ଆଶ୍ରିତଙ୍କୁ ହାରୁ ନେତା ଭରଷା !

ପିପିଲିରେ କଂଗ୍ରେସ ପ୍ରାର୍ଥୀ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ଲଢେଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ହେବାକୁ ଯାଉଛି । ତେବେ ପିପିଲି ଉପ-ନିର୍ବାଚନକୁ ନେଇ ପଦ୍ମ ଦଳ ବିଜୟର ସମ୍ଭାବନା ଦେଖୁଛି । ଯେଉଁଥିପାଇଁ ଏବେ ଦିନ ରାତି ଏକ କରି ଦେଇଛି ଗେରୁଆ କ୍ୟାମ୍ପ । ଜଣକ ପରେ ଜଣେ ବଡ ଚେହେରାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଉଛି ପଦ୍ମ ଦଳ । ଆଉ ଏହି କ୍ରମରେ ଆସାମ ଟାସ୍କ ସାରି ପିପିଲି ପ୍ରଚାର ମୈଦାନରେ ପାଦ ପକାଇଛନ୍ତି ପଣ୍ଡା ବାବୁ । ଦଳୀୟ ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ଢେର ଝାଳ ବୁହାଇଛନ୍ତି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା । ବାଇକରେ ବୁଲିବା ସହ ଘରେ ଘରେ ପହଞ୍ଚି ଆଶ୍ରିତଙ୍କ ପାଇଁ ଭୋଟ ମାଗିଛନ୍ତି । ତେବେ ବୈଜୟନ୍ତଙ୍କ ପ୍ରଚାର ପରେ ଚର୍ଚ୍ଚା ହେଉଛି ଯେ, କଣ ପରାଜିତ ନେତା ଆଶ୍ରିତଙ୍କୁ ବିଜୟୀ ଟିକା ପିନ୍ଧାଇପାରିବେ?
ଏକଥା ଏଥିପାଇଁ କୁହାଯାଉଛି କାରଣ ପିପିଲିରେ ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଅନେକ ନେତାଙ୍କ ପଛରେ ଲାଗିଛି ପରାଜୟର ଟ୍ୟାଗ । ଆଉ ଏହି ନେତାଙ୍କ ଭିତରୁ ବୈଜୟନ୍ତ ଜଣେ । ଓଡ଼ିଶା ରାଜନୀତିର ହେଭିୱେଟ ଚେହେରା ବୈଜୟନ୍ତ । କିନ୍ତୁ ବିଜେଡିର ହାତ ଛାଡିବା ପରେ ରାଜ୍ୟ ରାଜନୀତିରେ ବୈଜୟନ୍ତଙ୍କର ସେଭଳି ଆଉ ଓଜନ ନାହିଁ । ଯାହାର ଝଲକ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଅନୁଭବଙ୍କ ଭଳି ଜିଲ୍ଲା ବାହାରର ଆମଦାନୀ ନେତା କେନ୍ଦ୍ରାପଡା ବ୍ୟାଟଲଗ୍ରାଉଣ୍ଡରେ ବୈଜୟନ୍ତଙ୍କ ବିଜୟରଥରେ ବ୍ରେକ ଲଗାଇଥିଲେ । ଆଶ୍ରିତଙ୍କ ପାଇଁ ବୈଜୟନ୍ତଙ୍କ ପ୍ରଚାରରେ ଯେଉଁଭଳି କ୍ରାଉଡ ଦେଖିବାକୁ ମିଳିଥିଲା, ଠିକ୍ ସେହିଭଳି ୨୦୧୯ କେନ୍ଦ୍ରାପଡା ପ୍ରଚାର ମୈଦାନରେ ମଧ୍ୟ ଦେଖିବାକୁ ମିଳିଥିଲା । କ୍ରାଉଡ ଦେଖି ବୈଜୟନ୍ତ ମଧ୍ୟ ବେଶ ଆଶାବାଦୀ ଥିଲେ, ପ୍ରଚାର ସମୟର ଭୋଟରଙ୍କ ଭିଡ ସିନା ହୋଇଥିଲା କିନ୍ତୁ ତାହା ପଣ୍ଡାବାବୁଙ୍କ ଭୋଟବ୍ୟାଙ୍କକୁ ଆସିନଥିଲା । ଯେଉଁଥିପାଇଁ ପଣ୍ଡା ବାବୁଙ୍କୁ ପ୍ରଥମଥର ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ଏହାପୂର୍ବରୁ ବାଲେଶ୍ୱର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଣ୍ଡା ବାବୁ ପ୍ରଚାର କରିଥିଲେ ମଧ୍ୟ ବିଜେପିକୁ ତା ନିଜ ଗଡରେ ହାରିବାକୁ ପଡିଥିଲା । ବିଜେଡିକୁ ବାଏ ବାଏ କରିବା ପରେ ରାଜନୀତିରେ ପଣ୍ଡା ବାବୁଙ୍କ ଟ୍ରାକ ରେକର୍ଡ ସେତେଟା ଭଲ ନାହିଁ । ବିଜେଡିର ହାତ ଛାଡିବା ପରେ ବିଜୟ ଯେପରି ଜୟଙ୍କ ପାଖ ମାଡୁନି । ଆଉ ଏଭଳି ସ୍ଥିତିରେ ଜୟଙ୍କୁ ପ୍ରଚାରରେ ସାମିଲ କରି ବିଜୟ ଆଶା ରଖିବା ଆଶ୍ରିତଙ୍କ ପାଇଁ ଏତେଟା ସହଜ ହୋଇନପାରେ ।
କେବଳ ଜୟ କାହିଁକି ପ୍ରଚାର ମୈଦାନରେ ବୁଲୁଥିବା ବିଜେପିର ପରାଜିତ ନେତାଙ୍କର ଲମ୍ବା ତାଲିକା ରହିଛି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ସମ୍ବିତ ପାତ୍ର,ପିଙ୍କି ପ୍ରଧାନଙ୍କ ଭଳି ଜଣାଶୁଣା ଚେହେରା । ଖୋଦ ସମ୍ବିତ ପାତ୍ର ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ ମଧ୍ୟ ବିଜୟୀ ଟିକା ପିନ୍ଧିପାରିନଥିଲେ । ତେଣୁ ଉପ-ନିର୍ବାଚନରେ ପୁଣିଥରେ ଯେ ଭୋଟରଙ୍କୁ ସମ୍ବିତ ପ୍ରଭାବିତ କରିପାରିବେ ସେଭଳି ଆଶା ନାହିଁ । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ପ୍ରଚାର ମୈଦାନରେ ସମ୍ବିତଙ୍କ ଦବଦବା ଦେଖିବାକୁ ମିଳୁଛି । ଦଳୀୟ ପ୍ରାର୍ଥୀ ଆଶ୍ରିତଙ୍କୁ ଧରି ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । ସେହିଭଳି ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ଏବେ ଆଶ୍ରିତଙ୍କ କ୍ୟାମ୍ପେନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । କହିବାକୁ ଗଲେ, ପରାଜିତ ସିପାହୀଙ୍କୁ ଧରି ବିଜୟୀ ହେବା ଆଶାରେ ରହିଛନ୍ତି ଆଶ୍ରିତ । ଯାହାକୁ ନେଇ ଲୋକେ କହୁଛନ୍ତି କଣ ହାରିଥିବା ନେତା ଆଶ୍ରିତଙ୍କୁ ପିପିଲି ସିଂହାସନରେ ବସାଇପାରିବେ ତ?