ଅନଙ୍ଗ,କଳିକେଶ,ଅର୍କେଶ ନୁହେଁ ବଲାଙ୍ଗୀର ରାଜନୀତିରେ ଟୁକୁନି, ସରୋଜଙ୍କ ବଢୁଛି ଦବଦବା
ଅନଙ୍ଗ, କଳିକେଶ ଓ ଅର୍କେଶ ଏହି ନାଁ ହିଁ ଯଥେଷ୍ଟ । ରାଜ ପରିବାର, ବଲାଙ୍ଗୀର ରାଜନୀତିରେ କେବଳ ନୁହେଁ ଓଡିଶା ରାଜନୀତିରେ ଏହି ପରିବାରର ପତିଆରାର ପ୍ରଭାବ ବେଶ ଉଣା ଅଧିକ ସମସ୍ତଙ୍କୁ ଜଣା । ଅନଙ୍ଗ ଉଦୟ ସିଂ ଦେଓ ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସାଂସଦ । ଅନଙ୍ଗଙ୍କ ଆଉ ଏକ ପରିଚୟ ହେଉଛି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବନ୍ଧୁ । ୨୦୧୯ ଯାଏଁ ଅନଙ୍ଗ ଓ ତାଙ୍କ ଦୁଇପୁଅଙ୍କ ରାଜନୈତିକ ପ୍ରଭାବ ବେଶ ପାରି ହୋଇପଡିଥିଲା । କିନ୍ତୁ ୨୦୧୯ ପରଠୁ ଯେମିତି ଏହି ରାଜ ପରିବାର କୋଣଠେସା ହେଲା ଭଳି ଲାଗୁଛି । ଆଉ ଏମାନଙ୍କ ସ୍ଥାନ ନେଇ ସାରିଲେଣି ଟୁକୁନି ସାହୁ ଓ ସରୋଜ ମେହେର । ତା ସହ ନବୀନଙ୍କ ଭରଷାରେ ପାତ୍ର ସାଜି ସାରିଛନ୍ତି ନିରଞ୍ଜନ ବିଶି । କାରଣ ୧୯ରେ ବଲାଙ୍ଗୀର ଲୋକସଭା ଆସନରୁ ହାରିଯାଇଥିଲେ କଳିକେଶ । ନିଜ ଭାଉଜ ସଙ୍ଗୀତା ସିଂହଦେଓଙ୍କ ଠାରୁ ହାରିଯାଇଥିଲେ କଳିକେଶ । ସାନଭାଇ ଅର୍କେଶ ବଲାଙ୍ଗୀର ବିଧାନସଭା ଆସନରୁ ଡେବ୍ୟୁ କରିଥିଲେ । କିନ୍ତୁ ଭେଟେରାନ ନରସିଂହଙ୍କ ଆଗରେ ତିଷ୍ଠି ପାରିନଥିଲେ ଅର୍କେଶ । ୨୦୧୪ରେ ବାପା ଅନଙ୍ଗଙ୍କୁ ହରାଇଥିଲେ ଆଉ ୨୦୧୯ରେ ପୁଅକୁ ପରାସ୍ତ କରିଥିଲେ ନରସିଂହ ।
ଆଉ ପରାଜୟର ଧାରା ଆରମ୍ଭକୁ ତାଳ ଦେଇ ପତିଆରା ଓ ରାଜନୈତିକ ପ୍ରତିପତ୍ତି ଯେମିତି ଧୀରେ ଧୀରେ ମିଳାଇବାକୁ ବସିଛି ଏହି ରାଜ ପରିବାରରେ । ୧୯ ନିର୍ବାଚନ ଯେମିତି ଅନଙ୍ଗ ଆଉ ତାଙ୍କ ଦୁଇ ପୁଅ ଲାଗି ଅନଲକି ରହିଲା । ତିନି-ତିନିଟା ପିଢ଼ି ତଥା ବିଗତ ସତ ଦଶନ୍ଧି ଧରି ବଲାଙ୍ଗୀର ରାଜନୀତିକୁ ନିୟନ୍ତ୍ରଣ କରିଆସୁଥିବା ଏହି ରାଜ ପରିବାର ଆଜି ଯେମିତି ସଂକୁଚିତ ଓ ସୀମିତ ହୋଇପଡିଛି । ସେପଟେ ପାଟଣାଗଡ଼ ଆସନରୁ ପ୍ରଥମ ବାଜିରେ ବାଜି ମାରିନେଲେ ଯୁବ ଚେହେରା ସରୋଜ ମେହେର । ଭେଟେରାନ ବିଜେପିର କେ.ଭି. ସିଂଙ୍କୁ ହରାଇଥିବାରୁ ତାଙ୍କର କାର୍ତ୍ତି ବେଶ ବଢିଥିଲା । ଅବଶ୍ୟ ଆରମ୍ଭରୁ ବିବାଦରେ ଛନ୍ଦି ହୋଇଥିଲେ ମେହେର । ହେଲେ ତିନି ବର୍ଷ ପରେ ସରୋଜଙ୍କୁ ବିଧାନସଭାର ଉପ ମୁଖ୍ୟ ସଚେତକ କରି ଏବେ ଗୁରୁ ଦାୟୀତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କ ପଦୋନ୍ନତି ହୋଇଛି । ନବୀଙ୍କ କ୍ୟାବିନେଟରେ ନିଜର ସ୍ଥାନ ପକ୍କା କରିବା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ପାଇଛନ୍ତି । ଆଉ ସୁପ୍ରିମୋ ତାଙ୍କୁ ସୁଯୋଗ ଦେଇଥିବାର ଗୁମର ଖୋଲିଥିଲା ବେଳେ ରାଜ ପରିବାର ପ୍ରତି ଅଣଦେଖା କରିବାର ମନୋଭାବର ରହସ୍ୟ ବି ପରୋକ୍ଷରେ ଓଗାଳିଛନ୍ତି ।
ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପଠାଇ ବଲାଙ୍ଗୀର ରାଜନୀତିରେ ଆଉ ଏକ ଦବଦବାକୁ ଜାହିର କରିଛନ୍ତି ନବୀନ । ଲାଗୁଛି ଯେମିତି ସିଂଦେଓ ପରିବାରର ତିନି ଚେହେରା ପ୍ରତ୍ୟକ୍ଷ ରାଜନୀତିରେ ମଳିନ ପଡି ସାରିଥିବାରୁ ଏହାକୁ କଭର ଅଫ ଦେବାପାଇଁ ଏହି ତିନି ଚେହେରାକୁ ଆଗକୁ ଆଣିଛନ୍ତି ଦଳର ଥିଙ୍କ ଟ୍ୟାଙ୍କ ।