ଓଡ଼ିଆ ମହିଳାଙ୍କୁ ଅପମାନିତ କରି ମରଦପଣିଆ ଦେଖାଉଛନ୍ତି କି ବିଜେପି ବିଧାୟକ ?

ଭାରତୀୟ ସଂସ୍କୃତିରେ ମହିଳାଙ୍କ ସ୍ଥାନ ଢ଼େର ଉଚ୍ଚରେ | ଦ୍ରୌପଦୀଙ୍କ ଅସମ୍ମାନ କୌରବ ବଂଶ ପତ୍ତନର କାରଣ ହୋଇଥିଲା । ସୀତାଙ୍କୁ ଅସମ୍ମାନ ମହାବଳଶାଳୀ ରାବଣର ସ୍ବର୍ଣ୍ଣ ଲଙ୍କାକୁ ଧ୍ୱଂସସ୍ତୁପରେ ପରିଣତ କରିଥିଲା । ଉଭୟ କୌରବ ବଂଶ ଓ ରାବଣଙ୍କ କୁଟୁମ୍ବ ବି ଲୋପ ପାଇଯାଇଥିଲା । ନିଜକୁ ରାମଭକ୍ତ ଦାବି କରୁଥିବା ପଦ୍ମ ଦଳିଆ କିଛି ବଡ଼ ନେତା ସବୁବେଳେ ପୁରାଣର ଉଦାହରଣ ଦିଅନ୍ତି ।
ମାତ୍ର ବଡ଼ ନେତାଙ୍କ ପୁରାଣ ଉପଦେଶ ଦଳର ନେତାମାନଙ୍କ ଉପରେ କାଣିଚାଏ ଯେ ପଡ଼ିନାହିଁ ତାହା ନିକଟରେ ଦେବଗଡ଼ରେ ଘଟିଥିବା ଘଟଣାରୁ ଜଳଜଳ ଦିଶୁଛି । ବଡ଼ ପଦରେ ଥାଇ ଦେବଗଡ଼ ସୁବାସ ଯେଉଁପ୍ରକାର ପାଚେରୀ ଭଙ୍ଗାରେ ମୁଖ୍ୟ ପୃଷ୍ଠପୋଷକ ସାଜିଲେ ତାହାକୁ ନେଇ ରାଜ୍ୟ ସାରା ଭାରି ଚର୍ଚ୍ଚା। ମା’ ମାନଙ୍କୁ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ଯାବତୀୟ ପ୍ରୟାସ କରୁଛନ୍ତି । ଏପରିକି ଧାନ ସଂଗ୍ରହଠାରୁ ଆରମ୍ଭ କରି ଟିକସ ଆଦାୟ ଛୋଟଛୋଟ କାମର ଠିକାଦାରୀ ପ୍ରଦାନ କରୁଛନ୍ତି । ଏହା ସୁବାସ ଓ ତାଙ୍କ ଅନୁଗାମୀଙ୍କ ପାଇଁ ଅସହ୍ୟ ହୋଇଛି।
ମିଶନଶକ୍ତିର ମହିଳା ଗୋଷ୍ଠୀଙ୍କ ଦ୍ବାରା ନିର୍ମିତ ପାଚେରୀକୁ ଶାବଳ, ଗଇଁତି, କୋଦାଳ ଧରି ସମସ୍ତଙ୍କ ଆଖ୍ ଆଗରେ ଭାଙ୍ଗି ପଦ୍ମ ଦଳିଆ ନେତା ଓ ତାଙ୍କ ଅନୁଗତ ଯେଉଁ ମରଦ ପଣିଆ ଦେଖାଇଛନ୍ତି; ତାହା କେତେ ଠିକ୍ ତାହା ନିଜ ବିବେକକୁ ପଚାରିଲେ ତାହାର ଉତ୍ତର ମିଳିଯିବ । ବାଘ ହେବାକୁ ହେଲେ ବାଘର ହୃଦୟ ରଖିବାକୁ ପଡ଼ିବ, ବିଲେଇ ହୃଦୟ ନେଇ କେହି କେବେ ବାଘ ହୋଇ ପାରେ କି ?