ରାଜଶ୍ରୀ, ବିଜୟଙ୍କ କେକ ଖୁଆ : ଅଧା ହାଲିଆ, ଅଧା ଛାନିଆ

bijay sankar rajashree

ସାଂସଦ ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସମ୍ପର୍କ କେତେ ଯେ ନିବିଡ଼, ଏହା ବୋଧହୁଏ କାହାକୁ ଅଛପା ନାହିଁ। ଉପନିର୍ବାଚନର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ତୁ ତୁ ମେ ମେ.. ଆରମ୍ଭ ହୋଇଯାଇଥିଲା। ଏହାପରେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହି କନ୍ଦଳ ଥମିବାର ନାଁ ନେଇନଥିଲା। ମାତ୍ର ହଠାତ୍ ବିରିଡ଼ି ବ୍ଲକରେ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉଭୟଙ୍କ ଉପସ୍ଥିତି ଓ ପରସ୍ପରକୁ କେକ୍ ଖୁଆଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ଏହି ଫଟୋକୁ ଦେଖିଲେ ଉଭୟ ସମସ୍ତ ବିବାଦରୁ ଊର୍ଦ୍ଧ୍ବରେ ଓ ଉଭୟ ଖୁସ୍ ମିଜାଜ୍‌ରେ ଥିବା ଭଳି ଦେଖାଯାଉଛନ୍ତି। ଗତକାଲି ବିରିଡ଼ି ବ୍ଲକ୍ ଅଢ଼ଙ୍ଗ ମଜୁରାଇରେ ନୂତନ ବର୍ଷର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କ ସମେତ ୨୧ଟି ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ଏହି କାର୍ଯ୍ୟକ୍ରମରେ ସାଂସଦ ଡା.ଶ୍ରୀମତୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀ, ଯୁବ ଓ ଛାତ୍ର ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ । ସେଠାରେ ସମସ୍ତେ ବେଶ୍ ଖୁସିର ସହ ନୂଆବର୍ଷକୁ ସ୍ବାଗତ କରିଥିଲେ ଓ ଏହି ଅବସରରେ କେକ୍ କାଟିଥିଲେ। ଏହି କେକ୍‌କୁ ଉଭୟ ଉଭୟଙ୍କୁ ଖୁଆଇଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଖୋଦ୍ ବିଧାୟକ ଓ ସାଂସଦଙ୍କ ସହଯୋଗୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉପନିର୍ବାଚନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଏତେ ଖରାପ ହୋଇଯାଇଛି ଯେ,ଏକାଧିକ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ବସନ୍ତି। 

bijay

ମାତ୍ର ପରସ୍ପର ମୁହଁକୁ ଆଦୌ ଚାହୁଁ ନଥିଲେ । ଏମିତିକି ଗଣମାଧ୍ୟମ ମଧ୍ୟରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇ ଉଭୟ ଚର୍ଚ୍ଚାକୁ ଆସନ୍ତି। ପଞ୍ଚାୟତ ନିର୍ବାଚନରେ ତ ଉଭୟ ସବୁ ସୀମା ଡେଇଁ ଯାଇଥିଲେ। ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଥିଲେ। ଉଭୟଙ୍କୁ ନେଇ ଦଳରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ, ରାଜଧାନୀରେ ବରିଷ୍ଠ ରାଜେନତାମାନେ ଏଥିରେ ହସ୍ତକ୍ଷେପ କରିବା ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟଙ୍କୁ ତାଗିଦ୍ କରିବା ପର୍ଯ୍ୟନ୍ତ କଥା ଯାଇଥିଲା। ସମ୍ଭବତଃ ଏଥିରେ ଉଭୟଙ୍କ  ମଧ୍ୟରେ ପରିବର୍ତ୍ତନ ଆସିଥିବା ଚର୍ଚ୍ଚା ଚାଲିଛି । 

୨୪ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ରହିଲାଣି। କିଏ ଟିକଟ ପାଇବ ଓ କାହାର କଟିବ, ତାହା ଏବେ ଠାରୁ କହିବା ମୁସ୍କିଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଆରମ୍ଭରୁ ବିଜେଡି ମଧ୍ୟରେ ବିଭ୍ରାଟ ରହିଛି। ବରିଷ୍ଠ ବିଧାୟକ ସ୍ଵର୍ଗତ ବିଷ୍ଣୁ ଚରଣ ଦାସଙ୍କୁ ସାଂସଦ ଡା.ଶ୍ରୀମତୀ ମଲ୍ଲିକ ମଧ୍ୟ ବିରୋଧ କରୁଥିଲେ। ଏହାପରେ ତାଙ୍କ ପୁଅ ବିଜୟ ଶଙ୍କରଙ୍କ ସହ ସମ୍ପର୍କ ଅଧିକ ଖରାପ ହୋଇ ଚାଲିଥିଲା। ଏଣୁ ଏହି ଫଟୋ ଭାଇରାଲ୍ ହେବା ପରେ ମା' ପୁଅଙ୍କ ସମ୍ପର୍କ କେତେ ଦିନ ନିବିଡ଼ ରହୁଛି, ଏହା ଉପରେ ସମସ୍ତଙ୍କ ନଜର ରହିଛି। 

Share this story