ଓଟିଭି ରିପୋର୍ଟରଙ୍କୁ ଦଣ୍ଡ ମିଳିଲେ ମୋତେ ନ୍ୟାୟ ମିଳିବ: କେନ୍ଦୁଝର ସାଂସଦ

ଭୁବନେଶ୍ୱର: ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଆଉ ଏକ ଭିଡିଓ ବିବୃତ୍ତି ଜାରି କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କର ଏକ ମିଛ ଓ ଅଶ୍ଳୀଳ ଭିଡିଓକୁ ଓଟିଭି ସାମ୍ୱାଦିକ ଓ ଅନ୍ୟମାନେ ଭାଇରାଲ କରିବା ସମ୍ପର୍କରେ ସେ ଏହି ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ଭଳି ଜଣେ ଆଦିବାସୀ ମହିଳାକୁ ବଦନାମ କରିବା ଓ ମାନସିକ ଉତ୍ପୀଡ଼ନ ଦେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ପୋଲିସ ଓଟିଭିର ଜଣେ କନିଷ୍ଠ ରିପୋର୍ଟର ଓ ଅନ୍ୟ କିଛିଜଣଙ୍କୁ ଗିରଫ କଲେ। ଓଟିଭିର ସେହି ଜୁନିୟର ରିପୋର୍ଟର ପୋଲିସକୁ ସୂଚନା ଦେଲେ ଯେ ରମେଶ ରଥ ତାଙ୍କୁ ଏହି ଭିଡିଓ ଭାଇରାଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ରମେଶଙ୍କୁ ପଚରାଉଚରା କରିବାରୁ ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡା ତାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ। ସେମାନେ ଏହାକୁ ଓଟିଭି ଉପରେ ସରକାରଙ୍କ ଆକ୍ରୋଶ ବୋଲି ଚିତ୍ରିତ କରିଛନ୍ତି। ଜଗି ମାଡ଼ମ ଓ ବୈଜୟନ୍ତ ବାବୁଙ୍କୁ ମୋର ପ୍ରଶ୍ନ ଯଦି ଆପଣଙ୍କ ପରିବାରର ଜଣେ ମହିଳାଙ୍କ ଏଭଳି ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥାନ୍ତା, ତେବେ କଣ ସେମାନେ ରମେଶ ରଥଙ୍କୁ ଭଳି ସୁରକ୍ଷା ଦେଇଥାଆନ୍ତେ। ସେମାନେ ଦିଲ୍ଲୀରେ ନିଜର ମିଡ଼ିଆ ବନ୍ଧୁଙ୍କୁ ବ୍ୟବହାର କରି ପ୍ରଚାର କରୁଛନ୍ତି ଯେ ସରକାର ସାମ୍ବାଦିକ ଓ ସାମ୍ବାଦିକତା ଉପରେ ଆକ୍ରମଣ କରୁଛନ୍ତି।”
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, “ମୋର ପ୍ରଶ୍ନ ଯଦି ଆପଣଙ୍କ ଭଉଣୀ କି ଝିଅଙ୍କ ଏଭଳି ଭିଡିଓ ଭାଇରାଲ ହୋଇଥାନ୍ତା ତେବେ କଣ ଆପଣ ଏହାକୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବୋଲି କହିଥାନ୍ତେ। ମୁଁ ନ୍ୟାୟ ପାଇବି ଯେବେ ପୋଲିସ ରମେଶ ରଥ ଓ ଅନ୍ୟମାନଙ୍କୁ ଦଣ୍ଡିତ କରିବେ। ଜଗି ପଣ୍ଡା, ବୈଜୟନ୍ତ ପଣ୍ଡା ଓ ଓଟିଭି ମତେ ନ୍ୟାୟ ପାଇବାରୁ ବଞ୍ଚିତ କରୁଛନ୍ତି। ମୋ ବିରୋଧରେ ଅପରାଧ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷା କରୁଛନ୍ତି। ମିଡିଆକୁ ବ୍ୟବହାର କରି ସୁରକ୍ଷା ଦେଉଛନ୍ତି। ମତେ ନ୍ୟାୟ ନମିଳିଲେ ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବ। ଜଗି ପଣ୍ଡା ବି ଜଣେ ମହିଳା, କୁଆଡେଗଲା ତାଙ୍କ ବିବେକ?”