ଓଡ଼ିଶାରେ କେମିତି ହେଲା ଘୋଡା ବେପାର ? ଗୋଟିଏ ଆସନରୁ କିଭଳି ଜିତିଲେ ୨ ବିଧାୟକ ? ପଢନ୍ତୁ ଏହି ରୋଚକ କାହାଣୀ

ରାଜନୀତିରେ ରାତାରାତି ଗୋଟିଏ ଦଳରୁ ଆଉ ଗୋଟିଏ ଲମ୍ଫ ମାରିବା କିଛି ନୂଆ କଥା ନୁହେଁ। ମାତ୍ର ଗୋଟିଏ ସମୟରେ ଗୋଟିଏ ବିଧାନସଭା ଆସନରୁ ୨ଜଣ ପ୍ରାର୍ଥୀ ନିର୍ବାଚିତ ହେବା ଏକ ରୋଚକ ଘଟଣା। ଓଡ଼ିଶାରେ ଏହି ଘଟଣା ଘଟିଥିଲା ୧୯୫୭ ମସିହାରେ। ସେହି ସମୟରେ ୧୦୧ ଆସନରୁ ୧୪୦ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଗୋଟିଏ ଆସନରୁ ଅର୍ଥାତ ୩୯ ଆସନରୁ ୭୮ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ। ଅନ୍ୟ ୬୨ ଆସନରୁ ୬୨ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚିତ ବିଧାୟକଙ୍କ ମଧ୍ୟରେ କଂଗ୍ରେସରୁ ୫୬,କମ୍ୟୁନିଷ୍ଟ ଦଳରୁ ୧୧,ଝାଡ଼ଖଣ୍ଡ ଦଳରୁ ୫,ସ୍ୱାଧୀନ ଦଳରୁ ୧୭ ଏପରି ବିଭିନ୍ନ ଦଳର ବିଧାୟକ ନିର୍ବାଚିତ ହୋଇଥିଲେ ମାତ୍ର କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନଥିଲା।
ତେବେ ଏପରି ପରିସ୍ଥିତିରେ ହରେକୃଷ୍ଣ ମହତାବ ରାଜାଙ୍କ ଦଳମାନଙ୍କୁ ଭାଗଭାଗ କରି ଓ ବିଭିନ୍ନ କ୍ଷମତାର ଲୋଭ ଦେଖାଇ ଅନ୍ୟ ଦଳୀୟ ନେତାଙ୍କୁ ଆଣି କଂଗ୍ରେସରେ ମିଶାଇଲେ। ଏହିଠାରୁ ହି ଆରମ୍ଭ ହୋଇଥିଲା ଘୋଡାବେପାର। ଯାହା ପରବର୍ତ୍ତୀ ସମୟରେ ଏକ ବ୍ୟାଧି ହୋଇଯିବା ସହିତ ଏହାକୁ ଅସାମ୍ବିଧାନିକ ଦର୍ଶାଇ ଦଳ ନିରୋଧୀ ଆଇନ୍ ପ୍ରଣୟନ କରାଗଲା। ସାଂପ୍ରତିକ ସମୟରେ ଓଡ଼ିଶାରେ ଚାଲୁଥିବା ମହତାବଙ୍କ କୁଟିଳ ରାଜନୀତି ରେ ଉତକ୍ଷିପ୍ତ ହୋଇ ରାଜାଙ୍କ ଦଳମାନେ ମଧ୍ୟ କଂଗ୍ରେସ ନେତାଙ୍କୁ ଆମଦାନୀ କଲେ।
୧୯୫୨ ମସିହା ଅପ୍ରେଲ ୨୬ ତାରିଖରେ ଖଡ଼ିଆଳ ରାଜା ଅନୁପ ସିଂଦେଓ ଗଣତନ୍ତ୍ର ପରିଷଦରୁ ଆସି କଂଗ୍ରେସରେ ଯୋଗଦେଲେ। ମାତ୍ର କଂଗ୍ରେସରେ ନିଜକୁ ଅଣନିଶ୍ୱାସୀ ମନେକରି ଦଳ ତ୍ୟାଗ କଲେ ଏବଂ କଡା ଭାଷାରେ ସରକାରର ସମାଲୋଚନା କରିଥିଲେ। ଯାହାର ପ୍ରଭାବ କଂଗ୍ରେସ ଉପରେ ପଡ଼ିଲା। ଏଣୁ ରାଜ୍ୟରେ କଂଗ୍ରେସ ବିରୋଧରେ ଏକଜୁଟ ହେବା ପାଇଁ ଗାଙ୍ଗପୁର ରାଜାଙ୍କ ବାସଭବନରେ ଏକ ବୈଠକ ବସିଲା। ନିଷ୍ପତ୍ତି ଅନୁଯାୟୀ ବିଧାନସଭା ସମ୍ମୁଖରେ ପ୍ରତିବାଦ କରାଯିବ। କଳାହାଣ୍ଡି ରାଜା,ଗାଙ୍ଗପୁର ରାଜା ଆଦି ଧାରଣାରେ ବସିଲେ। କଂଗ୍ରେସ ଏହି ଖବର ପାଇବା ପରେ ବୈଠକକୁ ଭଣ୍ଡୁର କରିବା ପାଇଁ ସେଠାରେ ପହଞ୍ଚିଥିଲା।
ତେବେ ଦୁଇଗୋଷ୍ଠୀ ମଧ୍ୟରେ ଟଣାଓଟରା ହେବାରୁ ଅନୁପ ସିଂ ରାଜାମାନଙ୍କୁ ଏକ କୋଠରୀରେ ବନ୍ଦ କରିଦେଲେ। ରାଗରେ ପଞ୍ଚମ ହୋଇ କଳାହାଣ୍ଡି ରାଜା ବଂଧୁକ ଆଣିବା ପାଇଁ ଉପର ମହଲକୁ ଗଲେ। ଯଦିଓ ପରବର୍ତ୍ତୀ ସମୟରେ କଂଗ୍ରେସ କର୍ମୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ସମୟରେ ବିଜୁ ପଟ୍ଟନାୟକ ଯିଏକି ହରେକୃଷ୍ଣ ମହତାବଙ୍କୁ ନିଜର ଗୁରୁ ମଣୁଥିଲେ ସେ ଏହି ଦଳ ଅଦଳବଦଳ ନୀତିକୁ ବିରୋଧ କରୁଥିଲେ। ଫଳରେ ଗୁରୁଶିଷ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।