ଉମେଶ ଜେନାଙ୍କ ଇସ୍ତଫା ପରେ ୨୦୨୪ରେ ବଦଳିବ ସମୀକରଣ

ବରୀ ବିଧାନସଭା କ୍ଷେତ୍ରର ୨୦୧୯ କଂଗ୍ରେସ ପ୍ରାର୍ଥୀ ଉମେଶ ଜେନା ଆଜି କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଉମେଶ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ଆଭାସ ମିଳୁଛି। ବରୀର ୨୦୧୯ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ଵ ମଲ୍ଲିକ ବର୍ଷକ ତଳୁ ବିଜେଡିରେ ସାମିଲ ହୋଇଛନ୍ତି । ବିଶ୍ଵଙ୍କ ଶୂନ୍ୟ ସ୍ଥାନ ପୂରଣ କରିବାକୁ କଂଗ୍ରେସ ପ୍ରାର୍ଥୀ ଉମେଶ ଜେନାଙ୍କୁ ବିଜେପି ଅଧିଗ୍ରହଣ କରିଥିବାର ବରୀରେ ଆଲୋଚନା ହେଉଛି । ୨୦୧୯ରେ ବିଜେଡିରୁ ସୁନନ୍ଦା ଦାସ, ବିଜେପିରୁ ବିଶ୍ଵ ମଲ୍ଲିକ ଓ କଂଗ୍ରେସରୁ ଉମେଶ ଜେନାବିଧାନସଭା ନିର୍ବାଚନ ଲଢ଼ି ଥିଲେ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଶ୍ବ ବିଜେଡି, ଉମେଶ ବିଜେପିରୁ ନିର୍ବାଚନ ଲଢ଼ିବା ପାଇଁ ଆଗଭର ହେଉଛନ୍ତି। ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଓ ଏବର ବିଧାୟିକା ସୁନନ୍ଦାଙ୍କ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ କିଭଳି ରହିବ, ତାହାର ଚିତ୍ର ସମ୍ପ୍ରତି ଅସ୍ପଷ୍ଟ ।
ବିଜେଡିରେ ବିଶ୍ବଙ୍କ ମିଶ୍ରଣ, କଂଗ୍ରେସରୁ ଉମେଶଙ୍କ ଇସ୍ତଫା ବରୀ ରାଜନୀତିରେ ‘ଦଳଡିଆଁ ଖେଳ’ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ବରୀ ରାଜନୀତିରେ ବିଗତ ୬ ବର୍ଷ ମଧ୍ୟରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ୨୦୧୪ରେ ବିଶ୍ଵ ମଲ୍ଲିକ କଂଗ୍ରେସରୁ ପ୍ରାର୍ଥୀ ହୋଇ ନ ପାରି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଲେ । ୨୦୧୯ରେ ବିଜେପି ଟିକେଟ୍ରେ ବିଶ୍ବ ନିର୍ବାଚନ ଲଢ଼ି ମାତ୍ର ଅଳ୍ପ ଭୋଟ୍ ବ୍ୟବଧାନରେ ବିଜେଡି ଠାରୁ ହାରି ଯାଇଥିଲେ । ଇତି ମଧ୍ୟରେ ବିଶ୍ଵ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ଯୋଗ ଦେବା ବେଳେ ବିଜେଡି ଉଚ୍ଚ ନେତୃତ୍ବଙ୍କ ସହ ହୋଇଥିବା ଗୋପନ ଆଲୋଚନା ମୁତାବକ ବିଶ୍ବ ହିଁ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ।
ବିଜେଡିର ଦୁଇ ଦଶନ୍ଧି ନେତା ତଥା ତତ୍କାଳୀନ ବିଧାୟକ ଦେବାଶିଷ ନାୟକଙ୍କୁ ବିଜେଡି ୨୦୧୯ରେ କୋଣଠେସା କରି ସୁନନ୍ଦା ଦାସଙ୍କୁ ବିଜେଡି ଟିକେଟ୍ ପ୍ରଦାନ କରିଥିଲା । ନିର୍ବାଚନର ଅଳ୍ପ କେଇଦିନ ପୂର୍ବରୁ ସୁନନ୍ଦା ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ଓ ବିଜେଡି ତାଙ୍କୁ କଠିନ ପରିଶ୍ରମ କରି ବିଧାୟିକା ଭାବେ ନିର୍ବାଚିତ କରିଥିଲା । ୨୦୧୯ ର ବିଜେଡି କଡା ଟକ୍କରକୁ ସାମ୍ନା କରିବା ବରୀରେ ‘ କର ବା ମର’ ଲଢ଼େଇ କରିଥିଲା। ନିର୍ବାଚନ ପରେ ବିଜେଡିକୁ ବରୀରେ ନିଷ୍କଣ୍ଟ କରିବା ପାଇଁ ବିଶ୍ୱଙ୍କୁ ବିଜେଡି ଅଧିଗ୍ରହଣ କରିଛି ।
ବିଶ୍ବ ବିଜେପି ଛାଡ଼ିବା ପରେ ବରୀରେ ବିଜେପି ସଂଗଠନକୁ ତୃଣମୂଳସ୍ତରୀୟ କର୍ମୀ ହିଁ ସମ୍ଭାଳି ରଖିଛନ୍ତି। ସୁନନ୍ଦା ଓ ବିଶ୍ବଙ୍କୁ ବିଜେଡି ଅଧିଗ୍ରହଣ କରିବା ପରେ ମଧ୍ୟ ବରୀରେ ବିଜେପି ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ଭଲ ଭୋଟ୍ ଅମଳ କରିଥିଲା।୨୦୧୯ରେ ବିଜେପି ୪୫% ଭୋଟ୍ ପାଇଥିବା ସ୍ଥଳେ, ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନ ବେଳକୁ ଏହା ୧୧% ହ୍ରାସ ପାଇଥିଲା। ୨୦୨୨ରେ ବରୀ ନିର୍ବାଚନ ମଣ୍ଡଳୀରେ ବିଜେପି ୩୪% ଭୋଟ୍ ପାଇବାକୁ ସମର୍ଥ ହୋଇଥିଲା। ୨୦୧୯ରେ କଂଗ୍ରେସ ବରୀରେ ମାତ୍ର ୫% ଭୋଟ୍ ପାଇବାକୁ ସମର୍ଥ ହୋଇଥିଲା। ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ଅପ୍ରତ୍ୟାଶିତ ଭାବେ ୧୭% ଭୋଟ୍ ଅମଳ କରିଛି। ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ୧୨% ଭୋଟ୍ ଅଧିକ ଭୋଟ୍ ପାଇବାକୁ ସମର୍ଥ ହୋଇଛି । ଏହି ୧୨% ଭୋଟ୍ ମଧ୍ୟରେ ବିଜେପିର ୧୧% ଓ କଂଗ୍ରେସର ୧% ଭୋଟ୍ ସାମିଲ ରହିଛି। ସାରା ଓଡ଼ିଶାରେ କଂଗ୍ରେସ ଭୋଟ୍ ମୁଣିକୁ ବିଜେଡି ଓ ବିଜେପି ହାତେଇ ନେଇଥିବା ବେଳେ, ବରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବରୀରେ କଂଗ୍ରେସ ଉଭୟ ବିଜେଡି ଓ ବିଜେପି ଭୋଟ୍ବ୍ୟାଙ୍କ ଉପରେ ହାତ ମାରିବାକୁ ସମର୍ଥ ହୋଇଥିଲା।
ବରୀର କଂଗ୍ରେସ ନେତା ଉମେଶ ଜେନା ଦଳତ୍ୟାଗ କରିବା ପରେ କଂଗ୍ରେସ ସଂଗଠନ ଧରାଶାୟୀ ହେବା ଥୟ । ଆଗାମୀ ନିର୍ବାଚନରେ ବରୀ କ୍ଷେତ୍ରରେ ବିଜେଡି-ବିଜେପି ଦ୍ଵିମୁଖୀ ପ୍ରତିଦ୍ବନ୍ଦ୍ବତା ପାଇଁ ରାଜନୈତିକ ବାତାବରଣ ସୃଷ୍ଟି ହେଉଛି। ଉମେଶ ବିଜେପିରେ ମିଶିବା ପରେ ବିଜେପିର ପାରମ୍ପରିକ ୩୪% ଭୋଟ୍ ସହ ଉମେଶଙ୍କ ସଂଯୋଜନାରେ ୨୦୨୨ରେ ମିଳିଥିବା ୧୭% କଂଗ୍ରେସ ଭୋଟ୍ ଯଦି ଏକତ୍ର ହେବ, ତେବେ ବିଜେଡି ପାଇଁ ଏହା ଶକ୍ତ ଆହ୍ୱାନ ସୃଷ୍ଟି କରି ପାରେ । ବିଜେଡିରେ ସୁନନ୍ଦା ଓ ବିଶ୍ଵଙ୍କ ମିଳିତ ସହଯୋଗରେ ଜିଲ୍ଲା ପରିଷଦ ନିର୍ବାଚନରେ ୫୦% ଭୋଟ୍ ଅମଳ କରି ପାରି ନାହିଁ । ଏଭଳି ସ୍ଥିତିରେ କଂଗ୍ରେସ ଭିଭିଭୂମିକୁ ବିଜେପି ଅଧିଗ୍ରହଣ କରିବାକୁ ଉଦ୍ୟମ ଆରମ୍ଭ କରିଛି । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ବରୀର ଶୂନ୍ୟତାକୁ ଉମେଶଙ୍କ ଜରିଆରେ ପୂରଣ
କରିବାକୁ ସମ୍ପ୍ରତି ଉଦ୍ୟମ କରିଛି।