ଓଡ଼ିଶାରେ ନାହିଁ ବିଜେପି ମଞ୍ଜି, ଫସଲ କାଟିବାକୁ ଜୟଙ୍କ ମନ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରି ଫେରିବା ପରେ ରାଜ୍ୟ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆସନ୍ତା ନିର୍ବାଚନରେ ଦଳ କ୍ଷମତାକୁ ଫେରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟରେ ସିବିଆଇ, ଇଡି ତଦନ୍ତର ଆବଶ୍ୟକତା ଥିବାନେଇ ତାଙ୍କର ମନ୍ତବ୍ୟକୁ ଉଭୟ ବିଜେଡି ଏବଂ କଂଗ୍ରେସ ଶ୍ରୀ ମିଶ୍ରଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ବିଜେପି ନେତା ଦିବାସ୍ଵପ୍ନ ଦେଖୁଥିବା କଟାକ୍ଷ କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଆସନ୍ତା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଛି । ସବୁ କାର୍ଯ୍ୟକଳାପର ଏକ ନିର୍ଦ୍ଦିଷ୍ଟ ସମୟ ଥାଏ। ବିଜେପି ଏବେ ନିର୍ବାଚନ ଧାନ ଫସଲରେ ସାର ଦେଉଛି। ଆସନ୍ତା ନିର୍ବାଚନରେ ଆମେ ଫସଲ କାଟିବୁ। ସେହିପରି ରାଜ୍ୟରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ତଦନ୍ତ ପ୍ରସଙ୍ଗରେ ସେ କହିଛନ୍ତି ଯେ ମୁଁ ସିବିଆଇର ମୁଖପାତ୍ର ନୁହେଁ। ସିବିଆଇ-ଇଡି ବିଜେପିର ରାଜନୈତିକ ଅସ୍ତ୍ର ନୁହେଁ । ତେବେ ରାଜ୍ୟରେ ସିବିଆଇ- ଇଡି ତଦନ୍ତର ଆବଶ୍ୟକତା ରହିଛି।
ଅନ୍ୟପକ୍ଷରେ ଜୟନାରାୟଣଙ୍କ ବିବୃତିକୁ କଡ଼ା ସମାଲୋଚନା କରି କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଯେଉଁଠି ଦୁର୍ନୀତି ଅଛି ସେଠାକୁ ସିବିଆଇ ଯାଉନାହିଁ । ବିଜେପିକୁ ଯେଉଁଠି ବିରୋଧ ହେଉଛି ସେଠାରେ ସିବିଆଇ, ଇଡି ଚଢ଼ଉ ସହ ତଦନ୍ତ କରୁଛନ୍ତି। ସେମାନେ ସାର କଣ ବୁଣିବେ ଏବଂ ଧାନ କଣ କାଟିବେ; ଗଛ ଥିଲେ ତ ସେମାନେ ଧାନ କାଟିବେ ବୋଲି ସେ କଟାକ୍ଷ କରିଛନ୍ତି।ଆସନ୍ତା ନିର୍ବାଚନରେ କିଏ ସାର ବୁଣିବ, କିଏ ଧାନ କାଟିବ ତାହା ସମୟ କହିବ ବୋଲି କହିଛନ୍ତି ତାରା ।
ଏପଟେ ବିରୋଧୀ ଦଳ ନେତାଙ୍କ ବୟାନର ପ୍ରତିକ୍ରିୟା ଦେବାକୁ ଯାଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ସାଧାରଣ ଲୋକ ବିଜୁ ଜନତା ଦଳ ସହ ସବୁବେଳେ ରହିଛନ୍ତି। ଲଗାତାର ଭାବେ ସାଢ଼େ ଚାରିକୋଟି ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶୀର୍ବାଦ ଏବଂ ଅକୁଣ୍ଠ ସହଯୋଗ ଦେଇ ଆସିଛନ୍ତି।
ଓଡ଼ିଶାବାସୀ ଅନେକ ଥର ଏହାର ପ୍ରମାଣ ଦେଇଛନ୍ତି। ଗତ ପଞ୍ଚାୟତ, ପୌର ନିର୍ବାଚନ ସହ ନିକଟରେ ଅନୁଷ୍ଠିତ ସମସ୍ତ ଉପ ନିର୍ବାଚନରେ ଏହା ପ୍ରତିଫଳିତ ହୋଇଛି। ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଆଉଥରେ ଏହାର ପ୍ରମାଣ ଦେବେ । ବିରୋଧୀ ଦଳର ସାର୍ଟିଫିକେଟ ଉପରେ ଆମ ଦଳ ନିର୍ଭର କରେ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।