ମାଡ଼ିଆସୁଛି ଝଡ଼ ବର୍ଷା: ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ ଭିଜିବ, ବାତ୍ୟାକୁ ନେଇ ଗଜପତି ଜିଲ୍ଲାପାଳ ଦେଲେ ଏମିତି ନିର୍ଦ୍ଦେଶ

ମାଡ଼ିଆସୁଛି ଝଡ଼ ବର୍ଷା: ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ ଭିଜିବ, ବାତ୍ୟାକୁ ନେଇ ଗଜପତି ଜିଲ୍ଲାପାଳ ଦେଲେ ଏମିତି ନିର୍ଦ୍ଦେଶ

ଭୁବନେଶ୍ୱର: ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହା ଶନିବାର କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ଅବପାତ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୧୧ ତାରିଖ ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଉତ୍ତର-ଆନ୍ଧ୍ର ଏବଂ ଦକ୍ଷିଣ  ଓଡ଼ିଶା ମଧ୍ୟ ଦେଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୧ ତାରିଖରେ ଗଜପତି, ରାୟଗଡା, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ତେଣୁ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ମାଲକାନଗିରି, ଜଗତସିଂହପୁର ଏବଂ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଆଶାନ୍ତ ରହିବା ସହ ପବନର ବେଗ ୪୫ରୁ ୫୫ କିଲୋମିଟର ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ତରଫରୁ ସମଗ୍ର ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି। ଗତ ବାତ୍ୟାର ଭୟାଭୟତାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ପାହାଡ଼ ଉପରେ ରହୁଥିବା ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଚାଲିଯିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Share this story