ରାଜ୍ୟରେ ରସାତଳ ମୁହାଁ କଂଗ୍ରେସ : ଯେତେ ମାଜିଲେ ବି ସଫା ହଉନି

congress

ଓଡ଼ିଶାରେ ଉଦ୍ଧାଉନି କଂଗ୍ରେସ । ଉପନିର୍ବାଚନ କଂଗ୍ରେସ ପାଇଁ ଅଭିଶାପ ପାଲଟିଛି। ପ୍ରତି ଉପନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଦୁର୍ବଳ ହେବାରେ ଲାଗିଛି। ଅଧିକାଂଶ ଉପନିର୍ବାଚନରେ ଦଳ ଅମାନତ ହରାଉଥିବା ବେଳେ ପଦ୍ମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ପଦ୍ମପୁର ଉପନିର୍ବାଚନରେ କଂଗ୍ରେସକୁ ମିଳିଛି ୩୫୯୪ ଖଣ୍ଡ ଭୋଟ୍‍। ତିନି ଥର ବିଧାୟକ ଭାବେ ନିର୍ବାଚିତ ସତ୍ୟଭୂଷଣ ସାହୁ ଗତ ନିର୍ବାଚନରେ ୩୨ ହଜାର ଭୋଟ ପାଇଥିବାବେଳେ ଏବେ ମାତ୍ର ୩୨ଶହରୁ କିଛି ଅଧିକ ଭୋଟ ପାଇଛନ୍ତି ଓ ଅମାନତ ରଖିବାକୁ ବିଫଳ ହୋଇଛନ୍ତି।

ପଦ୍ମପୁରରେ କଂଗ୍ରେସର ଏହି ଶୋଚନୀୟ ପରାଜୟକୁ ଦଳର କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ହାରିବା-ଜିତିବା ରାଜନୀତିରେ ଲାଗି ରହିଥାଏ। ମାତ୍ର ସମ୍ମାନର ସହ ହାରିବା ପାଇଁ ମଧ୍ୟ ଦଳ ବଳ ଯୋଗାଡ଼ କରିପାରୁନାହିାଁ ଦଳର ଏଭଳି ସ୍ଥିତି ପାଇଁ କିଏ ଦାୟୀ ଓ କାହିଁକି ଦଳ ସହ ଜନମତ ରହୁନାହିଁ, ସେନେଇ କର୍ମୀମାନେ କଂଗ୍ରେସନେତାଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି। ଅନ୍ୟପକ୍ଷରେ ଦଳର ଶୀର୍ଷନେତୃତ୍ୱ ଉତ୍ତରଶୂନ୍ୟ।

ଗତ ତିନି ବର୍ଷ ମଧ୍ୟରେ ବାଲେଶ୍ୱର,ବିଜେପୁର, ତିର୍ତ୍ତୋଲ, ପିପିଲି, ଧାମନଗର, ବ୍ରଜରାଜନଗର, ପଦ୍ମପୁର ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହୋଇଛି। ଏହି ସବୁ ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ତ ଦୂରର କଥା, ପୂର୍ବ ସାଧାରଣ ନିର୍ବାଚନରେ ପାଇଥିବା ଭୋଟ୍‍କୁ ବଞ୍ଚାଇବାରେ ମଧ୍ୟ ସଫଳ ହୋଇପାରିନାହିଁ। ୨୦୧୯ରେ ବାଲେଶ୍ୱରରେ ଦଳକୁ ମିଳିଥିବା ୧୯୭୦୪ ଖଣ୍ଡ ଭୋଟ୍‍ ୨୦୨୦ ଉପନିର୍ବାଚନରେ ଖସି ଆସି ୪୯୮୩ରେ ପହଞ୍ଚିଲା। ସେହିଭଳି ପିପିଲିରେ ସାଧାରଣ ନିର୍ବାଚନରେ କଂଗ୍ରେସକୁ ୯୮୩୦ ଭୋଟ୍‍ ମିଳିଥିଲା, ମାତ୍ର ୨୦୨୧ ଉପନିର୍ବାଚନରେ ଦଳ ୪୨୬୧ ଭୋଟ୍‍ ପାଇଲା। ଏପରିକି ସାଧାରଣ ନିର୍ବାଚନ ପ୍ରାର୍ଥୀ ଦିବଙ୍ଗତ ନେତା ଅଜିତ୍‍ ମଙ୍ଗରାଜଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହୋଇଥିଲେ ମଧ୍ୟ ଦଳକୁ ଅନୁକମ୍ପା ଭୋଟ୍‍ ମିଳିଲା ନାହିଁ। ବିଜେଡି ଓ ବିଜେପିର ହାଇଭୋଲଟେଜ୍‍ ଲଢ଼େଇ ଭିତରେ କଂଗ୍ରେସ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରିଥିଲା। ସମାନ ରୂପେ, ଧାମନଗର ଉପନିର୍ବାଚନରେ କଂଗ୍ରେସକୁ ମିଳିଲା ୩୫୩୩ ଭୋଟ୍‍। ୨୦୧୯ ସାଧାରଣ ନିର୍ବାଚନରେ ଦଳ ଧାମନଗରରେ ୭୩୦୩ ଖଣ୍ଡ ଭୋଟ୍‍ ପାଇଥିବାବେଳେ ଉପନିର୍ବାଚନରେ ତାହା ଅଧାକୁ ଖସିଆସିଲା।

ରାଜ୍ୟରେ ନିକଟ ଅତୀତରେ ସରିଥିବା ସବୁ ଉପନିର୍ବାଚନ କଂଗ୍ରେସ ସମାନ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ବାରମ୍ବାର ଶୋଚନୀୟ ପରାଜୟ ପରେ ମଧ୍ୟ କଂଗ୍ରେସର ଶୀର୍ଷ ନେତୃତ୍ୱ ଚେତୁନାହାଁନ୍ତି ବୋଲି କୁହାଯାଉଛି। ସଦ୍ୟ ସମାପ୍ତ ପଦ୍ମପୁର ଉପନିର୍ବାଚନରେ ବହୁ ବର୍ଷ ପରେ ଦଳର ସବୁ ଛାମୁଆ ନେତାଙ୍କୁ ଏକାଠି ଦଳ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ପ୍ରମୁଖ ନେତାମାନେ ଗୋଟିଏ ଶିବିରରେ ବସି ଦଳ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ମାତ୍ର ସବୁ ଅଙ୍କକଷାରୁ ଫଳ ମିଳିଲା ଶୂନ। ଦଳ ପଦ୍ମପୁରରେ ନିଜ ସମ୍ମାନ ରକ୍ଷା କରିପାରିଲା ନାହିଁ।

Share this story