ଗୋଟିଏ ମଞ୍ଚରେ ଏକାଠି ହେଉ ନାହାନ୍ତି ସୁନନ୍ଦା ଓ ବିଶ୍ୱ 

Jajpur

ଯୌଥ ନେତୃତ୍ବରେ ଛନ୍ଦି ହୋଇଯାଇଛି ବରୀ ବିଜେଡ଼ି । ଫଳସ୍ୱରୂପ ଗୋଟିଏ ଦଳର ହୋଇଥିଲେ ବି ବିଧାୟିକା ସୁନନ୍ଦା ଦାସ କି ଯୁବ ନେତା ବିଶ୍ୱରଂଜନ ମଲିକ ଗୋଟିଏ ମଞ୍ଚରେ ଏକାଠି ହେଉନାହାନ୍ତି । ଯାହାର ପ୍ରଭାବ ଦଳୀୟ କର୍ମୀ ଏବଂ ବିଜେଡ଼ିକୁ ଭଲ ପାଉଥିବା ମହଲ ଉପରେ ପଡ଼ୁଛି । ସୁନନ୍ଦା ଏବଂ ବିଶୁଙ୍କ ମଧ୍ୟରେ ଥିବା ଦୂରତା ବା ଅନ୍ତବିବାଦକୁ ବିଜେଡ଼ି ଉପରିସ୍ଥ  ନେତୃତ୍ବ ଭଲଭାବେ ବୁଝିଥିଲେ ହେଁ ଏହାର ସମାଧାନ ବାଟ ଖୋଳାଯାଇନି । ସୁନନ୍ଦା-ବିଶ୍ବ କେହି କାହା ଛାଇକୁ ସହଜରେ ଗ୍ରହଣ କରିବା ମୁଡ଼ରେ ନାହାନ୍ତି । ଏହି କାରଣରୁ ବରୀ ବିଜେଡ଼ିର କନ୍ଦଳ ବାରମ୍ବାର ପଦାରେ ପଡ଼ିବାରେ ଲାଗିଛି । ଏଥିରୁ ବିରୋଧୀ କେତେ ଫାଇଦା ଉଠାଇବ ତାହାତ ସମୟ କହିବ, କିନ୍ତୁ ଯୌଥ ନେତୃତ୍ବ ବରୀ ବିଜେଡ଼ିକୁ କଳିମୁକ୍ତ କରିପାରୁନି । ଯାହାର ଉଦାହରଣ ଗତକାଲି ପୁଣି ଥରେ ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡିରେ ଦଳର ୨୫ ବର୍ଷ ପୂର୍ତି ଏବଂ ୨୬ତମ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା ।


ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ, ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ବିଜୁ ଜନତା ଦଳର ରାଜ୍ୟ  ସଭାନେତ୍ରୀ ତଥା ବିଧ।ୟିକା  ସ୍ନେହାଙ୍ଗୀନି ଛୁରିଆ, ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥୀ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବରୀ ବିଧାୟିକା ସୁନନ୍ଦା ଦାସ, ବିଜେଡି ସଂଯୋଳକ ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ ହେଁ ବିଶ୍ୱଙ୍କ  ଅନୁପସ୍ଥିତ ବେଶ୍ କିଛି ଦିନର ବ୍ୟବଧାନ ପରେ ପୁଣି ବରୀରେ ଆରମ୍ଭ ହୋଇଯାଇଛି ବିଶ୍ଵ ସୁନନ୍ଦା ବିବାଦ ବୋଲି ଚର୍ଚା ହୋଇଥିଲା।

ପଞ୍ଚାୟତ ନିର୍ବାଚନ ପରେ ପ୍ରାୟତଃ ଉଭୟ ନିରବ ଥିବାବେଳେ ଏବେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁନନ୍ଦା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆଗେଇ ଆସିଥିବା ବେଳେ ବିଶ୍ୱ ଅନୁପସ୍ଥିତ ବିଜେଡିରେ ଲାଗି ରହିଥିବା ଭୟଙ୍କର ଗୋଷ୍ଠି ବିବାଦକୁ ପ୍ରମାଣିତ କରିଛି । ସୁନନ୍ଦା-ବିଶ୍ରଙ୍କ ନେତୃତ୍ବରେ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଭୋଟ ପ୍ରତିଶତ ଯେତିକି ହେବାକଥା ତାହା ହେଲାନାହିଁ । ୨୦୧୯ରେ ବିଜେଡି ୪୮ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେବି ୪୫ ପ୍ରତିଶତ ଭୋଟ ହାତେଇଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଶ୍ୱ ବିଜେଡିରେ ମିଶିବା ସତ୍ତ୍ବେ ମାତ୍ର ୧ ପ୍ରତିଶତ ଭୋଟ ବିଜେଡିରେ ବଢି ୪୯ ପ୍ରତିଶତ ହୋଇଥିଲା । 

 ବିଷ୍ଣୁଙ୍କ ଦଳରେ ମିଶିବା ଦିନରୁ ଏଯାଏ ଉଭୟ ନେତା କୌଣସି ମଞ୍ଚରେ ଏକାଠି ହୋଇନଥିବା ବେଳେ ଦଳ କିନ୍ତୁ ଏକାଠି ଅଛି ଆଉ ସୁଦୃଢ ଅଛି ବୋଲି କୁହାଯିବା ପ୍ରଶ୍ନ ସୃଷ୍ଟି ହୋଇଛି । ବିଷ୍ଣୁଙ୍କ ଅନୁପସ୍ଥିତ ବୁଝାଇ ଦେଉଛି ବରୀରେ ବିଜେଡି ଗୋଟିଏ ହୋଇ ନାହିଁ । ଆସନ୍ତା ସାଧାରଣ ନିର୍ବାଚନ ଆଇ ବର୍ଷଟିଏ ପରେ ହେଲେ ଏଯାଏ ଦଳ ଚେତିଲା ନାହିଁ, ବରାବର ସମାନ୍ତରାଳ ଭାବରେ ଦୁଇ ନେତୃତ୍ବ ନିଜର ପତିଆରା ଜାରୀ ରଖୁବା ଆଗାମୀ ଦିନରେ ଦଳପାଇଁ ମହଙ୍ଗା ପଡିପାରେ ବୋଲି ଚର୍ଚ୍ଚା ହେଉଛି।

Share this story