ଚା' କପରେ ପଲିଟିକାଲ ଝଡ : ଆଗାମୀ ରଣନୀତି ପାଇଁ ଜଗାଙ୍କ ଘନଘନ ବୈଠକ

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ଏବେ ଭୁବନେଶ୍ୱର ରାଜନୀତି ବେଶ ସରଗରମ । ଦଳରେ ସେ ଦିନକୁ ଦିନ କୋଣଠେସା ହେବାରେ ଲାଗିଥିବା ଚର୍ଚ୍ଚା ଜୋର ଧରିଛି । ଜଗନ୍ନାଥଙ୍କ ପତ୍ତା କାଟିବାକୁ ତାଙ୍କର ଏକାନ୍ତ ଅନୁଗତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେପି । ଏଭଳି କ୍ଷେତ୍ରରେ ଜଗନ୍ନାଥ ବିଜେଡି ଯିବା ଚକ୍କର ରେ ଅଛନ୍ତି । ଏଣୁ ଅନ୍ୟ ଦଳରେ ଯୋଗ ଦେବା ପୂର୍ବରୁ ନିଜ ସାଂଗଠନିକ ଦକ୍ଷତା ଦେଖାଇବାର ଉଦ୍ୟମ କରିଛନ୍ତି ଜଗନ୍ନାଥ ଜଗନ୍ନାଥ । କିଛିଦିନ ତଳେ ମଧ୍ୟ ଭୁବନେଶ୍ୱର ଆନନ୍ଦ ବଜାର ଛକରେ ଏକ ପ୍ରାୟୋଜିତ ଚା ଖଟିରେ ଯୋଗ ଦେଇଥିଲେ ଜଗନ୍ନାଥ । ଏହାପରେ ୟୁନିଟ ୩, ସହିଦନଗର, ୟୁନିଟ ୧ ଶତାଧିକ ଯୁବକ ଚା ପିଇବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । କିଭଳି ସଂଗଠନକୁ ଅଧିକ ମଜଭୁତ କରାଯିବ, ସେ ନେଇ ମଧ୍ୟ ଆଲୋଚନା କରିଥିଲେ । କିନ୍ତୁ ସବୁରି ମୂଳରେ ଥିଲା ଗୋଟିଏ ଏଜେଣ୍ଡା । ଦଳ ପରିବର୍ତ୍ତନ ପୂର୍ବରୁ ଯୁବଶକ୍ତି କୁ ଏକାଠି କରିବା ଓ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଅନ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା । ସତକୁ ସତ ଗତକାଲି ନିଜେ ଜଗନ୍ନାଥ ପ୍ରଧାନ ଏହି ଫଟୋ ଗୁଡିକୁ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।
ଯୁବ ମୋର୍ଚ୍ଚା ସଭାପତିଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ଓ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ସଭାପତି ପଦରୁ ହଟାଇ ଦେଇଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ। କେବଳ ଏତିକି ନୁହେଁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବିଦା କରିବା ସହ ଦଳରୁ ଆଜୀବନ ବହିଷ୍କାର କରିବା ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସୁପାରିସ୍ କରିଛନ୍ତି। ରଶ୍ମିରଞ୍ଜନ ମହାପାତ୍ରଙ୍କୁ ବିଦା କରିବା ପରେ ରଶ୍ମିରଞ୍ଜନ ମୁଦୁଲିଙ୍କୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ ବାବୁ ସିଂହ ନିଯୁକ୍ତି ଦେଇଛନ୍ତି।
ଦଳର ଭୁବନେଶ୍ବର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଥାଉଥାଉ କାହିଁକି କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରାଗଲା, ଜିଲ୍ଲା ଯୁବମୋର୍ଚ୍ଚା ବ୍ୟାନରରେ କାର୍ଯ୍ୟକ୍ରମ ହେଉଥିଲେ ହେଁ ସଭାପତିଙ୍କୁ କାହିଁକି ଡକାଯାଉନି ଭଳି ପ୍ରଶ୍ନ ଜଗନ୍ନାଥ ଉଠାଇଥିଲେ। ଏପରିକି ଏ ନେଇ ସେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଥିଲେ। ହେଲେ କେହି କିଛି ପଦକ୍ଷେପ ନେଲେନି। ଏହାପରେ ଜଗନ୍ନାଥ ଦଳ ଛାଡ଼ିବା ନେଇ ଧମକ ଦେଇଥିଲେ। ବିଜେଡିର ପ୍ରଭାବଶାଳୀ ନେତାଙ୍କ ସହ ତାଙ୍କର ଗୋପନ ବି ଆଲୋଚନା ହୋଇଥିଲା। ହେଲେ ବିେଜଡିରେ ବିରୋଧର ସ୍ବର ଉଠିବାରୁ ଜଗାଙ୍କ ମିଶ୍ରଣ ପର୍ବ ଅଟକିଯାଇଛି।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଜଗନ୍ନାଥ ବିଜେଡିରେ ମିଶିବା ନେଇ ଜୋରଦାର୍ ଚର୍ଚ୍ଚା ଚାଲିଥିବାବେଳେ ସେ ବହୁବାର ବିଜେଡି ନେତାଙ୍କ ସହ ବସି ଏନେଇ ଆଲୋଚନା କଲେଣି। କିନ୍ତୁ ଏବେବି ବିଜେପି ଚିହ୍ନ ସହ ସେ ନିଜର ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଛନ୍ତି। ଏବେବି ସେ ବିଜେପିରେ ଅଛନ୍ତି ବୋଲି ପରୋକ୍ଷରେ କହି ଚାଲିଛନ୍ତି। ବିଜେପିରେ ଅଛନ୍ତି ବୋଲି ଜଗନ୍ନାଥ ପ୍ରମାଣ ଦେଉଛନ୍ତି; କିନ୍ତୁ କୌଣସି କାର୍ଯ୍ୟକ୍ରମରେ ସାମିଲ୍ ହେଉନାହାନ୍ତି। କିନ୍ତୁ ଏହି ମାସ ଭିତରେ ସେ ନିଜ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ଜଗନ୍ନାଥ ଙ୍କ ସମକ୍ଷକ । ତେବେ ଦେଖିବାକୁ ବାକି ରହିଲା, କେଉଁ ପବନ କୁଆଡ଼ିକୁ ବହୁଛି ?