ରାଜଧାନୀ ରାଜରାସ୍ତାରେ ଚଳାଇ ଦେଉନାହାନ୍ତି ଲୋକେ

aparajita

ପୁଣି ଥରେ ସାଧାରଣ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବା ସହ ହଟହଟା ହୋଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୟୁନିଟ-୩ ପ୍ରେସ୍ କଲୋନୀ ନିକଟ ଜଗନ୍ନାଥ ବସ୍ତିରେ ଅପରାଜିତାଙ୍କୁ ସାଧାରଣ ଲୋକେ କଡ଼ା ବିରୋଧ କରିଥିଲେ । ସାଢ଼େ ୩ ବର୍ଷ ପରେ ଜୁଆଡ଼େ ଆସିଛ ବୋଲି ଲୋକେ ପ୍ରଶ୍ନ ପଚାରିବା ସହିତ କଳାପତାକା ଦେଖାଇ ପ୍ରତିବାଦ କରିଥିଲେ। କିଛି ଅସାମାଜିକ ଲୋକଙ୍କୁ ନେଇ ଅପରାଜିତା ବସ୍ତିକୁ ଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ କଡ଼ା ବିରୋଧରେ ସାମ୍ନା କରି ନ ପାରି ଅପରାଜିତା ସେଠାରୁ ପଳାଇ ଆସିଥିଲେ।

ସୂଚନା ଅନୁଯାୟୀ ଗତକାଲି ଜଗନ୍ନାଥ ବସ୍ତିକୁ ଯିବା ପରେ ଲୋକେ ସାଂସଦଙ୍କୁ ଘେରି ବସ୍ତିର ବିଭିନ୍ନ ବିକାଶମୂଳକ କାମ ନେଇ ଦେଇଥିବା ପ୍ରତିଶ୍ରୁତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ସେହିପରି ଅପରାଜିତାଙ୍କ ସହ କିଛି ଅସମାଜିକ ଲୋକେ ଥିବା ନେଇ କୁହାଯାଉଥିବା ବେଳେ ଏହାକୁ ବସ୍ତିବାସିନ୍ଦା ବିରୋଧ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ ନିର୍ବାଚନ ପରେ ଯେତେ ଖୋଜିଲେ ମଧ୍ୟ ସାଂସଦଙ୍କ ଦେଖାମିଳୁନି। କ୍ରମାଗତ ଭାବେ ସାଂସଦ ଆମକୁ ଅଣଦେଖା କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଶେଷରେ ଗୋ-ବ୍ୟାକ୍’ ନାରାରେ ସାଂସଦ ସେଠାରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। 

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ କେଦାରପଲ୍ଲୀ ବସ୍ତିକୁ ଯାଇ ମଧ୍ୟ ସମାନ ଢଙ୍ଗରେ ହଟହଟା ହୋଇଥିଲେ ଭୁବନେଶ୍ବର ସାଂସଦ। ସାଢ଼େ ୩ ବର୍ଷ ପରେ କୁଆଡ଼େ ଆସିଛ ବୋଲି ପ୍ରଶ୍ନ କରି ସେଠାକାର ବସ୍ତି ବାସିନ୍ଦା ଅପରାଜିତାଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ଫଳରେ ଲୋକଙ୍କ ବିରୋଧକୁ ସାମ୍ନା କରି ନ ପାରି ସେଠାରୁ ପଳାଇ ଆସିବାକୁ ସେ ଉଚିତ୍ ମଣିଥିଲେ । କେବଳ ଜଗନ୍ନାଥ ବସ୍ତି କିମ୍ବା କେଦାରପଲ୍ଲୀ ବସ୍ତି ନୁହେଁ, ନିକଟ ଅତୀତରେ ଭୁବନେଶ୍ବରର ବହୁ ଅଞ୍ଚଳରେ ଲୋକମାନେ ଅପରାଜିତାଙ୍କୁ ଏପରି ବିରୋଧ କରିଆସୁଛନ୍ତି । ଦେଇଥିବା ପ୍ରତିଶ୍ରୁତିଙ୍କୁ ପୂରଣ କରିବା ପରିବର୍ତ୍ତେ ସେ ବ୍ୟକ୍ତିଗତ ସଂଗଠନ ବୃଦ୍ଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ବ୍ୟସ୍ତ ରଖୁଛନ୍ତି । ଫଳରେ ଲଗାତାର ଭାବେ ସେ ସାଧାରଣ ଲୋକଙ୍କ ବିରୋଧ ଏବଂ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି ।

Share this story