ଶନିବାର ଶଟ୍ଡାଉନ୍ କଟକଣା କୋହଳ: ରବିବାରଠାରୁ ୭ ଦିନିଆ ଶଟ୍ଡାଉନ୍

ଝାରସୁଗୁଡା: ବେଲଗାମ ଭାବେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡା ସହରାଞ୍ଚଳରେ ଆସନ୍ତା ସାତ ଦିନ ଲାଗି ଶଟ୍ଡାଉନ୍ ଲାଗୁ କରାଯିବାକୁ ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେଣୁ ଶନିବାର ହେବାକୁ ଥିବା ସପ୍ତାହାନ୍ତ ଶଟ୍ଡାଉନ୍ ପ୍ରତ୍ୟାହାର କରାଯାଇଛି। ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅର୍ଥାତ ରବିବାରଠାରୁ ଏହି ଶଟ୍ଡାଉନ୍ ବଳବତ୍ତର ରହିବ।
ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଳେଖ ରହିଛି ଯେ ଝାରସୁଗୁଡା ସହରାଞ୍ଚଳରେ ଗତ ସାତ ଦିନ ମଧ୍ୟରେ ୧୮୦ରୁ ଅଧିକ କୋଭିଡ୍ ପଜିଟିଭ ମାମଲା ସାମ୍ନାକୁ ଆସିଛି। ସହରାଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ମାମଲା ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି। ଏଥିସହ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ ବୃଦ୍ଧିପାଇଛି। ତେଣୁ ଶଟ୍ଡାଉନ୍ ହିଁ ଏବେ ସଂକ୍ରମଣରେ ଲଗାମ ଲଗାଇବ। ଏହାକୁ ଦୃଷ୍ଟିରେ ରଖି ସାତ ଦିନିଆ ଶଟ୍ଡାଉନ୍ ଲାଗୁ ହେବାକୁ ଯାଉଛି। ଏହି ଶଟ୍ଡାଉନ୍ ସମୟରେ ସକାଳ ୬ଟାରୁ ପୂର୍ବାହ୍ଣ ୧୧ଟା ଯାଏ ରାସନ ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଆଦି ସାମଗ୍ରୀ ଉପଲବ୍ଧ ହେବ। ଔଷଧ ଦୋକାନ ପୂର୍ବପରି ଖୋଲା ରହିବ। ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ଯାତାୟାତକୁ ବାରଣ କରାଯାଇଛି।
କେବଳ ପାଦଚଲା ଯାତ୍ରୀଙ୍କୁ ଯାତାୟାତ ଅନୁମତି ରହିବ। ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ବ ଦେଇ ବ୍ୟାଙ୍କରେ କାର୍ଯ୍ୟ ପାଇଁ ଅନୁମତି ମିଳିବ। ଶିଳ୍ପ ସଂସ୍ଥାଗୁଡିକ ଶ୍ରମିକ ଏବଂ କର୍ମଚାରୀଙ୍କ ଯାତାୟାତ ଲାଗି ସପ୍ତାହନ୍ତ ଶଟ୍ଡାଉନ୍ ଭଳି ବସ ଚଳାଚଳ କରି ପାରିବେ। ରେଳ ଷ୍ଟେସନ ଏବଂ ବିମାନବନ୍ଦରକୁ ଯାତାୟାତ ଲାଗି ଯାତ୍ରୀଙ୍କୁ ଅନୁମତି ରହିବ। ଜରୁରୀ ସେବା ପ୍ରଦାନକାରଙ୍କୁ ଯାତାୟାତ ପାଇଁ ଅନୁମତି ରହିବ। କେବଳ ଅନୁମତିପ୍ରାପ୍ତ ଦୋକାନଗୁଡିକୁ ନର୍ଦ୍ଧାରିତ ସମୟରେ ଖୋଲା ରଖିବା ବ୍ୟତୀତ ଅନ୍ୟଗୁଡ଼ିକ ବନ୍ଦ ରହିବ।