ଜଗାଙ୍କ ଯୋଗଦାନ ଦେଖି ବୁନୁ ଛାନିଆ : ସତ୍ୟନଗରରେ କବାଟକିଳା ବୈଠକ

Bunu

ରାଜ୍ୟ ବିଜେପିର ଭୁବନେଶ୍ୱର ଶାଖାରେ ଗତ କିଛିଦିନ ଧରି ଯେଭଳି ଗୋଷ୍ଠୀ କନ୍ଦଳ ଚାଲିଛି, ତାହା ଉଣା ଅଧିକେ ପ୍ରାୟ ସଭିଙ୍କୁ ଜଣା । ସାଂସଦ, ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଟଣାଓଟରା ଏବେ ଚରମ ସୀମାରେ ପହଞ୍ଚିଛି । ବରିଷ୍ଠ ନେତା ତଥା ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଦଳ ଛାଡିବା ଚର୍ଚ୍ଚା ଏବେ ଜୋର ଧରିଛି । 

ତେବେ ଗୋଟିଏ ପଟେ ଜଗନ୍ନାଥଙ୍କ ବିଜେଡିରେ ମିଶିବାକୁ ନେଇ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ହେବାବେଳେ ଅନ୍ୟପଟେ ତାଙ୍କର ତଥାକଥିତ ବିରୋଧୀ ତଥା ବିଧାୟକ ଅନନ୍ତ ନାରାୟଣ ଜେନା କ୍ୟାମ୍ପ ରେ ଛନକା ପଶିବା ଆରମ୍ଭ ହେଇଛି । ଅନନ୍ତ ଓରଫ ବୁନୁଙ୍କ ସ୍ଥାନ କାଳେ ଜଗା ଅକ୍ତିଆର କରିବେ ସେ ନେଇ ବିଧାୟକଙ୍କ ଗୋଷ୍ଠୀ ଭୟଭୀତ ଥିବା ଦେଖାଯାଇଛି । ଏପରିକି ଜଗା ଆସିବା ନେଇ ଖବର ପ୍ରଚାର ପ୍ରଚାର ପରେ ବୁନୁ ଗୋଷ୍ଠୀ ଘନ ଘନ କବାଟ କିଳା ବୈଠକ ଆରମ୍ଭ ଆରମ୍ଭ କରିଛନ୍ତି ।

ଗତକାଲି ରାତିରେ ସତ୍ୟନଗର ଅନ୍ଧ ମୁକ ବଧିର ସ୍କୁଲ ପରିସରରେ ଥିବା ମଣ୍ଡପ ରେ କିଛି ଲୋକଙ୍କୁ ଡାକି ବନ୍ଦ ଘରେ ଏକ ସଭା ଆୟୋଜନ କରିଥିଲେ । କିଛି ପୂର୍ବତନ କର୍ପୋରେଟର, ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ । ଜଗନ୍ନାଥ ପ୍ରଧାନ ଯଦି ବିଜେଡିରେ ଯୋଗ ଦିଅନ୍ତି, ତେବେ ଅନନ୍ତଙ୍କ ଭୂମିକା କଣ ରହିବ, ସେ ନେଇ ଅନୁଗତଙ୍କ ମତାମତ ଲୋଡିଥିଲେ । ଏପରିକି ବିକଳ୍ପ କାର୍ଯ୍ୟ ପନ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ପୂର୍ବ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ଅନନ୍ତ ଜେନାଙ୍କ ଗାଡି ଉପରକୁ ବୋମାମାଡ଼ ହେବା ଘଟଣାରେ ଜଗନ୍ନାଥଙ୍କ ବିରୋଧରେ ଅଭିଯୋଗ ଆସିଥିଲା ।

ଅନ୍ୟପଟେ ବୁନୁଙ୍କ ଏଭଳି କବାଟ କିଳା ବୈଠକକୁ ନେଇ ବିଜେଡି ପାୱାର କରିଡର ଖପ୍ପା ଥିବା ସୂଚନା ମିଳିଛି । ଜଗନ୍ନାଥ ଯୋଗଦାନ କରିବା ନେଇ ଦଳ ଏଯାଏଁ ନିଷ୍ପତ୍ତି ନେଇନଥିବା ବେଳେ ବୁନୁଙ୍କ ବ୍ୟବହାର ବରିଷ୍ଠ ନେତାଙ୍କୁ କ୍ଷୁବ୍ଧ କରିଛି । ଏପରିକି କେଉଁମାନେ ସେହି ସଭାରେ ଯୋଗ ଦେଇଥିଲେ, ସେମାନଙ୍କ ଲିଷ୍ଟ ମଧ୍ୟ ମଗାଯାଇଛି । କୌଣସି ପ୍ରକାର ଦଳ ବିରୋଧୀ କାମ ନଜରକୁ ଆସିଲେ, ତୁରନ୍ତ ସୁପ୍ରିମୋଙ୍କ ନଜରକୁ ନିଆଯିବ ବୋଲି ବିଜେଡିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

Share this story