୨୪ରେ ବିରୋଧୀ ନୁହେଁ ବରଂ ବିଜେପିରେ ହେବ ଗ୍ରୁପ ଗ୍ରୁପ ଭିତରେ ଲଢେଇ

bjp neta

କିଏ ମାରିବ ବାଜି ? ନବୀନଙ୍କୁ କିଏ ଦେବ ଟକ୍କର । ବିଜେପିର ମଙ୍ଗ କିଏ ସମ୍ଭାଳିବେ । ୨୦୨୪ ପାଇଁ ବିଜେପି ସଙ୍ଗଠିତ ହେଉଛି ନା ବିଭାଜିତ ହେଉଛି? ସାଙ୍ଗଠନିକ ସ୍ଥିତି ସୁଦୃଢ ହେଉଛି ନା ଦଳୀୟ ଫାଟ ବଢି ବଢି ଚାଲିଛି? ଦଳୀୟ କାର୍ଯ୍ୟକ୍ରମ ଓ ବିଭିନ୍ନ ତୁଙ୍ଗ ନେତାଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ୁଛି, ବିଜେପି ମଧ୍ୟରେ ଫାଟ ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ସଙ୍ଗଠନକୁ ସୁଦୃଢ କରିବାର ଆବଶ୍ୟକତା ରହିଛି । ଏକଥା ଓଡ଼ିଶା ବିଜେପି ମୁଖିଆ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ତାଙ୍କର ଏହି ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଦଳ ଏବେ ପର୍ଯ୍ୟନ୍ତ ସୁସଙ୍ଗଠିତ ହୋଇନାହିଁ । ଅର୍ଥାତ୍ ନେତା ନେତାଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ରହିଛି । ଦଳ ଭିତରେ ବହୁ ଫାଟ ରହିଛି । ଯାହାର ଏକ ବଡ଼ ନମୂନା ହେଉଛି, ଓଡ଼ିଶାରେ ହକି ବିଶ୍ୱକପ୍ ଆୟୋଜନକୁ ନେଇ ବିଜେପିର ଦୁଇ ନେତାଙ୍କ ପରସ୍ପର ବିରୋଧୀ ମତ ଓ ମନ୍ତବ୍ୟ । ପ୍ରଥମେ ଶୁଣନ୍ତୁ ହକି ବିଶ୍ୱକପ ପାଇଁ ବସିଥିବା ସର୍ବଦଳୀୟ ବୈଠକରେ କ’ଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜନୀତି ଖେଳ ଯେତେ ଅଡୁଆ ହେଲେ ମଧ୍ୟ କିଛି ଦୃଶ୍ୟ ସ୍ପଷ୍ଟ ହୋଇଯାଏ । ଗୋଟେପଟେ ଓଡ଼ିଶାରେ ଦ୍ୱିତୀୟ ଥର ହକି ବିଶ୍ୱକପ୍ ଆୟୋଜନକୁ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ତାଙ୍କରି ଦଳର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମାନ ପ୍ରସଙ୍ଗରେ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କୁ କଟାକ୍ଷ କରି ଜୟନାରାୟଣ କହିଛନ୍ତି, ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି । ନବୀନ ପଟ୍ଟନାୟକ ବାରମ୍ବାର ହକି ଆୟୋଜନ କରି ଅଯଥା କାହିଁକି ଶ୍ରେୟ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଜାତୀୟ ଦଳରେ ଓଡ଼ିଆ ଖେଳାଳୀଙ୍କ ସଂଖ୍ୟା କମୁଥିବା ନେଇ ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

ଓଡ଼ିଶା ବିଜେପି ଫାଟ କେବଳ ଏହି ଘଟଣାରୁ ଜଣାପଡ଼ୁନି । ଇଏ ତ ଥିଲା ଗୋଟିଏ ଫାଟ । ଆଉ ଗୋଟିଏ ଫାଟ ଯଦି ଦେଖିବା, ସୁରେଶ ପୂଜାରୀ କାଳେ ଭିନ୍ନ ଗୋଠରେ ଚାଲିଛନ୍ତି । ଆଉ ଅପରାଜିତା ଷଡ଼ଙ୍ଗୀ ତ ଭିନ୍ନ ଗୋଠରେ ଚାଲିଛନ୍ତି । ସେ କାଳେ କେଉଁ ଗୋଠରେ ନାହାନ୍ତି । ସେ ବି ବିଜେପିରେ କାଳେ ଗୋଟିଏ ଫାଟ । ଆଉ ସେପଟେ ପ୍ରତାପ ଷଡଙ୍ଗୀ ଓରଫ୍ ନନା ବି କାଳେ ଆଉ ଗୋଟିଏ ଫାଟ । ଓଡ଼ିଶାରେ ବିଜେପିରେ ଏଭଳି ଫାଟକୁ ଦେଖି ପ୍ରଶ୍ନ ଆସୁଛି, ୨୪ ପାଇଁ ଏମାନେ ଜୋଡି ହେଉଛନ୍ତି, ନା ଫାଟିକି ବିଜେଡିକୁ କ୍ଷମତା ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି । ଏହା ଏବେ ବଡ଼ ପ୍ରଶ୍ନ । କିଏ କେଉଁଠି, କେତେ ଆସନରେ ଜିତିବ ସେନେଇ ରାଜନୈତିକ ବୟାନବାଜି ଚାଲିଥିବା ବେଳେ ଆଗକୁ ଓଡ଼ିଶାରେ ରାଜନୈତିକ ମାହୋଲ ଆହୁରି ସରଗରମ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Share this story