ସମ୍ ହସ୍ପିଟାଲରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକସିନ ଟୀକାର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର: ଭାରତର ନିଜସ୍ୱ କୋଭିଡ-୧୯ ଟୀକା କୋଭାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବଶୀଘ୍ର ସମ୍ ହସ୍ପିଟାଲରେ ଆରମ୍ଭ ହେବ। ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ୍ ହସ୍ପିଟାଲରେ ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଜାରି ରହିଛି ବୋଲି ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ତଥା ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡ. ଇ. ଭେଙ୍କଟ ରାଓ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସ୍ଵେଚ୍ଛାସେବୀଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନ ଥିବା ଡ. ରାଓ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟ ଟୀକା ନେଇଥିବା ସ୍ଵେଚ୍ଛାସେବୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ତଥା କେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି, ଏ ସମ୍ପର୍କରେ ଜାଣିବାକୁ ରକ୍ତ ନମୁନା ସଂଗ୍ରହ କରାଯାଇଛି।
ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚର ମିଳିତ ସହଯୋଗରେ ଏହି ଟୀକା କୋଭାକସିନର ପ୍ରସ୍ତୁତି ଚାଲିଥିବାବେଳେ ଟୀକା ପରୀକ୍ଷଣ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ମନୋନୀତ କରାଯାଇଛି। ରାଜ୍ୟର ଏକମାତ୍ର ଅନୁଷ୍ଠାନ ଭାବେ ସମ୍ ହସ୍ପିଟାଲକୁ ଏହି ଅନୁମତି ମିଳିଛି। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ କରୋନା ବିରୋଧୀ ଲଢେଇରେ ଏହା ପ୍ରମୁଖ ଅସ୍ତ୍ର ସାଜିବ ବୋଲି ଆଶା କରାଯାଉଛି।