ସମ୍ ହସ୍ପିଟାଲରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବଶୀଘ୍ର ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ।
ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବାବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଯେସନର ପକ୍ଷରୁ ସ୍ୱୀକୃତି ମିଳିଛି। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇଛି। ଏହି ପ୍ରକ୍ରିୟାରେ ଅନେକ ସ୍ବେଚ୍ଛାସେବୀଙ୍କ ଶରୀରରେ ନୂତନ ଟିକାର ପରୀକ୍ଷଣ କରାଯିବ।
ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ ଅନୁଷ୍ଠାନକୁ ଆଇସିଏମଆର ପକ୍ଷରୁ ଚୟନ କରାଯାଇଥିବାବେଳେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଓ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି।
କରୋନା ମହାମାରୀର ପ୍ରଭାବ ଦେଶରେ ବଢ଼ି ଚାଲିଥିବାବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଏହି ଟିକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ।
ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟର ମୁଖ୍ୟ ଥିବା ପ୍ରଫେସର ରାଓ କହିଛନ୍ତି, ଏହି ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ କୋହଳ କରାଯିବ ଏବଂ ସୁସ୍ଥ ସ୍ବେଚ୍ଛାସେବୀମାନେ ଏହି ପର୍ଯ୍ୟାୟ ନିମନ୍ତେ ଚୟନ କରାଯାଇ ପାରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀଙ୍କ ଶରୀରରେ ମଧ୍ୟ ଏହି ଟିକା ପ୍ରୟୋଗ କରାଯିବାର ଯୋଜନା ରହିଛି ବୋଲି ପ୍ରଫେସର ରାଓ କହିଛନ୍ତି। ଟିକା ପ୍ରୟୋଗ କରାଯାଇଥିବା ସ୍ବେଚ୍ଛାସେବୀଙ୍କଠାରେ କୋଭାକସିନ ଟିକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ସେ ଜଣାଇଛନ୍ତି। ଇଚ୍ଛୁକ ସ୍ବେଚ୍ଛାସେବୀମାନେ www. ptctu.soa.ac ୱେବସାଇଟରେ ରେଜିଷ୍ଟ୍ରସନ କରିପାରିବେ।