁମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ଘୋ ଘୋ ଡ଼ାକୁଥିବା ରାମମନ୍ଦିର ଆଖଡ଼ା ଏବେ ଶୂନଶାନ । ପଦ୍ମପୁର ଫଳ ନେଇ ଦିଲ୍ଲୀ ନେତା ଖୁସି କି ଅସୁଖୀ ତାହା ତ ଭିନ୍ନ କଥା, ହାତ ଦଳିଆଙ୍କ ଅବସ୍ଥା ଶୋଚନୀୟ ହୋଇଥିବାରୁ ଦଳର ନେତାମାନେ ଆଶ୍ବସ୍ତ । ତେଣୁ ଏଥିରେ ବ୍ୟସ୍ତ ନ ହେବାକୁ କୁଆଡ଼େ ଆଶ୍ୱାସନା ମିଳିଛି । ଖାଲି ସେତିକି ନୁହେଁ, ଦଳର ନେତାଙ୍କୁ ବଳ ଦେବାକୁ କୁଆଡ଼େ ଦଳର ରାଷ୍ଟ୍ରାଧ୍ୟାପତି ଜଗତପ୍ରକାଶ ନଡ୍ଡା ଓଡ଼ିଶା ଆସୁଛନ୍ତି।
କୌଣସି ସଭାସମିତି ନ କରି କେବଳ ଦଳର ନେତାମାନଙ୍କୁ ନିର୍ବାଚନ ଜିତିବାର କୌଶଳ ଶିକ୍ଷା ଦେବେ । ତାଙ୍କ ସାଙ୍ଗରେ ବଂଶଲ ଓ ପୁରଦେଶରୀ ବି ଆସିବେ । ରୁଦ୍ଧ ଦ୍ବାରରେ ପ୍ରସ୍ତୁତ ହେବ ରଣନୀତି, ଫଳରେ ଦଳରେ ପରାଜୟକୁ ନେଇ ଯେଉଁ ‘ଷ୍ଟ୍ରାଟେଜି’ ବିବାଦ ଚାଲିଛି ତାହାର କୁଆଡ଼େ ସମାଧାନ ହୋଇପାରିବ ।