ଅଭିଯୁକ୍ତଙ୍କ ଜୁଡିସିଆଲ ରିମାଣ୍ଡ ପୂର୍ବରୁ କରୋନା ପରୀକ୍ଷା ବାଧ୍ୟତାମୂଳକ

ଅଭିଯୁକ୍ତଙ୍କ ଜୁଡିସିଆଲ ରିମାଣ୍ଡ ପୂର୍ବରୁ କରୋନା ପରୀକ୍ଷା ବାଧ୍ୟତାମୂଳକ

ଭୁବନେଶ୍ୱର: ଜେଲରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜେଲ ମ୍ୟାନେଜମେଣ୍ଟ ପ୍ଲାନରେ ପରିବର୍ତ୍ତନ ଆଣିଛନ୍ତି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଯେଉଁ ପ୍ରୋସିଜିଓର ପାଳନ କରାଯାଏ, ସେଥିରେ ପରିବର୍ତ୍ତନ କରାଯିବା ସହ ନୂଆ ଆଡ଼ଭାଇଜରି ଜାରି କରାଯାଇଛି। ଏନେଇ ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୮ ପଏଣ୍ଟ ବିଶିଷ୍ଟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରାଯାଇଛି। ରାଜ୍ୟ ପୋଲିସ, ଭିଜିଲାନ୍ସ, ଏକ୍ସାଇଜ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ଏହି ଏସଓପିର ଅନୁପାଳନ କରିବେ।

ନୂଆ ଏସଓପି ଅନୁସାରେ ଗିରଫ କରିଥିବା ଅଧିକାରୀ ଅଭିଯୁକ୍ତଙ୍କ କରୋନା ପରୀକ୍ଷା କରାଇବା ବାଧ୍ୟତାମୂଳକ। କୋର୍ଟରେ ହଜାର କରାଯିବା ପୂର୍ବରୁ ଆରଟି-ପିସିଆର କିମ୍ବା ରାପିଡ ଆଣ୍ଟିଜେନ ଟେଷ୍ଟ ଦ୍ୱାରା ଅଭିଯୁକ୍ତଙ୍କ କରୋନା ପରୀକ୍ଷା କରାଯିବ।

ଏ ସମ୍ପର୍କରେ ଜେଲ ବିଭାଗ ଡିଜିପି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, “ସରକାରଙ୍କ ନୂଆ ଏସଓପି ବାବଦରେ ସମସ୍ତ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ଏବଂ ଜେଲରଙ୍କୁ ଅବଗତ କରାଯାଇଛି। ଜେଲରେ କରୋନା ସଂକ୍ରମଣ ରୋକିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ୧୬,୭୮୯ ଦୋଷୀଙ୍କୁ ବେଲରେ ଛଡାଯାଇଛି। ଜେଲ ଅନ୍ତେବାସୀଙ୍କ ସହ ସାକ୍ଷାତ କରିବା ପାଇଁ ଇ-ମୁଲାକାତ ବ୍ୟବସ୍ଥା କରାଯାଇଛି। ଏଥିରେ ଭିଡିଓ କନଫରେନସିଂ ଜରିଆରେ ସାକ୍ଷାତ କରାଯିବ। ଜଣେ ଅଭିଯୁକ୍ତ ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହଜାର କରାଯିବ। ରାପିଡ ଆଣ୍ଟିଜେନ ଟେଷ୍ଟର ରିପୋର୍ଟ କିଛି ଘଣ୍ଟା ମଧ୍ୟରେ ଆସୁଥିବାରୁ ଅଭିଯୁକ୍ତଙ୍କର ଏହି ପରୀକ୍ଷା କରାଯିବ।”

ଅଭିଯୁକ୍ତଙ୍କର କରୋନା ଲକ୍ଷଣ ଅଛି କି ନାହିଁ ସେନେଇ ମେଡିକାଲ ଅଫିସର ରିପୋର୍ଟରେ ଉଲ୍ଲେଖ କରିବା ନେଇ ଏସଓପିରେ କୁହାଯାଇଛି। କାହର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଲେ ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯିବ। ସେଠାରୁ ସୁସ୍ଥ ହୋଇ ଆସିଲେ ଜେଲ ପଠାଯିବ। ଅଭିଯୁକ୍ତଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ କୋର୍ଟରେ ହାଜର କରାଯିବ।

Share this story