ଶରତଙ୍କ ଭାଲେଣି, ପ୍ରଭୁ ଇଏ କି ଅଗ୍ନି ପରୀକ୍ଷା ?

sarat pattnaik

ସବୁଠୁ ବଡ଼ ଦ୍ବନ୍ଦରେ ଶରତ ପଟ୍ଟନାୟକ । ହାଲକୁ ସଭାପତି ହେଇଛନ୍ତି। କମିଟି ଗଢ଼ା ହେଇନି । କେବେ ଗଢ଼ା ହବ ସେ ଗ୍ୟାରେଣ୍ଟି ଦେଇପାରିବେନି । ବ୍ରଜରାଜନଗରରେ ଦ୍ୱିତୀୟ ସ୍ଥାନରେ ହାତ ରହିବାରୁ ଯେଉଁ ଆନନ୍ଦ ଅନୁଭବ କରୁଥିଲେ ଶରତ, ଏବେ ଫିକା ପଡ଼ି ଯାଇସାରିବଣି । ଏତିକି ବେଳକୁ ମୁଖିଆଙ୍କର ବାଣ ମାରି ବାର ଥିଲା ? ମାନିଲେ ମଲେ, ନମାନିଲେ ଗଲେ।

ସଭାପତି ହବା ଆଗରୁ ଭାରି ଚର୍ଚ୍ଚା ମୁଖିଆଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୁଖିଆ ଚାହାନ୍ତି କି ହଜୁର ସଭାପତି । ଏତେ ଦିନ ରହିଲେ ବାବୁ ଅଲେଖ ଥରୁଟିଏ ମୁଖିଆଙ୍କୁ ମନଭରି ଶୋଧ ପାରି ପାରିଛନ୍ତି ? ଭବନ ଭିତରେ ପଶି ବାଡେଇଲା ପୁଲିସ । ଅଲେଖ ବାବୁ ସଭାପତି ଥାଇ ବିଭାଗୀୟ ମନ୍ତ୍ରୀ ମୁଖିଆଙ୍କ ବିରୋଧରେ ପାଟି ଖୋଲିପାରିଲେ ? ବସିଲେ ଧାରଣାରେ ? ଘେରାଉ ବଳେ ନିବାସ ? ତେଣୁ ହାତ ଦଳରେ ଚର୍ଚ୍ଚା ହଉଥଲା ଯେ, ଖଣି ଖାଦାନ ଅଛି, କାହିଁକି ପଙ୍ଗା ନେବେ ଅଲେଖ ?

ଭାଲୁ କି ମୋକିମ୍ ଦି' ଜଣ ଯାକ ମୁଖିଆଙ୍କ ବଡ଼ ବିରୋଧୀ। ତେଣୁ ଦଳ ଭିତରେ ସମର୍ଥନ ଥାଇ ବି ହେଇପାରିଲେନି ସଭାପତି। ଯିଏ ଦୀର୍ଘଦିନ ଧରି ଅକାମୀ ହେଇପଡ଼ିଥିଲେ, ହଠାତ ସିଏ ସଭାପତି ହେଇଗଲେ। ପୁଣି ଚର୍ଚ୍ଚା ହେଲା ଯେ, ଚେଲାଙ୍କୁ ଧରି ଶରତଙ୍କୁ ନବୀନ ସଭାପତି କରିଛନ୍ତି । ସତ କେତେ ମିଛ କେତେ ଜଗନ୍ନାଥ କାଣିଥିବେ। 

କିନ୍ତୁ ହଠାତ ତାଙ୍କୁ ଏମିତି ଅଗ୍ନି ପରୀକ୍ଷାରେ କାହିଁକି ପକାଇଦେଲେ ମୁଖିଆ ? ଦ୍ରୌପଦୀଙ୍କୁ ଶଙ୍ଖ ସମର୍ଥନ କରୁଛି କରୁ । ଆମେ ହେଲୁ ଜାତୀୟ ଦଳ, ସିହ୍ନାଙ୍କୁ ଦେବୁ ଭୋଟ । ଆମକୁ ମୁର୍ମୁଙ୍କୁ ଦିଅ, ମୁର୍ମୁଙ୍କୁ ଦିଅ ବୋଲି କାହିଁକି ଏତେଥର ରଟି ହଉଛନ୍ତି ମୁଖିଆ ? ପୁଣି ହାତ ଦଳର ୯ ଘରକୁ ଡୋର ଟୁ ଡୋର ପ୍ରଚାର କଲାଭଳି ନେତା ପଠେଇ ଦେଲେନି ମୁଖିଆ, ତାଙ୍କୁ ବି ଭେଟିଲେଣି । ଶରତ ଭାବୁଥିବେ ମଲା ମଣିଷ ! ଯଦି ଏପଟ ସେପଟ ହେଉ ହାତ ଘରୁ ଦୁଇ ତିନିଟି ଭୋଟ ସେପଟକୁ ଚାଲିଯାଏ, ତେବେ ବ୍ରଜରାଜନଗର ଲାଭ ପାଣିରେ ଯିବ । ଯଦି ନ ବି ଯାଏ, ତେବେ ଆସନ୍ତା ଭୋଟ ବେଳକୁ, ବାଜା ବଜେଇ ଶଙ୍ଖ ଓ ପଦ୍ମ କହିବୁଲିବେ ଯେ, ଏଇ ଦଳଟା ଆଦିବାସୀ ଓ ମହିଳା ବିରୋଧୀ । ଓଡ଼ିଆ କେହି ରାଷ୍ଟ୍ରପତି ହଉ ହାତ ଦଳ ଚାହେଁନି ।ସେତେବେଳକୁ ସମ୍ଭାଳିବ କିଏ ?

ଏକଥା ସେଇ ହାତ ଦଳରେ ଚର୍ଚ୍ଚା ହଉଛି ଯେ, ଶରତ ଓ ବବିଙ୍କ ଭିତରେ କୂଆଡ଼େ ହାଇ କନେକ୍‌ସନ୍ ଅଛି । ଜଣେ ବଡ଼ ବେପାରୀ ଦି'ଜଣଙ୍କ ଭିତରେ ବଡ଼ ଯୋଗସୂତ୍ର । ଯଦି ଏମିତି ଅବସ୍ଥାରେ ବାବୁ ଶରତ ଚାପଗ୍ରସ୍ତ ହେଇପଡ଼ନ୍ତି ତ ... ! ଦଳ ଭିତରେ ଏମିତିରେ ବିରୋଧୀଙ୍କ ଅଭାବ ନାହିଁ । ଲୁଚେଇକି ଭୋଟ ଦିଆଯିବ। ଯଦି ହାତ ଭୋଟ ସେପଟକୁ ଚାଲିଯାଏ, ତେବେ ଯଉଁ ଝଡ଼ ଉଠିବ ତାକୁ କେମିତି କରିହବ ସାମ୍ନା ?

Share this story