କଟକ ଟ୍ରାଜେଡି : ଏବେବି ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ ଟ୍ରାଜେଡି : ଏବେବି ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଭୁବନେଶ୍ୱର (ବ୍ୟୁରୋ) : ଗତକାଲି କଟକ ମହାନଦୀ ବ୍ରିଜ ଉପରୁ ବସ ଖସିପଡ଼ିବା ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ଘଟଣାସ୍ଥଳରୁ ଚିକିତ୍ସା ଲାଗି ଗତକାଲି ରାତିରେ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ମେଡିକାଲ ସୂତ୍ର ଅନୁସାରେ ୨ ଜଣଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି।

ଅନ୍ୟ ପକ୍ଷରେ ଆଜି ସକାଳ ସଢ଼େ ଏଗାରଟା ସୁଦ୍ଧା ମୃତକମାନଙ୍କ ଶରୀର ବ୍ୟବଚ୍ଛେଦ କରି ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ରୋଗୀମାନଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରୋଗୀମାନେ କିପରି ସଂକ୍ରମଣର ଶିକାର ନହେବେ ସେ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।ମଙ୍ଗଳବାର ସଂଧ୍ୟାରେ ମହାନଦୀ ପୋଲ ଉପରୁ ‘ଜଗନ୍ନାଥ’ ନାମକ ଯାତ୍ରୀବାହୀ ବସ୍‌ଟି ତଳକୁ ଖସିପଡ଼ିବା ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇଛି। ମହାନଦୀ ପୋଲ ଉପରେ ବସ୍‌ ଯାଉଥିବା ବେଳେ ଏକ ମଇଁଷି ସାମ୍ନାକୁ ପଳାଇ ଆସିବାରୁ ବସ୍‌ଟି ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା।

Share this story