ସୌମ୍ୟ କଣ ଧୂଆ ମୂଳା ? ନୀତିଭ୍ରଷ୍ଟଙ୍କ ନୀତିବାଣୀ !

Soumya

୧୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ନିଜର ଗଣମାଧ୍ୟମ ସଂସ୍ଥା ଜରିଆରେ ନିର୍ଧୁମ ଗାଳି କରୁଥିଲେ। ନବୀନଙ୍କ ବିରୁଦ୍ଧରେ ଚାଷୀ ବିରୋଧୀ ଓ ଓଡ଼ିଆ ଭାଷା ବିରୋଧୀ ସ୍ଲୋଗାନ ଦେଇ ତାଙ୍କ ଚଉଦ ପୁରୁଷଙ୍କୁ ମନେ ପକାଇ ଦେଉଥିଲେ। ସେହି ବ୍ୟକ୍ତି ଆଜି ଧୁଆମୂଳା ସାଜିଛନ୍ତି । ସାମ୍ବାଦିକ ତଥା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୂଚନାଯୋଗ୍ୟ ଯେ ବିଧାୟକ ସୌମ୍ୟ ପଟ୍ଟନାୟକ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସରେ ନିଜର ଦଳ ବିଷୟରେ ଏମିତି କିଛି କହି ଚର୍ଚ୍ଚାର ଆକର୍ଷଣ ସାଜିଛନ୍ତି। ସୌମ୍ୟ କହିଥିଲେ ଯେ "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଆଖି ହେଉଛନ୍ତି ପ୍ରଶାସକ ଭି.କେ ପାଣ୍ଡିଆନ୍ ଏବଂ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେମାନେ ଯାହା କୁହନ୍ତି ନବୀନ ବିଚାର କରନ୍ତି। ତେଣୁ ସେମାନେ ଯଦି "ବଗକୁ କଳା"କହିବେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ତାହାକୁ ଗ୍ରହଣ କରିବେ । ଏଭଳି ହେଲେ ଶାସନ ବ୍ୟବସ୍ଥା ବିପଦ ଆଡ଼କୁ ମୁହାଇବ ବୋଲି ସଫେଇ ରଖିଥିଲେ ସୌମ୍ୟ। ସେ ଆହୁରି ମଧ୍ୟ କହିଥିଲେ ଯେ ଯେତେବେଳେ ସେ ବିଜେଡିରେ ପ୍ରବେଶ କରିଥିଲେ ତାଙ୍କୁ ଯେଉଁ ନେତା ନୀତିଭ୍ରଷ୍ଟ, ମତିଭ୍ରମ ବୋଲି କହିଥିଲେ ଆଜି ସେହି ନେତା ପଛକଥା ଭୁଲି ତାଙ୍କ ଭାଷଣର ଗୁଣଗାନ କରୁଛନ୍ତି।

କେବଳ ଏହି ସଭାରେ ନୁହେଁ ବରଂ "ଆମ ଘରର ହାଲଚାଲ" ଖବରକାଗଜ ସ୍ତମ୍ବରେ ମଧ୍ୟ ଏହି ଭଳି ଲେଖା ଲେଖି ନିଜର ବିଷ ଓଗାଳିଛନ୍ତି ସୌମ୍ୟ।  ୨ ବର୍ଷ ମଧ୍ୟରେ ନବୀନଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ସୌମ୍ୟ ପଟ୍ଟନାୟକ। ତେବେ ସବୁ ପରେ ନିଜ ଅତୀତକୁ ବୋଧ ହୁଏ ସୌମ୍ୟ ପଟ୍ଟନାୟକ ଭୁଲିଯାଇ ବାଚଳାମି ଚଳାଇଥିବା କହିଛନ୍ତି ରାଜନୈତିକ ସମୀକ୍ଷକ । ସାଧାରଣ ନିର୍ବାଚନ ପୂର୍ବରୁ ରାତି ଅଧିଆ ନବୀନ ନିବାସ ଯାଇ ସୌମ୍ୟ ଦଳରେ ମିଶିଗଲେ ଏବଂ ୪ ଘଣ୍ଟା ମଧ୍ୟରେ ରାଜ୍ୟସଭା ଟିକେଟ ପାଇଲେ। ପୁଣି ନିଜର ଇଚ୍ଛାକୁ ସନ୍ତୁଷ୍ଟ କରିବାକୁ ଯାଇ ବିଜେଡିର ଗଡ଼ ଖଣ୍ଡପଡାରୁ ବିଧାୟକ ପ୍ରାର୍ଥୀ ହୋଇ ବହୁଳ ଭୋଟରେ ଜିତିଲେ। ଏକାଧିକ ଜିଲ୍ଲାର ପର୍ଯ୍ୟବେକ୍ଷକ ହେବାର ସୌଭାଗ୍ୟ ଅର୍ଜନ ମଧ୍ୟ କଲେ। ସୌମ୍ୟଙ୍କ ଏହି ସଫଳଯାତ୍ରା ପାଇଁ କାହାର ହାତ ଅଛି ତାହା ସଭିଙ୍କୁ ଜଣା। ଅନ୍ୟପକ୍ଷରେ ସୌମ୍ୟବାବୁ ପାଣ୍ଡିଆନ ଓ ବବିଙ୍କୁ ନବୀନଙ୍କୁ ତୃତୀୟ ନୟନ ଓ ତାଙ୍କ ଅନୁସାରେ ଦଳ ଚାଲେ ବୋଲି ଯଦି କଟାକ୍ଷ କରୁଛନ୍ତି, ତେବେ ସୌମ୍ୟ ଏତେ ପଦବୀରେ ରହିବାକୁ କେମିତି ସମର୍ଥ ହେଲେ?ସେହି ସମୟରେ ଏହା ସୌମ୍ୟଙ୍କୁ କେମିତି ଭଲ ଲାଗିଲା? କୁଆଡେ ଗଲା ତାଙ୍କ ସ୍ୱାଭିମାନ? 

ଶୁଣାଯାଏ ଯେ ସୌମ୍ୟ କୁଆଡେ ମନ୍ତ୍ରୀ ପଦ ପାଇଁ ମୁଖ୍ୟମନ୍ତ୍ରୀ ଓ ଏହି ଦୁଇଜଣଙ୍କୁ ନେହୁରା ହେବା ସହ ନିଜର ଖବରକାଗଜ ଜରିଆରେ ମନ କଥାକୁ ଜାହିର କରିଥିଲେ ମାତ୍ର ସେଥିରେ ବିଫଳ ହେବାରୁ ସୌମ୍ୟ ଅସନ୍ତୁଷ୍ଟ ହୋଇପଡିଛନ୍ତି। ଅନ୍ୟପଟେ ଓଡ଼ିଶାର ସାମ୍ବାଦିକ ଜଗତରେ ସୌମ୍ୟଙ୍କ ଏକ ଅନନ୍ୟ ନାମ ଅଛି। ସେ ଜ୍ଞାନୀ ଓ ବିଦ୍ୱାନ ଅଟନ୍ତି। ବର୍ତ୍ତମାନ ରହିଲା ସୌମ୍ୟଙ୍କ ତୃତୀୟ ନୟନ ଉପାଖ୍ୟାନ। ସାମ୍ବାଦିକମାନଙ୍କୁ ଶାସକଙ୍କ ତୃତୀୟ ନୟନ ଭଳି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ବାଦିକମାନେ ଶିବଙ୍କ ଭଳି ଅଳ୍ପକେ ସନ୍ତୁଷ୍ଟ ରହି ରହି ସର୍ବଦା ସତର୍କ ରହିଲେ, ଅବକ୍ଷୟ ଆକ୍ରାନ୍ତ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇପାରିବ ବୋଲି ତାଙ୍କର ମତ। ସାମ୍ବାଦିକତାର ପ୍ରକୃତ ପରିଭାଷା ସୌମ୍ୟଙ୍କ ଠାରୁ ଅଧିକ ହୁଏତ ଆଉ କିଏ ଜାଣି ନ ଥିବେ। 

ଏଥିସହିତ ପ୍ରଜାତନ୍ତ୍ର ପ୍ରତିଷ୍ଠା ଦିବସରେ ସୌମ୍ୟଙ୍କ ସମ୍ମାନୀତ ଅତିଥି ଭାବେ ଯୋଗଦାନକୁ ନେଇ ବର୍ତ୍ତମାନ ରାଜନୈତିକ ମହଲ ସରଗରମ ହୋଇଛି। ପ୍ରଜାତନ୍ତ୍ର ର ସମ୍ପାଦକ ହେଉଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଯିଏକି ବିଜେଡିର ଜଣେ ଅସନ୍ତୁଷ୍ଟ ସାଂସଦ। ନିଜର ସଂସଦୀୟ ଦଳର ନେତା ପଦ ଯିବାପରେ ବର୍ତ୍ତମାନ ନବୀନ ଓ ଭର୍ତ୍ତୃହରିଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିବା ଚର୍ଚ୍ଚା ହେଉଛି। ଏପରିକି ବିଜେପି ଯୋଗାଯୋଗରେ ଭର୍ତ୍ତୃହରି ରହୁଥିବା ସୂଚନା ମଧ୍ୟ ସୁପ୍ରିମୋଙ୍କ ନିକଟରେ ହସ୍ତଗତ ହୋଇଛି । ନିଜ ସଂସଦୀୟ କ୍ଷେତ୍ରରେ ତାଙ୍କୁ ନିର୍ବାଚନ ସମୟରେ ଦେଖିବାକୁ ମିଳେ ଏବଂ ଶଙ୍ଖ ହିଁ ତାଙ୍କର ପୁଞ୍ଜି। ଏସବୁ ମଧ୍ୟରେ ଏହି ପ୍ରଶ୍ନ ଆନ୍ଦୋଳିତ ହୁଏ ଯେ ସୌମ୍ୟ କଣ ପାଇଁ ପ୍ରଜାତନ୍ତ୍ର ସଭାରେ ଯୋଗଦେଲେ ? ଭର୍ତ୍ତୃହରି ଙ୍କ ସହ ମିଶି ନୂଆ ଚାଲ ଖେଳୁନହାନ୍ତି ତ ସୌମ୍ୟ ? ନବୀନ କାହିଁକି ଏହିସବୁ ଶୁଣି ଚୁପ ରହୁଛନ୍ତି। ପୂର୍ବରୁ ତାଙ୍କ ବିରୋଧରେ କିଏ ପଦେ କହିଲେ ଦଳ ବାହାର ରାସ୍ତା ଦେଖାଉଥିଲେ ନବୀନ। ଆଗକୁ ଦେଖିବାକୁ ବାକି ରହିଲା ସୌମ୍ୟଙ୍କୁ ନେଇ ନବୀନଙ୍କ ଆଭିମୁଖ୍ୟ କଣ ରହିବ ।

Share this story