ସଭିଙ୍କୁ ଭୁରି ଭୋଜନ ଦେଲେ, ହେଲେ ଅପରାଜିତାଙ୍କୁ ନିମନ୍ତ୍ରଣ ବି କଲେନି

aparajita

ଅପରାଜିତାଙ୍କୁ ମିଳିଲାନି ନିମନ୍ତ୍ରଣ ! ସଭାପତିଙ୍କ ଠାରୁ ଆରମ୍ଭକରି ପ୍ରଭାରୀ, ମନ୍ତ୍ରୀ, ସାଂସଦ ସମସ୍ତେ ରହିଲେ ହେଲେ ମ୍ୟାଡ଼ାମ ନଥିଲେ । ଭାରତୀୟ ଜନତା ପାର୍ଟିର ପ୍ରଦେଶ ସଭାପତି ସମୀର ମହାନ୍ତି ଅତ୍ୟନ୍ତ ସ୍ଥିର ଚିତ୍ତର ମଣିଷ। ଯିଏ ଯାହା କହିଲେ ବି ସିଏ କିଛି କହନ୍ତି ନାହିଁ, ଗାଳି ଦେଲେ ବି ଉତ୍ତର ଦିଅନ୍ତି ନାହିଁ । ଅତୀତରେ ପର୍ଯ୍ୟବେକ୍ଷକ ହୋଇ ସମ୍ବଲପୁର ଯାଇଥିବାବେଳେ ତାଙ୍କରି ଦଳର କିଛି ନେତାଙ୍କ ଇଙ୍ଗିତରେ ତାଙ୍କୁ ଆକ୍ରମଣ ହେଲା, ତଥାପି ସିଏ କିଛି ପ୍ରତିକ୍ରିୟା ଦେଲେ ନାହିଁ । ଭୋଟ ପୂର୍ବରୁ ଟିକେଟ ବଣ୍ଟନ ବେଳେ ତାଙ୍କ ଘରେ ଆକ୍ରମଣ ଘଟଣାରେ ବି ସମୀର ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କଲେ । ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ ପ୍ରସଙ୍ଗ ଆଉ ପଞ୍ଚାୟତ ବିପର୍ଯ୍ୟୟ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ତାଙ୍କୁ ହିନୀମାନ କଲେ ବି ସମୀର ପଦଟିଏ ବି ମୁଁହ ଖୋଲିଲେ ନାହିଁ । ହେଲେ ରାଷ୍ଟ୍ରୀୟ ସଭାପତିଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବା ସମୟରେ ସମୀର ଯେପରି ତାଙ୍କର ପୂର୍ବ ଅପମାନର ମଧୁର ପ୍ରତିଶୋଧ ନେଇଛନ୍ତି ତାହା ବାସ୍ତବରେ ଅକଳ୍ପନୀୟ ।

ଘଟଣାଟି ହେଉଛି ନିକଟରେ ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ଼ା ରାଜଧାନୀରେ ଏକ ସମାବେଶରେ ଯୋଗ ଦେବା ପରେ ତାଙ୍କୁ ସମୀର ଦଳୀୟ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । ରାଷ୍ଟ୍ରୀୟ ସଭାପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ପୁରଦେଶ୍ୱରୀ, ସୁନୀଲ ବଂଶଲ, ବିଜୟପାଲ ସିଂହ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ନିଜେ ସମୀର ଗୋଟିଏ ଟେବୁଲରେଏକତ୍ର ଭୋଜନ କରିଥିଲେ। 

ସେହିପରି ସାଂସଦ ସଙ୍ଗୀତା ସିଂହଦେଓ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀଙ୍କୁ ମଧ୍ଯ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ମାତ୍ର ସେହି ସମୟରେ ଭୁବନେଶ୍ବର ସାଂସଦଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା । ୟା’ଠୁ ଆଉ ବଡ଼ ପ୍ରତିଶୋଧ କ’ଣ ହୋଇପାରନ୍ତା ?

Share this story