ଅପରାଜିତାଙ୍କ ପିଏଙ୍କୁ ଧକିଆ ମାରିଲେ ଧର୍ମେନ୍ଦ୍ରଙ୍କ ଅନୁଗତ, ହେଲେ କାହିଁକି ?
ଶାହା ଖୋଲିଦେଲେ ଓଡିଶା ବିଜେପି ମୁଖା । ପଦାରେ ପଡିଛି ଗୋଷ୍ଠୀକନ୍ଦଳ । ଚରମସୀମାରେ ପତିଆରା ଲଢେଇ । ରାଜ୍ୟରେ ବରିଷ୍ଠ ନେତାଙ୍କ ପକ୍ଷ ଚ୍ଛେଦନ। ଅମିତ ଶାହା ଦିଲ୍ଲୀ ଫେରିଯିବା ପରେ ରାଜ୍ୟ ବିଜେପିର ମୁଖା ଖୋଲିଯାଇଛି । ପୁଣି ଥରେ ଅନାଥ ହୋଇପଡିଛନ୍ତି ବିଜେପି କର୍ମୀ । ଅମିତ ଶାହା ଆସିବା ପରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ । ବିଜେପିର ସର୍ବେସର୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗରେ ପତିଆରା ଦେଖାଇବାକୁ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ତେବେ ଏଥିରେ ସମସ୍ତଙ୍କୁ ପଛରେ ପକାଇବାକୁ ଉଦ୍ୟମ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ସଂଗଠନ ଓ ଦଳୀୟ ନେତାଙ୍କଠାରୁ ପୃଥକ୍ ରହୁଥିବା ଅପରାଜିତା ନିଜର ସମର୍ଥକଙ୍କୁ ଧରି ଶକ୍ତି ଦେଖାଇଥିଲେ । ଅପରାଜିତାଙ୍କ ପତିଆରା ସୋ’ ବିଜେପି ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହେଉଛି ପତିଆରାର ଲଢେଇ ।
ଅମିତ ଶାହାଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପି ପକ୍ଷରୁ ସାରା ରାଜଧାନୀରେ ପୋଷ୍ଟର, ବ୍ୟାନର ଛାଇ ଯାଇଥିବା ବେଳେ ଅପରାଜିତା ମଧ୍ୟ ପଛରେ ପଡ଼ି ନାହାନ୍ତି। ତାଙ୍କ ବ୍ୟାନରରେ ଶାହାଙ୍କ ଫଟୋ ସହିତ ସେ ନିଜ ଫଟୋକୁ ସ୍ଥାନିତ କରିଛନ୍ତି । ରାଜ୍ୟ ବିଜେପି ନେତୃତ୍ବ ଓ ଅପରାଜିତାଙ୍କ ମଧ୍ୟରେ ପୋଷ୍ଟର ୱାର୍ ଦେଖିବାକୁ ମିଳିଥିଲା। କେନ୍ଦ୍ରୀୟ ନେତାଙ୍କୁ ସ୍ଵାଗତ କରିବା ପାଇଁ କର୍ମୀମାନେ ହାତରେ ଭିନ୍ନ ଭିନ୍ନ ପୋଷ୍ଟର ଧରିଥିଲେ। ସେହିଭଳି ସକାଳେ ଶାହା ଲିଙ୍ଗରାଜ ଦର୍ଶନ ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କ ପାଖରେ ରହି ଫଟୋ ଉଠାଇବାକୁ ଦୁଇ ଗୋଷ୍ଠୀ ମଧ୍ୟରେ ଏକପ୍ରକାର ପ୍ରତିଦ୍ବନ୍ଦିତା ଚାଲିଥିଲା । ଗହଳି ଭିତରେ ଶାହାଙ୍କ ସହ ଅପରାଜିତାଙ୍କୁ ଗୋଟିଏ ଫ୍ରେମ୍ରେ ରଖ୍ ଫଟୋ ଉଠାଉଥିବା ସାଂସଦଙ୍କ ଅନୁଗତ ଧନେଶ୍ବର ବାରିକ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତିର ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯାହାକି ବିଜେପିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି।
ଅତୀତରେ ଅପରାଜିତାଙ୍କ କାର୍ଯ୍ୟକଳାପକୁ ନେଇ ରାଜ୍ୟ ବିଜେପିରେ ଦ୍ବନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହେବା ସହ ଦଳୀୟ ଅସନ୍ତୋଷକୁ ପଦାରେ ପକାଇଛି। ନିକଟରେ ବିଭିନ୍ନ ଜିଲ୍ଲାରେ ଅପରାଜିତାଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦଳୀୟ ସଂଗଠନ ଓ କର୍ମୀ ମହଲରେ ବିରୋଧ କରାଯାଇଥିବା ପରିଲକ୍ଷିତ ହୋଇଛି। ଏହିସବୁ ଘଟଣାକୁ ନେଇ ରାଜ୍ୟ ବିଜେପିରେ ସବୁ କିଛି ଠିକ୍ ଚାଲୁନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି।
ସେହିପରି ଅନେକ ବିଜେପିର ବରିଷ୍ଠ ନେତାଙ୍କର ପକ୍ଷ ଚ୍ଛେଦନ କରାଯାଇଛି ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଉଛନ୍ତି ବୈଜୟନ୍ତ ପଣ୍ଡା । ଦଳରେ ଯୋଗଦେଲା ପରଠୁ ପ୍ରାୟ ୩ ବର୍ଷ ହେଲା ସେ ଏହି ପଦବୀରେ ଅଛନ୍ତି । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଏକଦା ସ୍ୱପ୍ନ ଦେଖୁଥିବା ବୈଜୟନ୍ତ ରାଜ୍ୟ ବିଜେପିଠାରୁ ଏବେ ଆସ୍ଥା ତୁଟାଇ ଦେଇଛନ୍ତି । ତାଙ୍କ ପରିବାରର ମିଡିଆ ହାଉସ୍ ଜରିଆରେ ଏହାର ସଙ୍କେତକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଦଳର ରାଷ୍ଟ୍ରୀୟ ସ୍ତରରେ ଉଚ୍ଚ ପଦବୀରେ ଥିବା ଜଣେ ନେତାଙ୍କର ନିଜ ରାଜ୍ୟରେ ଦଳ ଉପରେ ଭରସା ନ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । କେବଳ ସେ ଏକା ନୁହନ୍ତି ଦଳରେ ଅପରାଜିତା ଓ ବିଜୟ ମହାପାତ୍ରଙ୍କ ଭଳି ଅନେକ ନେତାଙ୍କର ରାଜନୈତିକ କ୍ୟାରିୟର ଉପରେ ପୂର୍ଣ୍ଣ ଚ୍ଛେଦ ପକାଇବା ପାଇଁ ଚେଷ୍ଟା ଜାରିରହିଛି ।