ଅନ୍‌ଲକ୍-୪.୦ ପାଇଁ ଗାଇଡ୍‌ଲାଇନ୍ ଜାରି: ଏସବୁ ହେଲା ଅନ୍‌ଲକ୍

ଅନ୍‌ଲକ୍-୪.୦ ପାଇଁ ଗାଇଡ୍‌ଲାଇନ୍ ଜାରି: ଏସବୁ ହେଲା ଅନ୍‌ଲକ୍

ନୂଆଦିଲ୍ଲୀ: ଭାରତ ସରକାର ‘ଅନ୍‌ଲକ୍ ୪.୦’ ପାଇଁ ଶନିବାର ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏହା ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସ୍କୁଲ୍ କଲେଜ୍ ସେପ୍ଟେମ୍ବର ୩୦ଯାଏଁ ବନ୍ଦ ରହିଲେ ବି ଶିକ୍ଷକମାନଙ୍କଠାରୁ ଗାଇଡାନ୍ସ ପାଇବାକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଅଞ୍ଚଳ ବାହାରେ ଥିବା ସ୍କୁଲ୍‌ଗୁଡ଼ିକର ୯ମରୁ ୧୨ଶ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ୍‌କୁ ଯିବାକୁ ଅନୁମତି ପାଇବେ। କିନ୍ତୁ ଏହା ସେମାନଙ୍କର ଇଚ୍ଛାଧୀନ। ଏଥିପାଇଁ ସେମାନଙ୍କର ପିତାମାତା ବା ଅଭିଭାବକ ଲିଖିତ ସମ୍ମତି ପ୍ରଦାନ କରିବେ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ପରାମର୍ଶ କରି କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର, ରେଳ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍ ଅନୁସାରେ, ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ‌ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ସେପ୍ଟେମ୍ବର ୨୧ ତାରିଖ ପରଠାରୁ ୧୦୦ ଜଣଙ୍କୁ ନେଇ ସାମାଜିକ, ଶିକ୍ଷାଭିତ୍ତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାବେଶ ଏବଂ ଅନ୍ୟ ସମାବେଶ ପାଇଁ ଅନୁମତି ମିଳିବ। ବ୍ୟକ୍ତିବିଶେଷ ଓ ମାଲପତ୍ରର ରାଜ୍ୟ ଓ ଆନ୍ତଃରାଜ୍ୟ ପରିବହନ ଉପରେ କଟକଣା ରହିବ ନାହିଁ। ଏଥିପାଇଁ ପୃଥକ୍ ଅନୁମତି/ଅନୁମ‌ୋଦନ/ଇ-ପର୍‌ମିଟ୍‌ ଆବଶ୍ୟକ ହେବନାହିଁ।

Share this story