ମୁହଁ ଖୋଲିଲେ ନବୀନ : ବର୍ଷାକୁ ଗାଳି କଲ, ମୁଁ ବାଧ୍ୟ ହୋଇ ପଦ୍ମପୁର ଗଲି

barsa nabin

ପଦ୍ମପୁର ନିର୍ବାଚନରେ ବିଜେଡି ଜିତିବା ପରେ ବିଜେପିକୁ ଝଟକା ଦେଇଛନ୍ତି ବିଜେଡି ହାଇକମାଣ୍ଡ । ଖାଲି ଏତିକି ନୁହଁ ନିର୍ବାଚନ ପରେ ମଧ୍ୟ ବିଜେପିକୁ ତେରଚ୍ଛା ବାଣ ମଧ୍ୟ ମାରିଛନ୍ତି । ନବୀନ ନବୀନ ପଦ୍ମପୁରକୁ ଯାଇ ନର୍ବାଚନ ପ୍ରଚାର କରିବା ପରେ ବିଜେଡିକୁ ଅନେକ ସମାଲୋଚନା ହେବାକୁ ପଡିଥିଲା । କୁହାଯାଉଥିଲା ଧାମନଗର ଫଳାଫଳ ପରେ ବିଜେଡିର ବରିଷ୍ଠ ନେତାଙ୍କ ଉପରେ ହାଇକମାଣ୍ଡଙ୍କ ଭରଷା ତୁଟି ସାରିଛି । କିନ୍ତୁ ନିବୀନ ଏହାକୁ ନେଇ ନିର୍ବାଚନ ପରେ ବିଜେପି ତେରଚ୍ଛା ବାଣ ମାରିଥିଲେ । 


କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ନିର୍ବାଚନରେ ଯାଇ ନ ଥିଲେ, ବିଭିନ୍ନ ଉପନିର୍ବାଚନରେ ବି ଯାଇ ନ ଥିଲେ, ପଦ୍ମପୁର ନିର୍ବାଚନରେ କାହିଁକି ଗଲେ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ – ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା । ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ; ଓଡ଼ିଶାର ସବୁ ମହିଳାଙ୍କ ପାଇଁ ଦୁଃଖର କଥା । ରାଜନୀତିରେ ହାରିବା ଓ ଜିତିବା, ନିର୍ବାଚନ ଲଢ଼ିବା ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବାପାଙ୍କୁ ହରାଇଥିବା ବର୍ଷାଙ୍କ ପାଖରେ ଠିଆ ହେବି – ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି ।


ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ପରେ ପ୍ରତିକ୍ରିୟା ଦେବା ଅବସରରେ ବିଜେପିକୁ ଏମିତି ଭର୍ତ୍ସନା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହୁରି କହିଛନ୍ତି ଯେ ମୁଁ ବିରୋଧୀ ଦଳକୁ ବିଶେଷ କରି ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି, ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ । ଆଜି ନୁହେଁ, ସଦା ବେଳେ ।
ପୁଣି କେନ୍ଦ୍ର ମନ୍ତ୍ରୀମାନଙ୍କ ମନ୍ତବ୍ୟକୁ ସମାଲୋଚନା କରି ନବୀନ କହିଛନ୍ତି, ଆଉ ଗୋଟେ ଗୁରୁତ୍ୱପର୍ଣ୍ଣ କଥା ହେଲା କେନ୍ଦ୍ର ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀ ଓଡ଼ିଶାବାସୀଙ୍କୁ ବିଶେଷ କରି ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ସେ ଆବାସ ଯୋଜନା ହେଉ କି କେନ୍ଦୁପତ୍ରର ଜିଏସ୍‌ଟି ହେଉ, ବା ଫସଲ ବୀମାରେ ବିଳମ୍ବ ହେଉ, ଏମ୍‌ଏସ୍‌ପି ପ୍ରସଙ୍ଗ ହେଉ, ବା ରେଳ ସଂଯୋଗ ହେଉ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଠିକ୍ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା । ଓଡ଼ିଶାର ଉନ୍ନତି ପାଇଁ କାମ କରିବା ।


ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ବିଜୟ ପଦ୍ମପୁରବାସୀଙ୍କ ବିଜୟ । ବହୁତ ଶୀଘ୍ର ପଦ୍ମପୁର ଯାଇ ଲୋକଙ୍କ ଆଶୀର୍ବାଦ ନେବି । ଏହା ସହ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯିବ ।
ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଆପଣମାନେ ବହୁତ ବ୍ୟବସ୍ଥିତ ଓ ନିଷ୍ଠାର ସହ କାମ କରିଛନ୍ତି । ସରକାରଙ୍କ ଭଲ ଭଲ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି ।

Share this story