ଆମ ସମସ୍ୟା କଥା ବୁଝ, ନହେଲେ ତୁମ ବାଟ ଦେଖ
padampur bye election

ରାଜ୍ୟର ରାଜନୀତିରେ ଏବେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ସେ କେନ୍ଦ୍ର ହେଉ କି ରାଜ୍ୟ ହେଉ ସରକାର ଏଣିକି ଆଉ ଲୋକଙ୍କୁ ନିର୍ବାଚନ ସମୟରେ ଭୁଆଁ ବୁଲାଇ ଯାଇପାରିବେ ନାହିଁ । ବରଗଡ ଜିଲ୍ଲା ପଦ୍ମପରରେ ହେବାକୁ ଯାଉଥିବା ଉପନିର୍ବାଚନରେ ଯେଉଁ ଘଟଣା ଏବେ ପଦାକୁ ଆସିଛି , ଆଗାମୀ ଦିନରେ ସରକାରଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । ପ୍ରଥମ ଥର ପାଇଁ ସାଧାରଣ ଜନତା ଏବେ ସେମାନଙ୍କ ସମସ୍ୟା ଓ ଦାବୀ ନେଇ ସିଧା ସରକାରଙ୍କୁ ଚ୍ୟାଲଞ୍ଜେ ଦେବାକୁ ଆଗେଇ ଆସିଛନ୍ତି । ପଦ୍ମପୁରେ ଚାଲିଥିବା ଚାଷୀ ଆନ୍ଦୋଳନ ସହ ଜିଲ୍ଲା ଦାବୀ ଆନ୍ଦୋଳନ ଯୋଡି ହୋଇଥିଲା । ଏବେ ପୁଣି ସେଥିରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି । ସ୍ୱାସ୍ଥ୍ୟ ବିଭାଗରେ ଥିବା ଠିକା କର୍ମଚାରୀ ମାନେ ସେମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଆନ୍ଦୋଳନକୁ ଆସିବା ସହ ନିର୍ବାଚନରେ ସରକାରଙ୍କୁ ବିରୋଧ କରିବେ ବୋଲି ସିଧାସଳଖ ଧମକ ଦେଇଛନ୍ତି । ଏଥିରୁ ଜଣାପଡୁଛି କ୍ଷମତାସୀନ ଦଳ ପାଇଁ ଆଗାମୀ ଦିନରେ ଲୋକେ ସେମାନଙ୍କ ସମସ୍ୟା ନେଇ ପଦାକୁ ଆସିବେ । ଏଣୁ କେନ୍ଦ୍ରରେ ଥିବା ବିଜେପି ସରକାର ଓ ରାଜ୍ୟରେ ଥିବା ବିଜେଡି ସରକାରଙ୍କ ପାଇଁ ନିର୍ବାଚନ ଲଢିବା ସମସ୍ୟା ହେବ ବୋଲି ଏଥିରୁ ଜଣା ପଡୁଛି ।

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୭ ତାରିଖ ଏହାର ଶେଷ ଦିନ । କିନ୍ତୁ ଏ ପର୍ଯ୍ୟନ୍ତ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନାହାନ୍ତି । ବିଜେପି ସୋମବାର ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଇ ଫେରି ଆସିଛି । ଫଳରେ ରାଜନୈତିକ ବାତାବରଣ ଭିନ୍ନ ମୋଡ ନେଇଛି । ସେଠାରେ ଚାଷୀ ମାନେ ଫସଲ ବୀମା ବାବଦ ଦେୟ ଦାବି କରି ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି । ଏବେ ଉପନିର୍ବାଚନ ଘୋଷଣା ହେବା ପରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିବାକୁ ଥିବାବେଳେ ସେମନେ ଧାରଣା ଦେଇ ବସିଛନ୍ତି । ଏଥି ସହ ସବୁ ଦଳର ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ପଦ୍ମପୁରକୁ ଜିଲ୍ଲା ଦାବୀ କରି ସ୍ଥାନୀୟ ଲୋକମାନେ ସେହି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଆଜି ଦେଖିବାକୁ ମିଳିଥିଲା ଯେ ସ୍ୱାସ୍ଥ୍ୟ ବିଭାଗର ଅସ୍ଥାୟୀ କର୍ମଚାରୀ ମାନେ ଶୋଭାଯାତ୍ରାରେ ବାହାରି ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ସରକାରଙ୍କ ବିରୁଦ୍ଧରେ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି । 

ଚାଷୀଙ୍କ ଫସଲ ବୀମା ଘଟଣା , କେନ୍ଦ୍ର ସରକାରଙ୍କ ଅଧିନରେ ହୋଇଥିବା ବେଳେ ଜିଲ୍ଲା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଦାବି ରାଜ୍ୟ ସରକାରଙ୍କ ଅଧିନରେ । ଏଣୁ ଉଭୟ ବିଜେପି ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ କଥା ନ ଶୁଣି ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କଲେ ସେମାନେ ଜନବିରୋଧି ହେବେ ଏହି ଧାରଣା ମଧ୍ୟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ବିଜେପି ସୋମବାର ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଇ ଫେରି ଆସିଲା । ଏଣୁ ଏହି ଘଟଣା ରେ ରାଜନୈତିକ ଦଳ ଗୁଡିକ ବେଶ ଅଡୁଆ ପରିସ୍ଥିତିରେ ପଡିଛନ୍ତି । କାହା ଦାବି ପୂରଣ କରିବେ ଓ କାହାର ଦାବି ପୂରଣ କରିବେ ନାହିଁ , ସେ ନେଇ ଦ୍ୱନ୍ଦରେ ଅଛନ୍ତି । ଜଣଙ୍କର ଦାବି ପୂରଣ ହେଲେ ଅନ୍ୟ ମାନେ ଅସନ୍ତୁଷ୍ଟ ହେବେ । 

ରାଜନୈତିକ ଦଳ ହାତରେ ମନୋନୟନ ପତ୍ର ଦାଖଲ କରିବା ପାଇଁ ଆଜିକୁ ମିଶାଇ ମାତ୍ର ୨ ଦିନ ସମୟ ରହିଛି । ଏ ସମୟ ସୀମା ଭିତରେ ଦାବି ପୂରଣ କରି କିମ୍ବା ଲୋକଙ୍କୁ ବୁଝାଇ ସନ୍ତୁଷ୍ଟ କରିବା କାଠିକର ପାଠ ହୋଇଛି । ସବୁ ପକ୍ଷଙ୍କୁ ସାଥୀରେ ଧରି ଯିବା କେବଳ ସରକାରୀ ଦଳ ପାଇଁ ସମସ୍ୟା ଆଣିଛି । ଏହି ଦାବି ପୂରଣ କଲେ ସରକାର ଅଡୁଆରେ ପଡିବେ ଓ ପୂରଣ ନ କଲେ ବି ଅଡୁଆରେ ପଡିବେ । ଏହି ଦାବି ପୂରଣ ହୋଇଗଲେ ଭବିଷ୍ୟତରେ ନିର୍ବାଚନ ବେଳେ ଲୋକେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ନିର୍ବାଚନ ସମୟରେ ଅଡି ବସିବେ ଯାହା ସରକାରୀ ଦଳ ପାଇଁ ଘାତକ ହେବ ବୋଲି ଆଲୋଚନା ହେଉଛି ।

Share this story