ବିଜେଡି ବିଧାୟକଙ୍କ ଉପରେ ସୁପ୍ରିମୋଙ୍କ ଭରଷା ନାହିଁ : ୨୪ ପାଇଁ ଲୋକଙ୍କ ସହ ସିଧା ଯୋଡି ହେବେ ନବୀନ

nabin pattnaik odisha

ଆଗକୁ ବିଜେଡିରେ ବଡ ଧରଣର ଅଦଳବଦଳ ହେବାକୁ ଥିବା ଚର୍ଚ୍ଚା ହେଉଛି । ସାଂଗଠନିକ କ୍ଷେତ୍ର ଠାରୁ ଆରମ୍ଭ କରି ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ । ବିଜେପିର ଧାମନଗର ମଡେଲକୁ ନେଇ ଚର୍ଚ୍ଚା ଉଠିବା ପରେ ଏବେ ବିଜେଡି ଦଳ ବଡ ଆକ୍ସନ ନେଇପାରେ । ପୂର୍ବରୁ ନେତା ମନ୍ତ୍ରୀ ଓ ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଏକ ମଧ୍ୟସ୍ଥି ଭୂମିକା ତୁଲାଇଥିଲେ । କିନ୍ତୁ ଧାମନଗର ନିର୍ବାଚନରେ ପରାଜୟ ପରେ ଏବେ ନବୀନ ଜନସାଧାରଣ ଓ ତୃଣମୂଳ ସ୍ତରର ନେତାଙ୍କ ମଧ୍ୟରେ ସିଧାସଳଖ ଯୋଡି ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ୨୪ରେ ବାଜିମାତ କରିବା ପାଇଁ ଦଳ କଳ ବଳ କୌଶଳ ସବୁ ଲଗାଇ ଦେଇଛି । ପଂଚାୟତ ଓ ପୌର ନିର୍ବାଚନରେ ବିପୁଳ ଭୋଟ ହାସଲ କରିବା ପରେ ଦଳ କ୍ଷମତା ଦାଖଲ କରିବା ନିଶ୍ଚିନ୍ତ ବୋଲି ମନେକରାଯାଉଥିଲା । କିନ୍ତୁ ଧାମନଗର ପରାଜୟ ଓ ପଦ୍ମପୁରରେ କଡା ଟକ୍କର ଦଳର ଉତ୍ସାହରେ ଭଟ୍ଟା ପକାଇଦେଇଛି । 

ଅନ୍ୟପଟେ ଓଡିଶା ଉପରେ ଏବେ ଫୋକସ କରିଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ବିଜେଡି ଏବେ ନୂଆ ରଣନୀତି ଆରମ୍ଭ କରିଛି । ନିର୍ବାଚନକୁ ଆହୁରି ଅନେକ ସମୟ ଥିଲେ ବି ଦଳ ପ୍ରାରମ୍ଭିକ ସର୍ଭେ ପକ୍ରିୟା ଆରମ୍ଭ କରିଛି । କେଉଁ ନିର୍ବାଚନ ମଣ୍ଡଳୀରେ ଦଳର କେତେ ଦାମ ଅଛି । ତାହାକୁ ଅନୁଶୀଳନ କରାଯାଉଛି । ବିଧାୟକଙ୍କ ଉପରେ ଭୋଟର ମାନେ କେତେ ସନ୍ତୁଷ୍ଟ ତାହା ବି ମାପୁଛି ବିଜେଡି । ଯେଉଁ ଯେଉଁ ସ୍ଥାନରେ ଦଳର ସ୍ଥିତି ଠିକ ନାହିଁ ସେଠାରେ ନେତୃତ୍ୱ ବଦଳାଇବାକୁ ନିଷ୍ପତି ନିଆଯାଇଛି । ଅନ୍ୟଦଳର ଟାଣୁଆ ନେତାଙ୍କୁ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ କରିବା ପାଇଁ ଦଳ ଯୋଜନା କରୁଛି । ପୂର୍ବ ନିର୍ବାଚନରେ କାମ ଭୋଟରେ ଜିତିଥିବା ବିଧାୟକଙ୍କ ସ୍ଥିତି ଏବେ ଭଲ ନାହିଁ । ୨୦୧୯ରେ କିଛି ବିଧାୟକ ୫୦୦୦ରୁ କମ ବ୍ୟବଧାନରେ ଜିତିଥିଲେ ଆଉ କିଛି ୧୦ରୁ ୧୫ ହଜାର ବ୍ୟବଧାନରେ । ଏହି ସବୁ ଆସନରେ ଦଳୀୟ କନ୍ଦଳ ଓ ବିରୋଧୀଙ୍କ ପତିଆରା ବୃଦ୍ଧି ଯୋଗୁଁ ବିଧାୟକଙ୍କ ସ୍ଥିତି ଦୋହଲି ଯାଇଛି । 

୨୦୨୪ରେ ବିଜେଡି ଅଧା ଆସନରେ ନୂଆ ପ୍ରାର୍ଥୀ ଦେବ । ତେଣୁ ନୂଆ ଚେହେରାକୁ ନେଇ ଅଙ୍କ କଷା ଚାଲିଛି । ନୂଆ ପ୍ରାର୍ଥୀ କେତେ ଭୋଟ ଆଣିପାରିବେ ଟିକେଟ ନ ପାଇଲେ ବିଧାୟକ ମାନେ ବିଦ୍ରୋହ କରିବେ କି ନାହିଁ ? ବିଦ୍ରୋହ କଲେ ଦଳର କେତେ ଭୋଟ କାଟିବ । ଏ ନେଇ ସବୁ ଦିଗକୁ ନେଇ ଅଙ୍କ କଷୁଛି ବିଜୁ ଜନତା ଦଳ । ଏହାଛଡା ବିଜେପି କେଉଁ କେଉଁ ବିଧାୟକ ବା ନେତାଙ୍କ ଉପରେ ଆଖି ରଖିଛି ସେ ନେଇ ବି ସର୍ଭେ ହେଉଛି । ବିଜେଡିର ଅନ୍ତର୍ଦ୍ୱନ୍ଦ ଯୋଗୁଁ କେତେ ଭୋଟ କମିବ, ଏହାର କ୍ଷତି ଭରଣା ପାଇଁ ବିଜେପି ଓ କଂଗ୍ରେସ କେତେ ଭାଙ୍ଗିଯାଇପାରିବ ସେ ନେଇ ବି ରଣନୀତି କରାଯାଉଛି । କାହିଁକି ନା ବିଜେଡି ଭଳି ବିଜେପି ଓ କଂଗ୍ରେସରେ ବି ଦଳୀୟ କନ୍ଦଳ ଲାଗିରହିଛି । 

ନିର୍ବାଚନରେ ଟିକେଟ ମିଳିଲେ ବିଜୟୀ ହେବାର ସମ୍ଭାବନା ଥାଉ କି ନଥାଉ ଦଳୀୟ ଟିକେଟ ହାତେଇବା ପାଇଁ ବିଜେପି ଓ କଂଗ୍ରେସରେ ମଧ୍ୟ ନେତା ମାନେ କସରତ କରୁଛନ୍ତି । ବିଜେଡି ଅଧା ବିଧାୟକଙ୍କ ଟିକେଟ କାଟିବାକୁ ଯାଉଥିବା ବେଳେ ଏବେ ନେତାଙ୍କ ମନରେ ଭାଳେଣି ପଡିଯାଇଛି। ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ସେମାନେ ବି ଢେର କସରତ ଜାରି ରଖିଛନ୍ତି । ତେବେ ନିର୍ବାଚନ ସମୟ ବେଳକୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁଦୃଷ୍ଟି କାହା ଉପରେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

Share this story