୧୯୭୧ରୁ ୧୨ ଥର ହୋଇଛି ଧାମନଗର ନିର୍ବାଚନ, ୩ ଥର ଜିତିଛି କଂଗ୍ରେସ
sarata congres

ପୂର୍ବରୁ ଅନେକ ନିର୍ବାଚନ ଦେଖି ସାରିଛି ଧାମନଗର । ଅନେକ ଥର ଓଲଟପାଲଟ ହୋଇଛି ବଡ଼ ବଡ଼ ରାଜନୈତିକ ଦଳର ଗଣିତ । କିନ୍ତୁ ଏଥର ଉପନିର୍ବାଚନ ଭଳି ପୂର୍ବରୁ କେବେ ଏଭଳି ସରଗରମ ପ୍ରଚାର ଏବଂ ବାତାବରଣ ଦେଖିବାକୁ ମିଳିନାହିଁ । ୩ ତାରିଖରେ ଭୋଟ । କିନ୍ତୁ ଏହା ଭିତରେ କଂଗ୍ରେସର ସ୍ଥିତିକୁ ନେଇ କିଛି କଳ୍ପନା ଜଳ୍ପନା ଆରମ୍ଭ ମଧ୍ୟ ହୋଇସାରିଛି । ଧାମନଗର ପୂର୍ବରୁ ଅଣ ସଂରକ୍ଷିତ ଥିଲା। ଏବେ ସଂରକ୍ଷିତ । ବିଜୁ ଜନତା ଦଳର ପୂର୍ବ ବିଧାୟକ ରାଜେନ୍ଦ୍ର କୁମାର ଦାସ ସ୍ବାଧୀନ ପ୍ରାର୍ଥୀ ହୋଇଯିବା ପରେ ରୋଚକ ସ୍ଥିତିକୁ ଚାଲିଯାଇଛି ଏହି ଉପନିର୍ବାଚନଟି । ପ୍ରଥମେ ମନେକରାଯାଉଥିଲା ଯେ, ତ୍ରିମୁଖୀ ପ୍ରତିଦ୍ବନ୍ଦ୍ରିତା ହେବ। ଭାଜପା, ବିଜେଡି ଏବଂ କଂଗ୍ରେସ ଲଢେଇରେ ରହିବେ । କିନ୍ତୁ ରାଜୁ ପ୍ରାର୍ଥୀ ହେବା ପରେ କଂଗ୍ରେସ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେବାକୁ ଯାଉଛି । 

୧୯୭୧ରୁ ଏହା ଭିତରେ ୧୨ ଥର ନିର୍ବାଚନ ହୋଇସାରିଲାଣି ଧାମନଗରରେ। ଏହି ଆସନରୁ କଂଗ୍ରେସ କେବଳ ୩ ଥର ଜିତିଛି । ମଜାର କଥା ହେଉଛି ଯେ, ଏହି ୩ଥର ଯାକ କଂଗ୍ରେସର ଜଗନ୍ନାଥ ରାଉତ ନିର୍ବାଚନ ଜିତିଛନ୍ତି । ୧୯୮୦, ୧୯୮୫ ଏବଂ ୧୯୯୫ରେ କେବଳ କଂଗ୍ରେସ ହାଓ୍ବା ସମୟରେ କିଣି ପାରିଥିଲେ ଜଗନ୍ନାଥ । ଅନ୍ୟଥା ଏହି ଆସନଟି ଅଣ କଂଗ୍ରେସ ଗଡ଼ କହିଲେ ଭୁଲ ହେବ ନାହିଁ । କେବଳ ହୃଦାନନ୍ଦ ମଲ୍ଲିକ ଧାମନଗରରେ ହ୍ୟାଟ୍ରିକ କରିଛନ୍ତି । ଦୁଇଥର ଭତ୍କଳ କଂଗ୍ରେସ ଟିକଟରେ ଏବଂ ଶେଷ ଥର ୧୯୭୭ରେ ଜନତା ପାର୍ଟି ଟିକଟରେ ସେ ଜିତିଥିଲେ ଧାମନଗରରୁ । ଭାଜପା ଏହି ଆସନରୁ ଦୁଇଥର ଏବଂ ବିଜେଡି ଦୁଇଥର ଜିତିଛି । ରାଜୁ ମଇଦାନକୁ ଆସିବା ପରେ ବିଜେଡି ସହ କ୍ଷତି ସହିବ କଂଗ୍ରେସ। ଏହାର ମୂଳ କାରଣଟି ହେଲା ରାଜୁ କ୍ଷତି ଭରଣା କରିବା ପାଇଁ ଶାସକ ଦଳ କଂଗ୍ରେସର ଭୋଟକୁ ସମ୍ପୂର୍ଣ ଭାଙ୍ଗି ଦେଇସାରିଲାଣି ବୋଲି ଏଠାରେ ଚର୍ଚ୍ଚା ହେଉଛି। ସବୁଠୁ ବଡ଼ ଚର୍ଚ୍ଚା ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନେଇ । ଶରତ ଯେଉଁ ଚକମା ବା ସଫଳତା ବ୍ରଜରାଜନଗର ଉପନିର୍ବାଚନରେ ଦେଖାଇଥିଲେ, ଏଠାରେ ତା’ର ସମ୍ପୂର୍ଣ୍ଣ ବିପରୀତ ଫଳ ହେବ । କାରଣ ସରୂପ କୁହାଯାଉଛି ଯେ, ଶରତ ବିଜେଡି ପକେଟରେ ଅଛନ୍ତି ବୋଲି ଚର୍ଚ୍ଚା ଏଠାରେ ଜୋର। ସେ କୁଆଡ଼େ ବବି ଦାସଙ୍କ ଦ୍ବାରା ନିୟନ୍ତ୍ରିତ ଓ ପରିଚାଳିତ । ଏହା କଂଗ୍ରେସର ଅତ୍ୟନ୍ତ ଅନୁଗତ ଭୋଟରଙ୍କ ମହଲରେ ବେଶୀ ଆଲୋଚିତ ହେଉଛି । 

ତେଣୁ ଉପନିର୍ବାଚନରେ କଂଗ୍ରେସ ଅମାନତ ରଖିପାରିବ କି ନାହିଁ ଏହାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ମଧ୍ୟ ଚାଲିଛି ଧାମନଗରରେ । ୨୦୧୯ରେ କଂଗ୍ରେସର ବିଦ୍ୟାଧର ଜେନା ୭, ୩୦୦ ଭୋଟ ପାଇଥିଲେ। ଅମାନତ ବି ଯାଇଥିଲା। କଂଗ୍ରେସର ଭୋଟ ହାର ଥିଲା ୪.୪% । ୨୦୧୪ରେ ଦେବାନନ୍ଦ ସେଠୀ ଦଳୀୟ ପ୍ରାର୍ଥୀ ହୋଇ ୧୨ ହଜାର କୋଟ ପାଇଥିଲେ। ତାଙ୍କର ମଧ୍ୟ ଅମାନତ ଯାଇଥିଲା । ୨୦୦୯ରେ କଂଗ୍ରେସର ପ୍ରାର୍ଥୀ ଥୁଲେ ନରେନ୍ଦ୍ର ମଲ୍ଲିକ I ସେ ପାଖାପାଖି ୩୦ ହଜାର ଭୋଟ ପାଇଥିଲେ । କଂଗ୍ରେସର ଅମାନତ ରହିଥିଲା । ୩୦ହଜାର କୋଟରୁ ଖସିଘସି କଂଗ୍ରେସ ୭ହଜାରକୁ ଚାଲିଆସିଲାଣି। ଏହି ଆସନରେ କଂଗ୍ରେସର ସଂଗଠନ ଅତ୍ୟନ୍ତ ଦୁର୍ବଳ ହୋଇସାରିଛି । 

 ଏଥର କଂଗ୍ରେସ ପୁଣି ଜଣେ ନୂଆ ପ୍ରାର୍ଥୀ ଦେଇଛି । ସେ ହେଲେ ବାବା ଭଗବାନ ସେଠୀ। ପ୍ରାର୍ଥୀ ହିସାବରେ ଭଗବାନ ବହୁତ ଭଲ। କିନ୍ତୁ ସଂଗଠନ ଥିଲେ ସିନା, ସବୁଠୁ ବିଡ଼ମ୍ବନା ହେଉଛି କଂଗ୍ରେସ ନେତୃତ୍ଵର ନଲଢ଼ିବା ମନୋବୃତ୍ତି । ସଭାପତି ଶରତ ପଟ୍ଟନାୟକ ପ୍ରଚାର ଓ କରୁଛନ୍ତି, କିନ୍ତୁ ନିଜ ପ୍ରାର୍ଥୀଙ୍କ ସପକ୍ଷରେ କି ଭାଜପା ବିରୋଧରେ ବୁଝି ହେଉନାହିଁ। ଦଳର ୩ ଛାମୁଆଁ ସଂଗଠନ ମହିଳା, ଯୁବ ଏବଂ ଛାତ୍ର କଂଗ୍ରେସ ଏଠାରେ ଆଦୌ ସକ୍ରିୟ ନାହିଁ । ଅନ୍ୟ ଦୁଇ ପ୍ରମୁଖ ଦଳର କିନ୍ତୁ ସେ ସମସ୍ୟା ନାହିଁ । ତେଣୁ କଂଗ୍ରେସ କେବଳ ଲଢ଼ିବା ପାଇଁ ଲଢ଼ୁଛି ବୋଲି ଧାରଣା ହେଉଥ୍ବାରୁ ବିଶେଷ ଭୋଟ ବିଭାଜନ ଏହି ଦଳ କରିପାରିବ ନାହିଁ । ଗୁଜୁରାଟ ଓ ହିମାଚଳ ନିର୍ବାଚନକୁ ଛାଡ଼ି ରାହୁଲ ଗାନ୍ଧୀ ଯେଭଳି ଭାରତ ଯୋଡ଼ରେ ଲାଗିଛନ୍ତି, ଏଠାରେ ମଧ୍ୟ ସମାନ ଅବସ୍ଥା । ତେବେ ଗତ ନିର୍ବାଚନ ଫଳ ଠାରୁ ଯଦି କଂଗ୍ରେସ ଭଲ କରେ, ତେବେ ଶରତଙ୍କ ସମ୍ମାନ ବଢ଼ିବ । କିନ୍ତୁ ଯଦି ଛିଡ଼ିଯାଏ ? ପରିସ୍ଥିତି ଆଗକୁ କ’ଣ ହେବ ସେକଥା ଭଲଭାବେ ଶରତ ଏବଂ ତାଙ୍କର ବିରୋଧୀମାନେ ଜାଣି ଛନ୍ତି । ପୁଣି ଆଗକୁ ପଦ୍ମପୁର ଉପନିର୍ବାଚନ ଆସୁଛି । ଧାମନଗର ଶରତଙ୍କ ପାଇଁ ବିଶେଷ ଭାବେ ଏକ ପରୀକ୍ଷା କହିଲେ ଭୁଲ ହେବ ନାହିଁ ।

Share this story