ସମର୍ପିତ ସେବା ର ରଜତ ଉତ୍ସବ ପାଳୁଛି ଓଡିଶା : ଦେଖୁଛି ସାରା ଭାରତ

ଦିନେ କହୁଥିଲେ ପୋଡ଼ା ଟ୍ରାନ୍ସଫରମର୍ | ହେଲେ ଟ୍ରାନ୍ସଫରମରଟା ଭିତରେ ଯେ ହାଇ ଭୋଲ୍ଟେଜ୍ ପାୱାର ଜେନେରେଟ୍ କରିବାର ପ୍ରଚୁର କ୍ଷମତା ଅଛି ସେ କଥା ପଦ୍ମ ଦଳିଆ ନେତାଙ୍କୁ ଜଣା ନ ଥିଲା । ଦିଲ୍ଲୀ କାରଖାନା ଚଳାଇବାକୁ ନିଜ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଯେତେବେଳେ ଆବଶ୍ୟକ ବିଜୁଳି ଉତ୍ପାଦନ କରି ପାରିନାହିଁ, ସେତେବେଳେ ନିଜ ଘରେ ଆଲୁଅ ଜଳାଇବାକୁ ସେଇ ପୁରୁଣା ଟ୍ରାନ୍ସଫରମ ହିଁ ଲୋଡ଼ା ପଡ଼ିଛି। ଗୋଟିଏ ଯୋଡ଼ିଏ ନୁହେଁ, ଗଲା କୋଡ଼ିଏ ବର୍ଷ ମଧ୍ୟରେ ଏପରି ଅନେକ ଦୃଷ୍ଟାନ୍ତ ରହିଛି।
କେନ୍ଦ୍ରରେ କିଏ ସରକାର ଗଢ଼ିଲା କି ନ ଗଢ଼ିଲା ସ୍ବଳ୍ପଭାଷୀ ଶଙ୍ଖପତିଙ୍କ ପାଇଁ କିଛି ଅର୍ଥ ରଖେ ନାହିଁ । ହେଲେ ନିରନ୍ତର ତାଙ୍କ ଦଳ ଓ ସରକାରକୁ ଗାଳି ଦେଉଥିବା ରାଜ୍ୟର ହାତ ଆଉ ପଦ୍ମ ଦଳର ନେତାଙ୍କ ରାଷ୍ଟ୍ରୀୟ ନେତାମାନଙ୍କ ସହ ଶଙ୍ଖପତିଙ୍କ ସମ୍ପର୍କର ସାକ୍ଷୀ ହେଉଛି ନବୀନ ନିବାସ । ନବୀନ ଯେତିକି ଖାଦ୍ୟପ୍ରିୟ, ଅନ୍ୟକୁ ଖୁଆଇବାରେ ବି ତାଙ୍କର ସେତିକି ଆଗ୍ରହ | ପାଉଁରୁଟିରେ ଲହୁଣୀ ଲଗାଇବାର କଳା ତାଙ୍କୁ ଏମିତି ଜଣା ଯେ ଛୁରୀ ବି ଲାଜ କରିବ । ସେଇଥପାଇଁ ତ ୨୫ ବର୍ଷ ହେଲା ସେ ରାଜ୍ୟବାସୀଙ୍କ ହୃଦୟର ନେତା । ରାଜନୀତିର ଅର୍ଥ କ୍ଷମତା ନୁହେଁ, ରାଜନୀତିର ମୂଳ ଅର୍ଥ ହେଉଛି ଜନସେବା ଏ କଥା ଶଙ୍ଖପତି ବାରମ୍ବାର କହି ଆସିଛନ୍ତି।
ଦଳ ପ୍ରତିଷ୍ଠାର ରଜତ ଜୟନ୍ତୀରେ ନବୀନ ରାଜନୀତି ପଶାପାଲିର ଗୋଟି ଚାଳନା ଉପରେ ରାଜ୍ୟରେ ବିରୋଧୀଙ୍କ ଭବିଷ୍ୟତ ନିର୍ଭର କରୁଛି । ତେଣୁ ସମାବେଶ ପାଇଁ ତାଙ୍କ ଦଳରେ ଯେତିକି ଆଗ୍ରହ, ବିରୋଧୀ ସେତେ ଉତ୍ସୁକ |