ନବଙ୍କ ପାଇଁ ବଦନାମ ସରକାର : ଦେଶ ଦେଖିଛି ବିକଳ ସ୍ବାସ୍ଥ୍ୟ ସେବାର ଚିତ୍ର

ଏସସିବି ବଡ଼ ମେଡିକାଲରେ କିଛି ନ ହୋଇ ଅଙ୍ଗ କାଟି ଦିଆଗଲା । ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେ୍ସନ ଜଣଙ୍କ ଜୀବନ ନେଲା । ପାଟଣାଗଡ଼ରେ ଟ୍ରର୍ଚ୍ଚ ଲାଇଟରେ ଚାଲିଛି ଚିକିତ୍ସା । ପୁରୀରେ ଲୁନା ଗାଡ଼ିରେ ବୁହା ହେଉଛନ୍ତି ଶବ । କାଶିପୁରରେ ହଇଜା ନେଉଛି ଜୀବନ ହସ୍ପିଟାଲରେ ନାହିଁ ବେଡ଼ । ଭିମସାର ରେଡ଼ିଓ ଥେରାପି ବିଭାଗରେ ଷ୍ଟାଫ ଅଭାବ । ବରଗଡ଼ ଜିଲ୍ଲାର ଘରେ ଘରେ କ୍ୟାନ୍ସର ରୋଗୀ । ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା । ସ୍ୱାସ୍ଥ୍ୟ ବିଭାଗର ଅବହେଳା ଲେଖିଲେ ବିଶ୍ୱର ସବୁଠାରୁ ବଡ଼ ଗ୍ରନ୍ଥ ପ୍ରସ୍ତୁତ ହୋଇଯିବ । ସ୍ୱାସ୍ଥ୍ୟ ବିଭାଗରେ ଖାଲି ପଡିଛି ହଜାର ହଜାର ପଦବୀ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ କଥା ନକହିବା ଭଲ । ଯେଉଁଠି ବଞ୍ଚିଛି ସେଠି ଝାଡୁଦାର କି ଚିକିତ୍ସା କରୁଛନ୍ତି ।
ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ସାଧାରଣ ଲୋକଙ୍କ ମନରେ ଡର । ଏତେ ଅବହେଳା ଭିତରେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଆତ୍ମା ପ୍ରଚାରରେ ମଗ୍ନ । ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆରେ ଖର୍ଚ୍ଚ କରୁଛି ପ୍ରଚୁର ଟଙ୍କା । ବେସରକାରୀ ସଂସ୍ଥା କୁ ଦେଉଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା । ହେଲେ ଲାଭ କିଛି ବି ନାହିଁ । ଫମ୍ପା ମାଠିଆକୁ ଯେତେ ବାଡେଇଲେ ବି ଶବ୍ଦ ସିନା ସୃଷ୍ଟି ହୁଏ ହେଲେ ତାହା କର୍କଶ ଲାଗେ । ଲୋକେ ବାସ୍ତବ ଚିତ୍ର ନିଜ ଆଖିରେ ଦେଖୁଛନ୍ତି, ସୋସିଆଲ ମିଡିଆରେ ରଙ୍ଗୀନ୍ ସ୍ବପ୍ନ ବାଣ୍ଟିଲେ କିଏ କରିବ ବିଶ୍ୱାସ ?
ସୋସିଆଲ ମିଡ଼ିଆ ସାଇଟ ମେଟାର ତଥ୍ୟ ଅନୁସାରେ ଏହି ପ୍ଲାଟଫର୍ମରେ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପ୍ରଚାର ପାଇଁ ଖର୍ଚ୍ଚ କରିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା । ଏପ୍ରିଲ୍ ୨୭ ତାରିଖରୁ ୨୫ ଜୁଲାଇ ଯାଏ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଡ଼ଭରଟାଇଜ ବିବାଦକୁ ଖର୍ଚ୍ଚ କରିଛି ୧୨ ଲକ୍ଷ୍ୟ ୬ହଜାର ୭୦୧ ଟଙ୍କା । ଏହି ଟଙ୍କା ଖର୍ଚ୍ଚ କରି ସମଗ୍ର ଦେଶରେ ୧୫ ନମ୍ବରରେ ଅଛି ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ।
ତେବେ ଏତେ ଟଙ୍କା ଖର୍ଚ୍ଚ କରି ମଧ୍ୟ ସ୍ବାସ୍ଥ୍ୟ ବିଭାଗର ଫେସ୍ବୁକ୍ ପେଜରେ ଫଲର୍ସ ରହିଛନ୍ତି ୧ ଲକ୍ଷ୍ୟ ୩୦ହଜାର । ସେହିପରି ସେୟାର ଏବଂ ଲାଇକ ମଧ୍ୟ ୫୦ ଭିତରେ ସୀମିତ ରହୁଛି । ସ୍ବାସ୍ଥ୍ୟ ବିଭାଗର ଏକ ଚିଠିରୁ ଜଣାପଡିଛି ଯେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୋସିଆଲ ମିଡ଼ିଆ ଆକ୍ରାନ୍ତ ତଦାରଖ କରୁଥିବା CSM ଟେକ୍ନୋଲୋଜିକୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଗଣୁଛି ବିଭାଗ । ଗତ ତିନି ମାସ ମଧ୍ୟରେ ବିଭାଗ ୩ ଲକ୍ଷ୍ୟ ୩୦ହଜାର ୮ଶହ ଟଙ୍କା ଗଣିଛି । ଏଥର ବଜେଟରେ ସ୍ବାସ୍ଥ୍ୟ ବିଭାଗକୁ ମିଳିଛି ୧୨ହଜାର ୬୨୪କୋଟି ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୭% ଅଧିକ । ତେବେ ଏହି ଟଙ୍କା ଖର୍ଚ୍ଚ ହେଉଛି କେଉଁଠି ? ଏତେ ଟଙ୍କା ଖର୍ଚ୍ଚ କଲା ପରେ ବି କାହିଁକି ସୁଧୁରୁନାହିଁ ସ୍ବାସ୍ଥ୍ୟ ଭିତ୍ତିଭୂମି ? ନା ସବୁ କିଛି ଠିକ୍ ଅଛି ବୋଲି ଭାବି ଟଙ୍କା ବଞ୍ଚାଉଛନ୍ତି ସରକାର । ରାଜ୍ୟରେ ଅବହେଳା କହିଲେ ନ ସରେ ହେଲେ ସରକାର ପ୍ରଚାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।