ଆକ୍ଟ ଅଫ ଗଡ଼ ଏବେ ଆକ୍ଟ ଅଫ ଫ୍ରଡ଼ : ସେମଲେସ ମୋଦି ନାଁ ରେ ଚାଲିଛି ଟ୍ରେଣ୍ଡିଂ
modi gujurat

ଟ୍ୱିଟରରେ ଜୋର ଧରିଛି ମୋଦି ଟ୍ରେଣ୍ଡିଂ । ଆକ୍ଟ ଅଫ ଗଡ଼, ଆକ୍ଟ ଅଫ ଫ୍ରଡ, ସେମଲେସ ଏବଂ ମୋଦି ଗୋ ବ୍ୟକ୍ ନାଁରେ ସୋସିଆଲ ମିଡିଆରେ ଛାଇଯାଇଛି ମୋଦି ବିରୋଧୀ ଟ୍ରେଂଡିଙ୍ଗ । ଟ୍ୱିଟର ୟୁଜର୍ସଙ୍କ ଠାରୁ ଆରମ୍ଭ କରି ଯେତେକ ରାଜନୈତିକ ବିରୋଧୀ ଦଳ ମୋଦିଙ୍କୁ କାଉଣ୍ଟର କରିଛନ୍ତି । ଟ୍ୱିଟର ୟୁଜର୍ସ ମୋଦି ସରକାରଙ୍କୁ ଭ୍ରଷ୍ଟାଚାରର ସରକାର କହିବା ସହ ଗୁଜୁରାଟର ନିମ୍ନ ମାନର ବିକାଶ ମଡେଲ କୁ ନିନ୍ଦା କରିଛନ୍ତି । ଦେଶକୁ ଜଣେ ଭଲ ପ୍ରଧାନ ମନ୍ତ୍ରୀର ଆବଶ୍ୟକତା ରହିଛି । ଜଣେ ଜୋକର କି ଫ୍ୟାସନ ଡିଜାଇନର ଆବଶ୍ୟକତା ନାହିଁ କହି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ୱିଟ କରିଛନ୍ତି ୟୁଜର୍ସ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୋରବି ଗସ୍ତ କରିଛନ୍ତି । ଘଟଣା ସ୍ଥଳ ଅନୁଧ୍ୟାନ କରିବା ପରେ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲୋକଙ୍କୁ ଭେଟିଛନ୍ତି । ସେପଟେ ମୋଦିଙ୍କ ହସ୍ପିଟାଲ ଗସ୍ତକୁ ନେଇ ତେଜିଛି ରାଜନୀତି । ମୋଦିଙ୍କ ମୋରବି ଦୁର୍ଘଟଣାସ୍ଥଳ ଯିବା ପୂର୍ବରୁ ଏଠିକାର ପ୍ରଶାସନ ଆକ୍ଟିଭ ହୋଇଯାଇଛି । ଏଠାରେ ଥିବା ସରକାରୀ ହସ୍ପିଟାଲର ରୂପରେଖ ବଦଳିଯାଇଛି । ମୋଦି ଆସିବେ ବୋଲି ହସ୍ପିଟାଲକୁ ଚହଟ ଚିକଣ କରିବା ପାଇଁ କାନ୍ଥରେ ରଙ୍ଗ ବୋଳା ଯାଇ ତାକୁ ଚକ ଚକ କରାଯାଇଛି ଯାହାକୁ ନେଇ ସରକାରଙ୍କୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି ବିରୋଧୀ । ବିଳମ୍ବିତ ରାତିରେ ଚାଲିଥିବା କାମର ଫୋଟୋ ସାମାଜିକ ଗଣମାଧ୍ୟମରେ ଜାରି କରି ବିଜେପିକୁ ଜୋରଦାର ଆକ୍ରମଣ କରିଛନ୍ତି ଉଭୟ କଂଗ୍ରେସ ଓ ଆପ । 

କଂଗ୍ରେସ ଏକ ସିଭିଲ ହସ୍ପିଟାଲର ଫୋଟୋ ସେୟାର କରି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଫୋଟୋ ସୁଟ ପାଇଁ ଏମିତି ପ୍ରସ୍ତୁତି ଚାଲିଛି । ଏହା ଟ୍ରାଜେଡିର ଇଭେଣ୍ଟ । ମୋଦି ହସ୍ପିଟାଲ ଗସ୍ତ କରିଥିବାବେଳେ ଏଠାରେ ରଙ୍ଗ ବୋଳା କାମ ଚାଲିଥିଲା । ରଙ୍ଗ ବେରଙ୍ଗର ଟାଇଲସ ଲଗାଯାଇଥିଲା । ମୋଦିଙ୍କ ଫୋଟୋ ସୁଟରେ ଯେମିତି କୌଣସି ତୃଟି ନ ରହୁ ଏହାର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏମାନଙ୍କୁ ଲଜ୍ଜ୍ୟା ଆସିବା କଥା । ଏତେ ଲୋକ ମରିଗଲେ ଆଉ ବିଜେପିର ଇଭେଣ୍ଟ କାମ ଚାଲିଛି କରି କଟାକ୍ଷ ଫିଂଗିଛି କଂଗ୍ରେସ । ସେହିପରି ଆପ ମଧ୍ୟ ସରକାରଙ୍କୁ ଟାର୍ଗେଟ କରି ଜୋରଦାର ବର୍ଷୀଛି । ୧୪୦ରୁ ଅଧିକ ଲୋକ ମରିଗଲେଣି, ଶତାଧିକ ନିଖୋଜ, ପ୍ରକୃତ ଦୋଷୀର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କିନ୍ତୁ ବିଜେପି ନିଜର ଫୋଟୋ ସୁଟ କରି ନିଜର ପବ୍ଲିସିଟି କାମ ଚଳାଇଛି ବୋଲି କହିବା ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଆମ ଆଦମୀ ପାର୍ଟି । 

ଦୁର୍ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିପଡିଛନ୍ତି ସେନା ନୌସେନା , ଏବଂ ବାୟୁସେନାର ଟିମ । ସେଦିନର ଦୃଶ୍ୟ ମନେପଡିଲେ ଆଜିବି ଛାତି ଥରି ଉଠୁଛି । ଭଙ୍ଗା ପୋଲ ଝୁଲି  ରହିଥିଲା ତ କିଏ ଫୁଣି ନଦୀକୁ ଖସି ପଡି ମୃତ୍ୟ ସହ ସଂଗ୍ରାମ କରୁଥିଲା । ଚାରି ଆଡୁ ବଞ୍ଚାଅ ବଞ୍ଚାଅ ଶବ୍ଦରେ କମ୍ପି ଉଠୁଥିଲା ପୁରା ସହର । ଗୁଜୁରାଟ ମୋରବି ପୋଲ ଦୁର୍ଘଟଣାରେ ଯେଉଁ ଲୋକଙ୍କ ମୃତ୍ୟ ହେଲା ତାହା ଅନେକ ପରିବାରକୁ ସାରାଜୀବନ ଦୁଃଖ ଦେଇଗଲା । ଝୁଲା ପୋଲ ଝିଡି ଯିବା ଘଟଣାରେ ସାରା ଦେଶ ଏବେ ସ୍ତବ୍ଦ । ଏହି ଘଟଣାରେ ଯାବତ ୧୪୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ନିରୀହ ଶିଶୁଥିବା ସୂଚନା ମିଳିଛି । କିଏ ବାପାଙ୍କୁ ହରାଇ କାନ୍ଦୁଛି ତ କିଏ ପରିବାର ହରାଇ କାନ୍ଦୁଛି । ଅନେକ ସଂସାରକୁ ଉଜାଡି ଦେଇଛି ଏହି ଅଶୁଭ ରବିବାର । ଏମିତିକି ଏହି ଦୁର୍ଘଟଣାରେ ରାଜକୋଟର ସାଂସଦଙ୍କ ପରିବାର ୧୨ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି । 

ଗୁଜୁରାଟ ସରକାର ମୋରବି ପୋଲ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାଲାଗି ନଭେମ୍ବର ଦୁଇ ତାରିଖରେ ରାଜ୍ୟ ବ୍ୟାପି ଶୋକ ଘୋଷଣା କରିଛନ୍ତି । ଦୁର୍ଘଟଣା ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

Share this story