ବଦଳୁଛି ଟ୍ରେଣ୍ଡ : ବର୍ଷା ବରିହା କାହିଁକି ପାଇଲେ ବିଜେଡି ଟିକେଟ ?

barsha bariha

ଏହାକୁ କହନ୍ତି ସମୟର ଖେଳ। ସମୟର ଖେଳ ଦେଖନ୍ତୁ, ବିଜୁ ବାବୁ ୨୭ ବର୍ଷ ହେଲା କ୍ଷମତା ବାହାରେ ଥିଲେ । ଲୋକେ ତାଙ୍କୁ ରେକର୍ଡ ଆସନ ଦେଇ ସିଏମ କରାଇଲେ । କିନ୍ତୁ ୫ ବର୍ଷ ପରେ ଲୋକେ ତାଙ୍କୁ ପୁଣି ଗ୍ରହଣ କଲେନି । କେନ୍ଦ୍ରରେ ମନ୍ତ୍ରୀଟିଏ ବି ହେଇପାରିଲେନି । ଏବେ ପଦ୍ମପୁର ପାଇଁ ଶଙ୍ଖ ଟିକଟ ପାଇଲେ ବର୍ଷା । ସିଏ ବିଜୟ ରଞ୍ଜନଙ୍କ ଝିଅ । କିନ୍ତୁ ଖେଳ ଦେଖନ୍ତୁ, ବର୍ଷାଙ୍କୁ ବିଜୟଙ୍କ ଝିଅ ବୋଲି ଭାବନ୍ତି ନାହିଁ ବରଂ ସ୍ମୃତି ବଳିୟାର ସିଂଙ୍କ ସ୍ତ୍ରୀ ଭାବେ ଅଧିକ ଜାଣନ୍ତି । ସ୍ୱର୍ଗକୁ ଗଲେ ବରିହା । ଟିକଟ ପାଇଲେ ବଳିୟାର ସିଂଙ୍କ ସ୍ତ୍ରୀ । 

ଏଇଟା କି ପ୍ରକାର ଖେଳ ? ଏ ପର୍ଯ୍ୟନ୍ତ ବିଜେଡ଼ି ର ଧାରା ଥିଲା ଯେ ଯଦି କେହି ତାଙ୍କ ଦଳରୁ ସ୍ୱର୍ଗ ବାସ କରନ୍ତି, ତେବେ ତାଙ୍କ ବିଧବା ପତ୍ନୀ କିମ୍ବା ପୁଅକୁ ମିଳିବ ଶଙ୍ଖ ଟିକଟ । ଆଗରୁ ପତ୍ନୀମାନେ ପାଉଥିଲେ। କିନ୍ତୁ ତିର୍ତ୍ତୋଲ ଓ ପିପିଲିରେ ପୁଅ ପାଇଲେ । କେବେ ଝିଅଙ୍କୁ ଦିଆଯାଇ ନଥିଲା  ଟିକଟ। ପ୍ରଥମଥର ପାଇଁ ଉପକୂଳର ଶିଶୁର ଘରକୁ ଯାଇଥିବା ବରିହାଙ୍କ ଝିଅଙ୍କୁ ମିଳିଲା ଟିକଟ । ଏଇଟା ସମୟର ଖେଳ ନୁହେଁ ତ ଆଉ କ’ଣ ?

ବର୍ଷାଙ୍କ ଶଶୁର ରମାରଞ୍ଜନ ମୁଖୁଆଙ୍କ ଉପରେ ରାଗ କରି ଶଙ୍ଖ ଦଳ ଛାଡିଥିଲେ । ଧରିଥିଲେ ପଦ୍ମ। କିନ୍ତୁ ତାଙ୍କରି ବୋହୂକୁ ଟିକଟ ଦେଲେ ମୁଖିଆ । ବାପ ଘର ନାଁ କେବଳ। ଏମିତି ସୁଯୋଗ ସମସ୍ତଙ୍କ ଭାଗ୍ୟରେ ଆସେନି । ରମା ଭାବୁଥିବେ କ'ଣ କରିବେ ? ପୁରୋହିତଙ୍କ ପାଇଁ ପ୍ରଚାରକୁ ଯିବେ ନା ବୋହୂ ପାଇଁ କରିବେ ପ୍ରଚାର ? ନ ଗଲେ ବୋହୂ ମନ କଷ୍ଟ କରିପାରେ । ଏଣେ ମୁଖୁଆ ଭାବୁଥିବେ ଯେ ରମା ଟା ସତ୍ୟବାଦୀରେ ଥାଇ ଛାଟିପିଟି ହଉଥାଉ ।

ସମୟର ଖେଳ କଥା କହିଲେ ପୁରାଣ ହେଇଯିବ । ପୁଣି ସମୟଚକ୍ର ଏମିତି ଯେ ଅର୍ଚନା  ନା ନାଗଫାଶରେ ପଡି ଅନେକ ଟାଣୁଆ ନେତା ଏବେ ଇଡି ଭୟରେ ବାଉଳି ହଉଚନ୍ତି । ସମୟ ବହୁ ଆଘାତ ଚିହ୍ନକୁ ଲିଭେଇ ଦିଏ । ପୁଣି ସେହି ସମୟ କ୍ଷତ ଏତେ ଗଭୀର କରିଦିଏ ଯେ ସାତ ଜନ୍ମ ଗଲେ ବି ସେ କଷ୍ଟ ଦୂର ହୁଏନି । ଏବେ ବର୍ଷା ଭାବୁଥିବେ  ବରିହା ପରିବାରର ଝିଅ ନହେଲେ ପଛେ ବଳିୟାରସିଂ ଘରର ବୋହୂ ହୋଇ ପଦ୍ମପୁର ଲଢିବା ପାଇଁ ଭାଗ୍ୟ ବଳରୁ ହିଁ ପାଇଲେ ଟିକଟ । ଦେଖାଯାଉ ସମୟ ତାଙ୍କ ପ୍ରତି ହଉଚି କେତେ ମେହେରବାନ ?

Share this story