ଅଳିଆକୁ ନେଇ ସାଂସଦ ହଟହଟା, ଆଜି ଯାଏଁ ଥିଲେ କେଉଁଠି ?

aparajirta

ଡମ୍ପିୟାର୍ଡ ଖୋଲିଦେଲା ନେତାଙ୍କ ଅସଲ ମୁଖା ! ଦାରୁଠେଙ୍ଗ ଡମ୍ପିୟାର୍ଡକୁ ନେଇ ଲୋକପ୍ରତିନିଧି ଚୁପ । ବିଏମସିର ବିଫଳତାକୁ ଦାଣ୍ଡରେ ପକାଇଛି । ଆଉ ସବୁଠାରୁ ବଡ ଆଶ୍ଚର୍ଯ୍ୟ କରିଛି । ଲୋକ ପ୍ରତିନିଧିଙ୍କ ନିରବତା । ଆଜିକୁ ୨୧ ଦିନ ହେଲା ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଅଳିଆ ଯାଇପାରୁନି । ରାଜଧାନୀ ସହର ସାରା ବିଭିନ୍ନ ୱାର୍ଡରେ କୁଢ଼ କୁଢ଼ ଅଳିଆ ଗଦା । ଗନ୍ଧରେ ଫାଟି ପଡୁଛି ସହରର ରାସ୍ତାଘାଟ, କଲୋନୀ । ନାକରେ ରୁମାଲ୍ ଦେଇ ବାଟ ଚାଲିବାକୁ ପଡୁଛି । ସମସ୍ୟାର ସମାଧାନ ବାହାର କରିବାରେ ବିଏମସି ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମେୟର, କମିସନରଙ୍କ ବୁଦ୍ଧି ହଜିଯାଇଛି । ଆଉ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଏହି ଭୟଙ୍କର ସଙ୍କଟ ବେଳେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିରବତା । ଏହା ସହ ସହରର ତିନି ବିଧାୟକଙ୍କ ସହ ସାଂସଦଙ୍କ ରହସ୍ୟମୟ ନିରବତା ନେଇ ପ୍ରଶ୍ନ ଉଠିଥିଲା । ଶୁକ୍ରବାର ଦିନ ବିଏମସି ଅଫିସ୍ ଆଗରେ ଜିଲ୍ଲା ବିଜେପି ପକ୍ଷରୁ ସମସ୍ୟାର ସମାଧାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳିଲା ନାହିଁ । 

ତେବେ ସଙ୍କଟର ୨୦ ଦିନ ପରେ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସାଂସଦ ମ୍ୟାଡାମ୍ । କିନ୍ତୁ ସମସ୍ୟା ସମାଧାନର କଥା କିଛି କହିନାହାନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ରାଜନୀତି ବୟାନବାଜି ବେଶୀ କରିଛନ୍ତି । ମେୟରଙ୍କୁ ଚିଠି ଲେଖି ମହଲତ ବି ଦେଇଛନ୍ତି । ମେୟର ସୁଲୋଚନା ଦାସଙ୍କୁ ଚିଠିରେ ଲେଖିଛନ୍ତି, ୧୫ ଦିନ ବିତିଗଲାଣି ମାତ୍ର ଭୁବନେଶ୍ୱର ସ୍ୱଚ୍ଛତାରେ କୌଣସି ଉନ୍ନତି ହୋଇନାହିଁ । ମହାନଗରର ସବୁଆଡ଼େ ଗଦା ଗଦା ଅଳିଆ ପଡ଼ିଛି । ସେଥିଯୋଗୁଁ ଲୋକମାନେ ଅସୁବିଧାରେ ଅଛନ୍ତି । ଆସନ୍ତା ୩/୪ ଦିନରେ ସମସ୍ୟାର ସମାଧାନ ହେବା ଆଶା କରୁଛି । ସମସ୍ୟା ସମାଧାନ ନହେଲେ ସେପ୍ଟେମ୍ବର ୨ ରେ ଆପଣଙ୍କୁ ଭେଟିବି । 

ଭୁବନେଶ୍ୱରର ଦାରୁଠେଙ୍ଗ ଡମ୍ପିୟାର୍ଡକୁ ନେଇ ଜିଲ୍ଲା ବିଜେପି ପ୍ରସଙ୍ଗ କରି ଆନେ୍‌ଦାଳନ ଆରମ୍ଭ କରିଥିଲେ ମଧ୍ୟ ସାଂସଦ ଚିରାଚରିତ ଢ଼ଙ୍ଗରେ ଦଳୀୟ ପଦକ୍ଷେପକୁ ପସନ୍ଦ କରିନାହାନ୍ତି । ବିଜେପି ଆନେ୍‌ଦାଳନର ଦିନକ ପରେ ଆଜି ନିଜ ଅଫିସକୁ କିଛି ଟିଭି ଚ୍ୟାନେଲ୍ ସାମ୍ବାଦିକଙ୍କୁ ଡାକି ୱାନ୍ ଟୁ ୱାନ୍ ସାକ୍ଷାତକାର ଦେଇଛନ୍ତି । ସେଥିରେ ଭୁବନେଶ୍ୱର ପରିମଳ ସମସ୍ୟା ସମାଧାନଠାରୁ ନିଜର ଲୋକପ୍ରିୟତାକୁ ଧ୍ୟାନ ଦେଇଛନ୍ତି । 

୨୦୦୮ ମସିହାରେ ଅପରାଜିତା ଷଡ଼ଙ୍ଗୀ ବିଏମସି କମିସନର ଥିଲା ବେଳେ ଦାରୁଠେଙ୍ଗକୁ ଡମ୍ପିୟାର୍ଡ କରିବାକୁ ନିଷ୍ପତ୍ତି ହୋଇଥିଲା । ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ତାହାକୁ କାର‌୍ୟ୍ୟକାରୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ବିରୋଧ ଜାରି ରହିଥିଲେ ମଧ୍ୟ ବିଏମସି ପ୍ରଶାସନ ବିକଳ୍ପ ଖୋଜିବାରେ ଫେଲ୍ ହୋଇଛନ୍ତି । ଏବେ ବିଏମସି କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତିକୁ ସ୍ଥାନୀୟ ଅଞ୍ଚଳବାସୀ ଆଉ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଇତିମଧ୍ୟରେ ଅଞ୍ଚଳବାସୀଙ୍କ ସହ ତିନି ଥର ଆଲୋଚନା ହୋଇସାରଥିଲେ ମଧ୍ୟ ସମାଧାନର ବାଟ ବାହାର କରିବାରେ ବିଏମସି ପ୍ରଶାସନ ସମର୍ଥ ହୋଇନାହାନ୍ତି ।

Share this story