ଗୃହରେ ଉଠିଲା ହଷ୍ଟେଲ ଛାତ୍ରୀ ଗର୍ଭବତୀ ହେବା ଘଟଣା

ଗୃହରେ ଉଠିଲା ହଷ୍ଟେଲ ଛାତ୍ରୀ ଗର୍ଭବତୀ ହେବା ଘଟଣା

ବିଧାନସଭା ରେ ଉଠିଛି ନାବାଳିକା ଗର୍ଭବତୀ ହେବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସେ କହିଥିଲେ ଯେ, ରାଜଧାନୀର ଏକ ଆବାସିକ ଆଦିବାସୀ ଛାତ୍ରାବାସରେ ଏହି ଘଟଣା ଘଟିଛି । ସରକାର କିନ୍ତୁ ଏହାକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି । ଗତ ଶନିବାର ଛାତ୍ରାବାସର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ଏହା ଜଣାପଡିଛି ।
କେବଳ ଏହି ଗୋଟିଏ ଘଟଣା ନୁହଁ, ଗତ ଜାନୁଆରୀ ୧୨ ତାରିଖରେ କନ୍ଧମାଳର ଏକ ନାବାଳିକା ପାଇଖାନାରେ ଏକ ଶିଶୁକୁ ଜନ୍ମ କରିଥିଲେ । ଜାନୁଆରୀ ୧୯ ତାରିଖରେ ଢେଙ୍କାନାଳର ଏକ ଅଷ୍ଟମ ଶ୍ରେଣୀର ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା । ଜାନୁଆରୀ ୨୬ ତାରିଖରେ କନ୍ଧମାଳର ଏକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭପାତ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା । ଫେବୃଆରୀ ମାସରେ ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ଘଟଣା ଘଟିଥିଲା ବୋଲି ସେ କହିଥିଲେ ।
ଆଦିବାସୀ ଛାତ୍ରୀନିବାସରେ ୪ ଜଣ ନାବାଳିକା ଗର୍ଭବତୀ ହେଲେ କେମିତି । ଗୋଟେପଟେ ସରକାର ମାକୁ ସମ୍ମାନର କଥା କହୁଥିବା ବେଳେ ଏଭଳି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଦୈନିକ ଦେଶରେ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ବର୍ଷକୁ ୬ ଜଣଙ୍କୁ ଦଣ୍ଡାଦେଶ ହେଉଥିବା ତାରା କହିଛନ୍ତି ।
ବିଜେପି ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏହି ଘଟଣାରେ ସରକାରଙ୍କ ଧର୍ମନିରପେକ୍ଷତାକୁ ସମାଲୋଚନା କରିଛନ୍ତି । ଝିଅର ପରିବାରକୁ ଧମକ ଓ ଅର୍ଥର ଲୋଭ ଦେଇ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେବାକୁ ସେ ଦାବି କରିଥିଲେ ।

Share this story