ଶରତଙ୍କ ଆ' ବଳଦ ମତେ ବିନ୍ଧ ଫର୍ମୁଲା : ହୁଇସିଲ ମାରି କିଳାକୁ ଡାକିବା ସଙ୍ଗେ ସମାନ

congres sarat & niranjan

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବେ ଚାପରେ । ଗତ କିଛିଦିନ ହେଲା ବିରୋଧୀ ରାଜନୈତିକ ଦଳଙ୍କ ପକ୍ଷରୁ ଶରତଙ୍କ ଉପରେ ଯେତିିକି ଆକ୍ରମଣ ହେଉନାହିଁ ତାଠୁ ଅଧିକ ନିଜର ଦଳୀୟ ନେତା ଓ କର୍ମୀ କରୁଛନ୍ତି । ସିଧା କହିବାକୁ ଗଲେ ବାବୁ ପଟ୍ଟନାୟକଙ୍କୁ ହରଦମ୍ ସରବ୍ୟ ଓ ସମାଲୋଚନାର ଶୀକାର ହେବାକୁ ପଡିଛି । ଗତ ମେ ମାସରେ ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ । ସେବେ ସବୁ କିଛି ଠିକଠାକ ଥିଲା । ନା’ ମିଡିଆ ନା’ ବିରୋଧୀ କ୍ୟାମ୍ପରେ କେହି ହେଲେ ବି ଶରତଙ୍କ ବିରୋଧରେ ସ୍ୱର ଉଠାଇନଥିଲେ । କିନ୍ତୁ ଯେବେଠୁ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ହୋଇଛି ସେଇଠୁ ହିଁ ଆରମ୍ଭ ହୋଇଛି ଶରତ ପଟ୍ଟନାୟକଙ୍କ ଉପରେ ଆଟାକ । ଆ ବଳଦ ମତେ ବିନ୍ଧ୍ ଭଳି ଶରତ ଯେଉଁ ପିସିସି ମେମ୍ବର ଚିଠାଟି କଲେ ତାହା ହିଁ ତାଙ୍କୁ ଏବେ କାଳ ହୋଇଛି । ଅଭିଯୋଗ ହୋଇଛି ବହୁ ଯୋଗ୍ୟ ନେତାଙ୍କୁ ଚିଠାରୁୁ ବାଦ୍ ଦେଇ ବାବୁ ପଟ୍ଟନାୟକ ବହୁ ଅନାମଧେୟ,ଗୋଡାଣିଆ ଓ ଚାମଚା ପ୍ରକୃତିର ନେତାଙ୍କୁ ସାମିଲ କରିଛନ୍ତି । ଆଉ ଏହାକୁ ନେଇ ଏବେ ଦଳ ଭିତରେ ଆରମ୍ଭ ହୋଇଛି ବାଣ ଫୁଟା । ସମସ୍ତଙ୍କ ସଫ୍ଟ ଟାର୍ଗେଟରେ ଏବେ ବାବୁ ଶରତ ପଟ୍ଟନାୟକ । ଖାଲି ବାଣଫୁଟା ନୁହେଁ ଏବେ ବୋଲି ବାଣୀରେ କମ୍ପୁଛି କଂଗ୍ରେସ ଭବନ । 

ବରିଷ୍ଠ ନେତା ତଥା ଚାରି ଚାରିଥର ବିଧାୟକ ତାରାପ୍ରସାଦ ବାହିନିପତିଙ୍କ କିଛି ଲୋକଙ୍କୁ ମଧ୍ୟ ଚିଠାରୁୁ ବାଦ କରାଯାଇଛି । ଖାସ୍ ଏଥିପାଇଁ ଅଧ୍ୟକ୍ଷ ନିର୍ବାଚନ ଦିନ କଂଗ୍ରେସ ଭବନରେ ଧୁମ ବୋବାଲ କରିଥିଲେ ତାରାପ୍ରସାଦ । ସଭାପତି ଶରତ ପଟ୍ଟନାୟକଙ୍କଠୁ ଆରମ୍ଭ କରି ଯେଉଁ କାର୍ପଟଦାର ଏଭଳି ଚିଠାରେ କାରସାଦି କରିଛନ୍ତି ତାଙ୍କ ତେର ପ୍ଲସ ୱାନ୍ ଉଦ୍ଧାର କରିଥିଲେ । ତାରାଙ୍କ ପରେ ପରେ ସୁର ମଧ୍ୟ ଏ ଚିଠା କେଳେଙ୍କାରୀକୁ ନେଇ ସଭାପତିଙ୍କ ଉପରେ ଧୁମ୍ ଚଢ଼ିଥିଲେ । ଏସବୁ ବୋଲିବାଣୀ ଯେତିକି ଶରତଙ୍କୁ କୀଳା ହୋଇନଥିଲା ତା’ପରଦିନ କଂଗ୍ରେସ ମିଡିଆ ସେଲ ଆବାହକ ସତ୍ୟପ୍ରକାଶ ନାୟକଙ୍କ ପ୍ରେସମିଟ୍ ଶରତଙ୍କ ପାଇଁ ସତେ ଯେମିତି ଡାକି ଆଣିଲା ଶନିଦଶା । ସତ୍ୟପ୍ରକାଶ ଯଦିଓ ବୋଲିବାଣୀ କଲେ ନାହିଁ କିନ୍ତୁ ସାଉଁଳେଇକି ଯେଉଁ ତେରଛା ବାଣଟି ମାରିଲେ ତାକୁ ନେଇ ସିଧା ଟାର୍ଗେଟକୁ ଆସିଗଲେ ଶରତ ପଟ୍ଟନାୟକ । ପିସିସି ସଦସ୍ୟ ଚିଠାରେ ନିଜ ନାଁ ନଥିବା ନେଇ କ୍ଷୋଭ ପ୍ରକାଶ କରି ସତ୍ୟ ନାୟକ ଦଳର ପଦ ପଦବୀରୁ ଇସ୍ତଫା ଦେବା ପରେ ତାତି ଉଠିଥିଲା ଛାତ୍ର ଓ ଯୁବ କଂଗ୍ରେସ । ସତ୍ୟ ନାୟକଙ୍କ ପ୍ରେସ ମିଟର ଘଂଟାଏ ପରେ ଆରମ୍ଭ ହୋଇଗଲା ହାଜ୍ ଟ୍ୟାଗ୍ ଟ୍ରେଣ୍ଡ । ସେ ଟୁଇଟର ହେଉ କି’ ଫେସବୁକ୍ ଅବା କୌଣସି ସୋସିଆଲ ସାଇଟ୍ । ସବୁଠି ଜୋର ଧରିଲା ଆଇ ସର୍ପୋଟ ସତ୍ୟ ନାୟକ ଟ୍ରେଣ୍ଡ ।  ବଡ଼ କଥା ହେଲା ବରିଷ୍ଠ ନେତା ସୁର ରାଉତରାୟ ବି ସତ୍ୟ ନାୟକଙ୍କୁ ସମର୍ଥ କରି ମିଡିଆରେ ଖୁଲମଖୁଲା ବକିଲେ । ଯାହା ପରୋକ୍ଷରେ ଶରତଙ୍କ ଦୋଗଲାମିକୁ ପଦାରେ ପକାଇଲା । 

ଗତ ଚାରି ଦିନ ହେବ ଆଇ ସର୍ପୋଟ ସତ୍ୟ ନାୟକ କ୍ୟାମ୍ପେନ ଚାଲିଛି । ଯାହା ବନ୍ଦ ହେବାର ନାଁ ଧରୁ ନଥିବା ବେଳେ ଏହା ଏବେ ଶରତଙ୍କ ବିପି ବଢ଼ାଇ ଦେଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ପିସିସି ସଦସ୍ୟ ଚିଠା ପ୍ରସ୍ତୁତିରେ ଅର୍ଥ କାରବାର ଓ କିକ ବ୍ୟାକ୍ ହୋଇଛି ବୋଲି ସୋସିଆଲ ମିଡିଆରେ କମେଂଟ ଦିଆଯାଉଛି । ଏପରିିକି ପିସିସିର ବହୁ ବରିଷ୍ଠ ନେତା ଏବେ ଶରତଙ୍କ ବିରୁଦ୍ଧରେ  ମେଳି କରିବା ଆରମ୍ଭ କଲେଣି । ଗୋଟିଏ ପଟେ ଆଗାମୀ ୩୧ ତାରିଖ ଦିନ ଶରତ ଭୁବନେଶ୍ୱରରୁ ଆରମ୍ଭ କରିବେ ୧୦୦ଦିନିଆ ଭାରତ ଜୋଡ ଯାତ୍ରା । ଠିକ୍ ଏପରି ସମୟରେ ଶରତଙ୍କ ବିରୁଦ୍ଧରେ ଦଳ ଭିତରେ ନେତା ଓ କର୍ମୀଙ୍କ ତୀବ୍ର ସମାଲୋଚନା ଓ ବାହାରେ ଅର୍ଥାତ୍ ମିଡିଆରେ ନେଗେଟିଭ୍ ରିପୋଟିଂ ଶରତଙ୍କ ପାଇଁ ଏବେ ଟେନସନ ହୋଇଛି । ଦେଖିଲେ ଲାଗୁଛି ଏହି କାର୍ତିକ ମାସରୁ ଶରତଙ୍କୁ ପଡିଛି ଶନି ଦଷା ।

Share this story