କଂଗ୍ରେସ ଓ ବିଜେପି ନୁହେଁ, ୨୦୨୪ ପାଇଁ ବିଜେଡିରୁ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ୬ ଦାବିଦାର ?

୨୦୨୪ ସାଧାରଣ ନିର୍ବାଚନ ଆଉ ୨ ବର୍ଷ ବାକି ଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ହେବାକୁ ଥିବା ଆଶାୟୀମାନେ ଜଟଣୀ ନିର୍ବାଚନ ମଣ୍ଡଳୀକୁ ତୋଫାନୀ ଗସ୍ତ କରିବା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଥିବା ଜଣାପଡ଼ିଛି । ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ଜଟଣୀ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ତିନି ଜଣ ଆଶାୟୀ ଅଛନ୍ତି । କିନ୍ତୁ ଜିଲା ବିଜେଡ଼ି ସଭାପତି ତଥା ଜଟଣୀର ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ସର୍ବାଗ୍ରେ ରହିଛନ୍ତି। ଜଟଣୀ ପୌର ପାଳିକା ଏବଂ ବ୍ଲକ ନିର୍ବାଚନରେ ସଫଳତା ତାଙ୍କୁ ଶ୍ରେୟ ଦେଇଛି। ବ୍ଳକ ଓ ପୌର ପାଳିକା ଅଧ୍ୟକ୍ଷା ଓ ଅଧ୍ୟକ୍ଷ ଏବଂ ଦୁଇ ଉପାଧ୍ୟକ୍ଷା ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବଳବନ୍ତରାୟଙ୍କ ତଳକୁ ଜିଲା ବିଜେଡି ଉପ ସଭାପତି ବିଜୁ ଛୋଟରାୟ ଦଳର ଦ୍ଵିତୀୟ ନେତା ଭାବେ ଉଭା ହୋଇଥିବା ଜଣାପଡ଼ିଛି। ଦଳରେ ତାଙ୍କର ଦବଦବା ରହିଛି।
୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀ ବଳବନ୍ତରାୟଙ୍କୁ ବିଜୟୀ କରାଇବା ପାଇଁ ଶ୍ରୀ ଛୋଟରାୟ ଏବଂ ବହୁ ଛାମୁଆ ନେତା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ପ୍ରତିଦିନ ଜିଲା ବିଜେଡି ସଭାପତି ଜଟଣୀ ନିର୍ବାଚନ ମଣ୍ଡଳୀକୁ ତୋଫାନୀ ଗସ୍ତ କରୁଥିବା ବେଳେ ପ୍ରାତଃ ସମୟରେ ଜଟଣୀ ସହର ଏବଂ ଅନ୍ୟାନ୍ୟ ଗ୍ରାମକୁ ଆସି ବା ଖଟିରେ ସାଧାରଣ ଲୋକଙ୍କୁ ଭେଟୁଥିବା ଜଣାପଡ଼ିଛି । ପୌରାଧ୍ୟକ୍ଷ ଅନନ୍ତ ବେହେରା, ଜଟଣୀ ବ୍ୟବସାୟୀ ମହାସଂଘର ସଭାପତି ସୁଦର୍ଶନ ସୁନ୍ଦରରାୟ ନଗର ବିଜେଡି ସଭାପତି ଆଶୁତୋଷ ପ୍ରତାପ ସିଂହ, ଜିଲା ବିଜେଡି କୋଷାଧ୍ୟକ୍ଷ ରାଜ ସ୍ବାଇଁ, ଭିକି ବଳବନ୍ତରାୟ ଅଧ୍ୟାପକ ବିଜୟ ପଣ୍ଡା, ଅନନ୍ତ ଶତପଥୀ ପ୍ରମୁଖ ଲୋକଙ୍କୁ ଭେଟୁଛନ୍ତି।
ଜଟଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ଅନ୍ୟତମ ଆଶାୟୀ ପ୍ରାର୍ଥୀ ସନ୍ତୋଷ କୁମାର ଜେନା ମଧ୍ୟ ପଛରେ ନାହାନ୍ତି। ପ୍ରତିଦିନ ସେ ତାଙ୍କର ସମର୍ଥକଙ୍କ ସହ ଗ୍ରାମଗୁଡ଼ିକ ବୁଲୁଥିବା ଜଣାପଡ଼ିଛି। ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ତାଙ୍କୁ ସହଯୋଗ କରୁଛନ୍ତି। ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସେ ଛାଡୁ ନାହାନ୍ତି। ପାଣ୍ଡବ ଜେନା ଫାଉଣ୍ଡେସନ ଜରିଆରେ ସେ ଦୁଃସ୍ଥ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ସେ କୁହନ୍ତି, ୨୦୨୪ ବେଶୀ ଦୁର ନୁହେଁ । ସେ ନିଶ୍ଚିତ ନିର୍ବାଚନ ଲଢ଼ିବେ ।
ପୂର୍ବରୁ ପ୍ରତିଦିନ ଜଟଣୀ ନିର୍ବାଚନ ମଣ୍ଡଳୀକୁ ଆସି ଘେରାଏ ବୁଲି ଯାଉଥିବା ଜଟଣୀର ବିଧାୟକ ତଥା ଜିଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟଙ୍କୁ ଜଟଣୀରେ କ୍ବଚିତ ଦେଖିବାକୁ ମିଳୁଛି। ଜଟଣୀ ନିର୍ବାଚନ ମଣ୍ଡଳୀରେ ପୌର ଓ ପଞ୍ଚାୟତ ନିର୍ବାଚନ ପରେ ଜଟଣୀକୁ ବିଧାୟକ ଗସ୍ତ ମାନ୍ଦା ପଡ଼ିଯାଇଛି । ଇତି ମଧ୍ୟରେ ସୁରେଶ କୁମାର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀରେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ ଟିକେଟରୁ ତାଙ୍କ ସାନ ପୁଅ ବାବିନା ରାଉତରାୟ ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି। ବାବିନା ଏବେ ଏୟାର ଇଣ୍ଡିଆରେ ପାଇଲଟ ଅଛନ୍ତି। ଜଟଣୀ ନିର୍ବାଚନ ମଣ୍ଡଳୀ ସହ ସେ ପରିଚିତ । ଗତ ସାଧାରଣ ନିର୍ବାଚନରେ ତାଙ୍କ ପିତାଙ୍କ ସହ ନିର୍ବାଚନ ପରିଚାଳନା କରି ଅଭିଜ୍ଞତା ହାସଲ କରିଛନ୍ତି। ନିର୍ବାଚନ ଲଢ଼ିବା ପାଇଁ ତାଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ସେ ଦୃଢ଼ ନିଶ୍ଚିତ ଅଛନ୍ତି ।
ଜଟଣୀ ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ଲଢ଼ି ଭୋଟ ହାରକୁ ବଢ଼ାଇ ଦେଇଥିବା ଜଟଣୀ ବିଜେପିର ବିଧାୟକ ପ୍ରାର୍ଥୀ ବିଶ୍ବ ରଞ୍ଜନ ବଡ଼ଜେନା (ଲୁଲୁ) ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ଲକ୍ଷ୍ୟ ରଖି ଜଟଣୀ ନିର୍ବାଚନ ମଣ୍ଡଳୀକୁ ତୋଫାନୀ ଗସ୍ତ କରୁଥିବା ଜଣାପଡ଼ିଛି। ବିଭିନ୍ନ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଉଛନ୍ତି ।
ଜଟଣୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବା ପାଇଁ ବହୁ ଆଶାୟୀ ପ୍ରାର୍ଥୀଙ୍କ ନାମ ଶୁଣା ଯାଉଛି। ତେବେ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ କିଏ କେଉଁ ଦଳରୁ ଟିକେଟ ପାଇବ ଏବଂ ୨୦୨୪ ନିର୍ବାଚନରେ କିଏ ବିଜୟୀ ହେବେ ତାହା ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।