କିଏ କରୁଥିଲା କଂଗ୍ରେସରେ ଅନ୍ତର୍ଘାତୀ କାର୍ଯ୍ୟ ? ଗୁମର ଖୋଲିଲେ ଚେଲ୍ଲା କୁମାର

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ରାଜ୍ୟ ପ୍ରଭାରୀ ଚେଲାକୁମାର, ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି, ପୂର୍ବତନ ପିସିସି ସଭାପତି, ବରିଷ୍ଠ ନେତାଙ୍କ ସହ ଜିଲା ସଭାପତିମାନେ ଯୋଗଦେଇଥିଲେ। ବୈଠକରେ ଅନ୍ୟ ପ୍ରସଙ୍ଗ ଆଲୋଚନା ସହ ପଦ୍ମପୁର ଉପନିର୍ବାଚନ ଫଳାଫଳ ନେଇ ଚର୍ଚ୍ଚା ହୋଇଥିଲା। କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟର କାରଣ ସମ୍ପର୍କରେ ଖୋଦ୍ ଚେଲାକୁମାର ଗୁମର ଖୋଲିଥିଲେ। ସେ ବରିଷ୍ଠ ନେତାଙ୍କ ଉପରେ ବର୍ଷିବା ସହ କହିଥିଲେ ଯେ ମତଦାନ ପୂର୍ବରୁ ଦଳର ଜଣେ ବରିଷ୍ଠ ନେତା ତାଙ୍କୁ ଫୋନ କରିଥିଲେ। ନିର୍ବାଚନରେ ପ୍ରାର୍ଥୀ ଯାହା ଚାହୁଁଛନ୍ତି, ସେଭଳି କରିବାକୁ ପରାମର୍ଶ ଦେଇଥିଲେ। ହେଲେ ପ୍ରାର୍ଥୀ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ଏକ ପ୍ରକାର ଚେତାବନୀ ତାଙ୍କୁ ଦିଆଯାଇଥିଲା।
ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀଙ୍କ ଇଛା ଅନୁସାରେ କାର୍ଯ୍ୟ ହୋଇଥିଲା । ନିର୍ବାଚନ ପ୍ରଚାର ବେଳେ ସେ ନିଜେ ପଦ୍ମପୁର ଯାଇଥିଲେ। ସେଠାରେ ଯେଉଁ ଅବସ୍ଥା ଦେଖିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅନ୍ୟ ଦଳଗୁଡିକର ପୋଷ୍ଟର, ବ୍ୟାନର ନିର୍ବାଚନମଣ୍ଡଳୀରେ ଛାଇ ହୋଇଯାଇଥିବାବେଳେ କଂଗ୍ରେସର ପୋଷ୍ଟର ବ୍ୟାନର ସେଭଳି ଦେଖାଯାଇ ନ ଥିଲା । ନିର୍ବାଚନରେ କଂଗ୍ରେସ ଲଢ଼ୁଛି ବୋଲି ଲାଗୁ ନ ଥିଲା। ଏ ନେଇ ସେଠାରେ ପିସିସି ସଭାପତିଙ୍କ ଉପରେ ସେ ଖୁବ ବିରକ୍ତି ପ୍ରକାଶ କରିଥିଲେ ବୋଲି ବୈଠକରେ ନେତାଙ୍କୁ ଶୁଣାଇଥିଲେ। ସେ କହିଥିଲେ ଯେ ନିର୍ବାଚନରେ ଦଳର କିଛି ବରିଷ୍ଠ ନେତା ପ୍ରାର୍ଥୀଙ୍କ ସହ ମିଶି ଅନ୍ତର୍ଘାତୀ କାମ କଲେ। ଫଳରେ ଦଳର ଶୋଚନୀୟ ପରାଜୟ ଘଟିଲା । ଏହି ଘଟଣାକୁ ନେଇ ସେ କହିଥିଲେ ଯେ ଦଳ ପ୍ରତି ଏଭଳି କାର୍ଯ୍ୟ କରିବା ଯାହା ନିଜ ମାଆକୁ ବିକିବା ତାହା।
ଚେଲାକୁମାରଙ୍କ ଏଭଳି ମନ୍ତବ୍ୟ ପରେ ଦଳୀୟ ନେତାଙ୍କ ଗୁମର ଖୋଲି ଯାଇଥିଲା। କିଛି ବରିଷ୍ଠ ନେତା ଦଳରେ ଥାଇ ଅନ୍ୟ ଦଳ ପାଇଁ କାମ କରୁଥିବା ପରୋକ୍ଷରେ ସେ କହିଥିଲେ। କେଉଁ ବରିଷ୍ଠ ନେତା ଦଳଦ୍ରୋହୀ କାର୍ଯ୍ୟରେ ସଂପୃକ୍ତ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା। ଦଳକୁ ସଜାଡି ଦଳଦ୍ରୋହୀ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ବୈଠକ ପରେ ଗଣମାଧ୍ୟମ ଆଗରେ ଦଳରେ ସବୁ ଠିକ ଥିବା ବରିଷ୍ଠ ନେତାଙ୍କ ମନ୍ତବ୍ୟରୁ ଜଣାପଡୁଥିଲା, ପ୍ରକୃତରେ ସେଭଳି ନ ଥିଲା ।