ଉପନିର୍ବାଚନ ସେମି ପରେ ଫାଇନାଲ ଖେଳିବାକୁ ପ୍ରସ୍ତୁତ ୩ ଦଳ, ହେଲେ ବାଜି ମାରିବ କିଏ ?

2024 odisha election

୨୦୨୪ ପୂର୍ବରୁ ହୋଇପାରେ ସାଧାରଣ ନିର୍ବାଚନ। ସେଥିପାଇଁ ରାଜ୍ୟ ରଣନୀତିରେ ଉଷ୍ମତା ଲାଗିରହିଛି । ଧାମନଗର ପରେ ପଦ୍ମପୁର… ଲଗାତାର ପଛକୁ ପଛ ଗୋଟେ ପରେ ଗୋଟେ ଉପନିର୍ବାଚନ ଏହାର ମୁଖ୍ୟ କାରଣ । ଧାମନଗର ନିର୍ବାଚନରେ ବିଜେଡିର ପରାଜୟ ହୋଇଥିଲା । ଧାମନଗର ପାଇଁ ଧାଁ ଧପଡ ଭିତରେ ବିଜେପି ନିଜ ଗଡ ରକ୍ଷା କଲା ଆଉ ପରାଜୟର ପ୍ରତିଶୋଧ ପଦ୍ମପୁରରେ ବିଜେଡି ନେଲା । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଥିଲା । ତାହା ବେଶ୍ ସଫଳତା ଆଣିଦେଲା । ସେହି ରଣନୀତିକୁ ଆଧାର କରି ୨୦୨୪ ସାଧାରଣ ନିର୍ବାଚନକୁ ସାମ୍ନା କରିବ ବିଜେଡି ।

୨୦୨୪ରେ କିଏ ମାରିବା ବାଜି ? କାହାକୁ ମିଳିବ ଜିତାପଟ ? କେଉଁ ଦଳ ଖାତାକୁ କୁ ଯିବ କେତେ ଆସନ? ଓଡିଶାବାସୀଙ୍କ ମନ କିଏ କିଣିବା । ସେନେଇ ଏବେଠାରୁ ଲାଗିରହିଛି କଳ୍ପନା ଜଳ୍ପନା । କୁହାଯାଉଛି ୨୦୨୪ ପାଇଁ ଧାମନଗର ଓ ପଦ୍ମପୁର ଉପନିର୍ବାଚନ ହେଉଛି ସେମି ଫାଇନାଲ ଭଳି । ତେଣୁ ଫାଇନାଲରେ କିଏ ଜିତିବ କିଏ ହାରିବ ? ତାହାର ଆକଳନ, ଅନୁମାନ ଏବେଠୁ ଆରମ୍ଭ ହୋଇଗଲାଣି । 

ପଦ୍ମପୁର ଫଳାଫଳକୁ ନେଇ ବିଜେଡି ୨୦୨୪ର ଦମ୍ଭ ଦେଖାଉଥିବା ବେଳେ ବିଜେପିର ପରାଜୟର କାରଣ ଖୋଜି ୨୦୨୪ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି କରିଛି । ଆଉ ୨୪ରେ ବିଜେପି ବି ସରକାର ଗଢୁଥିବା ନେତୃବୃନ୍ଦ କହୁଛନ୍ତି । ବିଜେପି- ବିଜେଡି କଥା ଶୁଣି ପଛରେ ପଡିନି କଂଗ୍ରେସ । ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଆମେ ବି ୬୦ରୁ ୬୫ ଆସନ ଅକ୍ତିଆର କରିବୁ ।

ତେବେ ବିଜେଡି ବିଧାୟକ, ତଥା ପଶ୍ଚିମଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ୨୦୨୪ରେ ମିଶନ ୧୨୫ର ଲକ୍ଷ୍ୟ ରଖିଛି । ୧୪୭ ଆସନରୁ ୧୨୫ ଆସନରେ ଜିତିବ ବିଜେଡି । ବିଶେଷ କରି ପଶ୍ଚିମ ଓଡିଶାରୁ ୩୬ ଆସନରୁ ୩୦ରୁ ଅଧିକ ଆସନରେ ବିଜେଡିର ବିଜୟ ହେବ । ସେପଟେ ବିଜେପି ଦୁଇ ତୃତୀୟାଂଶରେ ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ବାଚନ ବହୁଦିନ ଅଛି । ବହୁ କଥା ହେବ, ମହାନଦୀରେ ପାଣି ବହିବ, ବୈତରଣୀରେ ବହିବ । କିନ୍ତୁ ବିଜେପି ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦି । ୨୦୨୪ ନିର୍ବାଚନ ଉପରେ ପଦ୍ମପୁର ଫଳାଫଳ କୌଣସି ପ୍ରଭାବ ପକାଇବ ନାହିଁ ।

ବିଜେପି- ବିଜେଡିର ଆସନ ଅଙ୍କକଷା ପର୍ବରେ ପଛରେ ପଡିନି କଂଗ୍ରେସ । ଦୁଇ ଦୁଇଟା ଉପନିର୍ବାଚନରେ ଅମାନତ ହରାଇଥିବା, ପଛରେ ପଡିଥିବା କଂଗ୍ରେସ ୬୦ରୁ ୬୫ ଆସନ ପାଇବ ବୋଲି ଦାବି କରିଛନ୍ତି ବିଧାୟକ ସୁର ରାଉତରାୟ । ଏକାକୀ ନହେଲେ ବି କାହାକୁ ପାର୍ଟ ଟାଇମ ସାଥୀ କରି ସରକାର ଗଢିବୁ । ୨୦୨୪ ନିର୍ବାଚନ ପାଇଁ ବିଜେପି, ବିଜେଡି ଯେମିତି ରେଡ୍ଡି, କଂଗ୍ରେସ ବି ସେମିତି ରେଡ୍ଡି । ୨୦୨୪ ପାଇଁ ଆକଳନ ଭିତରେ କିଏ ଅକ୍ତିଆର କରିବ କେତେ ଆସନ ତାହା କହିବ ଜନତାଙ୍କ ସମର୍ଥନ ।

Share this story