ସତରେ କଣ' ବିକ୍ରି ହୋଇଛନ୍ତି ଶରତ ପଟ୍ଟନାୟକ ?
ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ନିଜ ପାରମ୍ପରିକ ଭୋଟ୍ ରଖିବାରେ ବିଫଳ ହୋଇ ଅମାନତ ହରାଇବା ପରେ ରାଜ୍ୟ କଂଗ୍ରେସରେ ସୃଷ୍ଟି ହୋଇଛି କମ୍ପନ । କଂଗ୍ରେସ ବିଧାୟକମାନେ ଦଳର ରାଜ୍ୟ ସୁପ୍ରିମୋ ଶରତ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସର ଗତି କୁଆଡ଼େ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆରୋପ ପ୍ରତ୍ୟାରୋପର ରାଜନୀତି ଭିତରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦଳ ବିରୋଧରେ ମନ୍ତବ୍ୟ ନଦେବାକୁ ନେତାଙ୍କୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ତାଙ୍କ କଥା କେହି କର୍ଣ୍ଣପାତ କରୁନାହାଁନ୍ତି।
ଏହିକ୍ରମରେ ସୋମବାର ଦଳର ଦୁଇ ପ୍ରମୁଖ ନେତା ତଥା ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ।ପଦ୍ମପୁରରେ ଦଳର ପାରମ୍ପରିକ ଭୋଟ୍ ବିକ୍ରି ପ୍ରସଙ୍ଗକୁ ନେଇ ଦୁଇ ବିଧାୟକଙ୍କ ମଧ୍ୟରେ ବିରୋଧାଭାଷ ଦେଖିବାକୁ ମିଳିଛି । ସୁରେଶ ରାଉତରାୟ କହିଛନ୍ତି ଯେ, କଂଗ୍ରେସର ପାରମ୍ପରିକ ୨୮ ହଜାର ଭୋଟ୍ ଗଲା କୁଆଡ଼େ। କଂଗ୍ରେସରେ ଡିଲ୍ ହୋଇଥିବା କଥା ଟି ସତ; କିଣାବିକା ନହୋଇ ଭୋଟ୍ କୁଆଡ଼େ ଯିବ ନାହିଁ।
ପଦ୍ମପୁରରେ ଦଳର ଏକ ସଶକ୍ତ ଭୋଟ୍ ବ୍ୟାଙ୍କ ରହିଥିଲା। ମାତ୍ର ସେଠାରେ ଆମେ ଅମାନତ ହରାଇଲୁ। ଏନେଇ ଦଳ ଭିତରେ ତଦନ୍ତ ହେବା ଦରକାର ବୋଲି ଶ୍ରୀରାଉତରାୟ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀରାଉତରାୟଙ୍କର ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି।
ସେ କହିଛନ୍ତି ଯେ ଡିଲ୍ କିଏ କରୁଛି ତାହା ସୁରେଶ ରାଉତରାୟ ସ୍ପଷ୍ଟ କରନ୍ତୁ। ନାଁ ନେଇ କୁହନ୍ତୁ, କେଉଁଠି ଓ କେମିତି ଡିଲ୍ ହେଲା। କଂଗ୍ରେସରେ ଏଭଳି ଆରୋପ ପ୍ରତ୍ୟାରୋପ ରାଜନୀତି ବନ୍ଦ ହେବା ଦରକାର। ଦଳୀୟ କନ୍ଦଳ ଯୋଗୁଁ କଂଗ୍ରେସ ଧ୍ବଂସ ପାଇବା ସ୍ଥିତିରେ ପହଞ୍ଚିଲାଣି। ଯଦି ପଦ୍ମପୁର ଉପନିର୍ବାଚନରେ ଭୋଟ ବିକ୍ରି ହୋଇଥିବା ସନ୍ଦେହ ରହିଛି, ତେବେ ଏନେଇ ରୁଦ୍ଧଦ୍ୱାର ବୈଠକ ହେଉ ।
ପିସିସି ସଭାପତି ବୈଠକ ଡାକି ପଦ୍ମପୁର ହାର୍ର ତର୍ଜମା କରନ୍ତୁ। ଯାହା ଫଳରେ ଆଗାମୀ ଦିନରେ କଂଗ୍ରେସର ସ୍ଥିତି ସୁଧରିବ। ଶରତ ପଟ୍ଟନାୟକଙ୍କୁ ଏନେଇ ପ୍ରସ୍ତାବ ଦେଇଛି । ପିସିସି ସଭାପତି ନୂଆଦିଲ୍ଲୀରୁ ଫେରିବା ପରେ କବାଟ କିଳା ତର୍ଜମା କରାଯିବ। ପିସିସି ସଭାପତିଙ୍କ ୯ରୁ ନବେ ସ୍ଲୋଗାନକୁ ମୁଁ ସ୍ବାଗତ କରୁଛି।
କଂଗ୍ରେସ କର୍ମୀଙ୍କ ଅବସ୍ଥା ଏବେ ଶୋଚନୀୟ ଏଣୁ ସାମଗ୍ରିକ ଭାବେ ଦଳକୁ ଆଗକୁ ନେବା ନେଇ ପଦକ୍ଷେପ ନିଆଯିବା ଦରକାର ବୋଲି ତାରା କହିଛନ୍ତି। ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନ ପରାଜୟର ତର୍ଜମା ହେବ। ଯାହାର ଯାହା ପ୍ରଶ୍ନ ଥିବ, ସେସମୟରେ ବୈଠକରେ ଉପସ୍ଥାପିତ କରିବେ। ଡିଲ୍ ହୋଇଥିବା ପ୍ରମାଣ ହେଲେ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ନେବ।