୨୬ ବର୍ଷରେ ବିଜେଡି : ଲୋକଙ୍କ ପାଇଁ ନେତାଙ୍କୁ ଏଭଳି କହିଲେ ସୁପ୍ରିମୋ

ଡିସେମ୍ବର ୨୬ରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ । ଦଳର ୨୬ତମ ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଦଳର ସାଂସଦ, ବିଧାୟକ ଓ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ନବୀନ। ବର୍ଷସାରା ବିଭିନ୍ନ ଉତ୍ସର୍ଗୀକୃତ ଲୋକସେବା ମାଧ୍ୟମରେ ସବୁ ବର୍ଗର ଜନଗଣଙ୍କ ଅଧିକ ନିକଟତର ହୋଇ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ବାର୍ତ୍ତାରେ ବିଜୁ ବାବୁଙ୍କ ନୀତି, ଆଦର୍ଶ ତଥା ଓଡ଼ିଶାର ସବୁ କ୍ଷେତ୍ରର ଏବଂ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଦଳର ଆଭିମୁଖ୍ୟକୁ ଓଡ଼ିଶାର ଅଗଣିତ ଜନସାଧାରଣ ଅକୁଣ୍ଠ ସମର୍ଥନ ଓ ଶୁଭେଚ୍ଛା ଦେଇଛନ୍ତି ବିଜେଡି ସୁପ୍ରିମୋ। ଦଳର କର୍ମକର୍ତ୍ତା, ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ଯାଏଁ ଲୋକଙ୍କ ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥୀମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଆଜି ବିଜେଡିକୁ ଲୋକଙ୍କ ନିକଟତର କରିଛି। ଲଗାତର ବିଭିନ୍ନ ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଥିବା ଆସ୍ଥା ପ୍ରମାଣିତ ହୋଇଛି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲଗାତାର ବିଭିନ୍ନ ସାଧାରଣ ନିର୍ବାଚନ, ଉପ ନିର୍ବାଚନ, ସମବାୟ ନିର୍ବାଚନ ସମେତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଓଡ଼ିଶାର ୩୦ଟି ଜିଲ୍ଲାରେ ବିଜେଡି ଶତପ୍ରତିଶତ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ, ୮୦% ପୌରାଞ୍ଚଳ ଆସନ ପାଇଛି । ଏହା ବିଜୁ ଜନତା ଦଳ ପ୍ରତି ଓଡ଼ିଶାବାସୀଙ୍କର ଆସ୍ଥା ଓ ଭଲ ପାଇବାକୁ ସ୍ପଷ୍ଟ କରୁଛି । ଲୋକମାନଙ୍କର ଆଶିଷ, ସମର୍ଥନ ଓ ଶୁଭେଚ୍ଛା ଆମକୁ ଆହୁରି ଭଲ କାମ କରିବା ପାଇଁ ଶକ୍ତି ଯୋଗାଉଛି । ଆମର ବିକାଶ ଆଭିମୁଖ୍ୟକୁ ଆଗେଇ ନେବା ପାଇଁ ପ୍ରେରଣା ଦେଇଛି । ଆମକୁ ଆଗାମୀ ଦିନମାନଙ୍କରେ ଓଡ଼ିଶାବାସୀଙ୍କ ସେବାରେ ନିୟୋଜିତ ହୋଇ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି ।
ସେ ପୁଣି କହିଛନ୍ତି ଯେ ୨୫ ବର୍ଷର ବିଜୁ ଜନତା ଦଳର ସଫଳ ଯାତ୍ରା ଓଡ଼ିଶାବାସୀଙ୍କର ଭଲ ପାଇବା ଆମ ପାଇଁ ଓ ଶୁଭେଚ୍ଛୁ ମାନଙ୍କ ପାଇଁ ଆନନ୍ଦର ବିଷୟ । ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡି ସଫଳତାର ୨୫ ବର୍ଷ ପୂର୍ତ୍ତିକୁ ସର୍ବ ଧର୍ମ ସମନ୍ୱୟର ପୁଣ୍ୟ ପୀଠ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିରାଜିତ ଶଙ୍ଖ କ୍ଷେତ୍ର ପୁରୀଠାରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ ଦଳର ସମସ୍ତ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପୌରାଞ୍ଚଳ କର୍ମକର୍ତ୍ତା, ସାଂସଦ, ବିଧାୟକଙ୍କ ଠାରୁ ନେଇ କ୍ଷେତ୍ରୀୟ ଜନପ୍ରତିନିଧି, ଯୁବ, ଛାତ୍ର, ମହିଳା ତଥା ଦଳର ବିଭିନ୍ନ ସଂଗଠନ ସେଲର କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ ।
ଏହି ପୂର୍ତ୍ତି ଉତ୍ସବ ୧୫ ଦିନ ଧରି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ । ବିଜେଡିର ୨୫ ବର୍ଷ ପୂର୍ତ୍ତି ସଙ୍ଗେ ସଙ୍ଗେ ୨୬ତମ ପ୍ରତିଷ୍ଠା ସମାରୋହ ବର୍ଷତମାମ୍ ବିଭିନ୍ନ ପର୍ଯ୍ୟାୟରେ କ୍ଷେତ୍ରୀୟସ୍ତରରେ ପ୍ରତ୍ୟେକ ବ୍ଲକ୍ ଓ ପୌରାଞ୍ଚଳରେ ପାଳନ କରାଯିବ । ଡିସେମ୍ବର ୨୬ ଠାରୁ ବର୍ଷ ସାରା ବିଭିନ୍ନ ଉତ୍ସର୍ଗୀକୃତ ଜନସେବା ମାଧ୍ୟମରେ ସବୁ ବର୍ଗର ଜନଗଣଙ୍କ ଅଧିକ ନିକଟତର ହୋଇ ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବେ ପୁନଃ ଅଙ୍ଗୀକାର ନେବା । ୨୫ ବର୍ଷର ସମର୍ପିତ ସେବାର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଆହୁରି ଆଗକୁ ନେବା । ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ଓ ୨୫ ତମ ବର୍ଷ ପୂର୍ତ୍ତି ଦିବସ ଅବସରରେ ଆପଣଙ୍କୁ ତଥା ମୋର ପ୍ରିୟ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଉଛି । ଆସନ୍ତା ୨୦୨୩ ମସିହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ଶ୍ରୀ ପଟ୍ଟନାୟକ କାମନା କରିଛନ୍ତି ।