ଜାନୁଆରୀରେ ଆସିବେ ପ୍ରିୟଙ୍କା, ରାଜ୍ୟରେ ଅସଜଡାଙ୍କୁ ସଜାଡ଼ିବେ

ଧାମନଗର ଓ ପଦ୍ମପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସର ଅମାନତହରା ପ୍ରଦର୍ଶନ ରାଜ୍ୟ କଂଗ୍ରେସର ମୂଳଦୁଆ ଦୋହଲାଇ ଦେଇଛି। ଏବେ ସ୍ଥିତି ସୁଧାରିବା ପାଇଁ ରାଜ୍ୟ କଂଗ୍ରେସ ନୂଆ ରଣନୀତି ପ୍ରସ୍ତୁତ କରୁଛି। '୨୪’ ନିର୍ବାଚନ ପୂର୍ବରୁ ଗଡ଼ ଉଦ୍ଧାର ପାଇଁ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରୁ ‘ହାତକୁ ହାତ ଯୋଡ଼' ଅଭିଯାନ ଆରମ୍ଭ ହେବ । ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
ଏହି ଅଭିଯାନ ୨ ମାସ ଧରି ଚାଲିବ ବୋଲି ସେ କହିଛନ୍ତି।ରବିବାର ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ରାଜ୍ୟ ପ୍ରଭାରୀ ଡକ୍ଟର ଏ ଚେଲା କୁମାରଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢ଼େଇ ପାଇଁ କଂଗ୍ରେସ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ଦଳର ନବକଳେବର ପାଇଁ ଯୁବ, ମହିଳା ଓ ଛାତ୍ର ସଙ୍ଗଠନମାନଙ୍କୁ ଦାୟିତ୍ବ ଦିଆଯିବ। ଦଳର କର୍ମୀମାନେ ପ୍ରତ୍ୟେକ ଘରେ ଓ ପ୍ରତ୍ୟେକ ଗାଁରେ ପହଞ୍ଚିବେ । ଯାହାଫଳରେ ପୁଣି ଥରେ କଂଗ୍ରେସ ଟ୍ରାକ୍କୁ ଫେରିପାରିବ ବୋଲି ପିସିସି ସଭାପତି ଆଶା ରଖୁଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆସନ୍ତା ଫେବୃଆରୀ ୧୮ ତାରିଖରେ ଓଡ଼ିଶା ଆସି ‘ହାତକୁ ହାତ ଯୋଡ଼' କାର୍ଯ୍ୟକ୍ରମରେ ଯୋଗ ଦେବେ। ଖୋର୍ଦ୍ଧା ବରୁଣେଇ ପାଖରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେବେ ।
କଂଗ୍ରେସ ସଭାପତି ଶ୍ରୀପଟ୍ଟନାୟକ କହିଛନ୍ତି ଯେ ଉପନିର୍ବାଚନର ଫଳାଫଳରୁ ଦଳର ସ୍ଥିତି ଆଦୌ ଲୁଚିକି ନାହିଁ । କିନ୍ତୁ ଦଳ ପୁଣି ଥରେ ସଂଗଠିତ ହୋଇ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟାକରିବ । ଦଳର ପ୍ରଭାରୀ ଏକ ସ୍ବତନ୍ତ୍ର ରାଜନୈତିକ ରଣନୀତି ସମ୍ପର୍କରେ ରାଜ୍ୟ କଂଗ୍ରେସର ସମସ୍ତ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ପ୍ରାୟତଃ ସମସ୍ତେ ପ୍ରଭାରୀ ଶ୍ରୀକୁମାରଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ତେବେ ୨୦୨୪ ପାଇଁ ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ଯେ, ରାଜ୍ୟର ସବୁ ଗାଁରେ କଂଗ୍ରେସ କର୍ମୀ ଓ ନେତାମାନେ ପହଞ୍ଚିବେ। ଲୋକଙ୍କୁ ଏକଜୁଟ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅପାରଗତାକୁ ଲୋକଲୋଚନକୁ ଆଣିବେ । ଏହି ବୈଠକରେ କଂଗ୍ରେସର ସମସ୍ତ ଜିଲ୍ଲା ସଭାପତି, ବରିଷ୍ଠ ନେତା ଓ ବିଧାୟକମାନେ ଉପସ୍ଥିତ ଥିଲେ । ପିସିସି ସଭାପତି ଖୁବ୍ ଶୀଘ୍ର ପିସିସି କମିଟି ଘୋଷଣା କରିବେ ବୋଲି କହିଥିଲେ। କମିଟିରେ ସବୁ ଜିଲ୍ଲାକୁ ପ୍ରତିନିଧୂତ୍ବ ମିଳିବା ନେଇ ସ୍ପଷ୍ଟ ହୋଇଛି। ସେହିଭଳି ଯୁବଗୋଷ୍ଠୀଙ୍କୁ କମିଟିରେ ଗୁରୁତ୍ବ ଦିଆଯିବ ବୋଲି ପିସିସି ସଭାପତି କହିଥିଲେ। ଡୋର୍ ଟୁ ଡୋର୍ କ୍ୟାମ୍ପେନ କରି ପ୍ରଥମେ ରାଜ୍ୟର ସବୁ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛୁ । ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯିବ । ନିଜ ନିଜ ଦାୟିତ୍ବରେ ଥିବା ବିଧାନସଭା କ୍ଷେତ୍ରରେ ହାତକୁ ହାତ ଯୋଡ଼ ଯାତ୍ରା ପରିଚାଳନା କରିବେ ।