ଧମକାଇଲେ ତାରା, ପଶିଲେ ମାଡ଼

Tara bahinipati

ପୁଣି କୋଟିଆକୁ ନେଇ ତେଜିଲା ଓଡ଼ିଶା ଓ ଆନ୍ଧ୍ରର ସୀମା ବିବାଦ। କୋଟିଆକୁ ହାସଲ କରିବା ପାଇଁ ଆନ୍ଧ୍ର ଚଳାଉଛି ଷଡଯନ୍ତ୍ର।ଏମିତିକି କୋଟିଆକୁ ନିଜ ରାଜ୍ୟରେ ମିଶାଇବା ଉଦ୍ଦେଶ୍ୟ ନେଇ ଆନ୍ଧ୍ରପ୍ରଦେଶରୁ ଆସୁଥିବା ନେତା ଓ ପ୍ରଶାସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ପଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ପ୍ରୀତମ ପାଢ଼ୀ । ସୂଚନା ଯୋଗ୍ୟ ଯେ ପଂଚାୟତ ନିର୍ବାଚନରେ କୋଟିଆକୁ ନିଜର ରାଜ୍ୟରେ ମିଶାଇ ଭୋଟ୍ ହାସଲ କରିବାର ଆନ୍ଧ୍ର ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଭଣ୍ଡୁର ହେବା ପରେ ବର୍ତ୍ତମାନ ଭାଷା ଭିତ୍ତିରେ କୋଟିଆକୁ ନିଜର ଦଖଲ କରିବାକୁ ଚାହୁଁଛି ଆନ୍ଧ୍ର।

ଏହାର କାରଣ ହେଲା କୋଟିଆ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାକାର ଲୋକମାନେ ଉଭୟ ଓଡ଼ିଆ ଓ ତେଲେଗୁ ଭାଷାରେ କଥାବାର୍ତ୍ତା କରିଥାନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ଏହି ବିଭାଜିତ ନୀତିକୁ ବିରୋଧ କରି ନିଜର ବିଷ ଓଗାଳିଛନ୍ତି ବିଧାୟକ ତାରା ବାହିନୀପତି। ସେ କହିଛନ୍ତି ଯଦି ପୁନର୍ବାର ଆନ୍ଧ୍ରର କୌଣସି ନେତା ଓ ସରକାରୀ ଅମଲା କୋଟିଆରେ ପାଦ ଦିଅନ୍ତି ତେବେ ସ୍ଥିତି ଭୟଙ୍କର ହେବ। ଏହି ସୀମା ବିବାଦ ବର୍ତ୍ତମାନ ହାଇକୋର୍ଟରେ ବିଚାରଧୀନ ଥିବାରୁ ରାୟକୁ ଅପେକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ।
ଏସବୁ ସତ୍ୱେ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରିଛି।

ରାଜ୍ୟ ସରକାରଙ୍କ କୋଟିଆ ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଏ ସବୁ ସୀମା ବିବାଦର ଉତ୍ପତି ହୋଇଛି ଏବଂ କେନ୍ଦ୍ର ସରକାରଙ୍କ ପାଖେ ଏହି ସମ୍ବନ୍ଧୀୟ କୌଣସି ତଥ୍ୟ ଅବଗତ ମଧ୍ୟ ରାଜ୍ୟ ସରକାର କରିନାହାନ୍ତି ବୋଲି ବିଜେପି କହିଛି। ପୂର୍ବରୁ ଆସାମ ଓ ମିଜୋରାମ ମଧ୍ୟରେ ଭୟଙ୍କର ସୀମା ବିବାଦ ଦେଖିବାକୁ ମିଳିଥିଲା। ଏବେଠୁ ଯଦି ଏହାର କୌଣସି  ସ୍ଥାୟୀ ସମାଧାନ ନ ହୁଏ ଭବିଷ୍ୟତରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଆହୁରି ତୀବ୍ର ହେବାର ଆଭାସ ମିଳୁଛି।

Share this story