ଶଙ୍ଖ ଫୁଙ୍କିବେ ମୁକୁ ସହଯୋଗୀ ବିଶ୍ୱ

Biswa

ବିଜୁ ଜନତା ଦଳରେ ଯୋଗଦେବେ ବିଜେପି ନେତା ବିଶ୍ୱ ରଞ୍ଜନ ମଲ୍ଲିକ । ଆଗାମୀ ସପ୍ତାହରେ ସେ ବିଜୁ ଜନତା ଦଳରେ ଯୋଗ ଦେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଗତ କିଛି ଦିନ ଧରି ସେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ୟାମ୍ପ ସହିତ ଯୋଗାଯୋଗରେ ରହିଛନ୍ତି । ଆନୁଷ୍ଠାନିକ ଭାବେ ସେ ଆଗାମୀ ସପ୍ତାହରେ ବିଜୁ ଜନତା ଦଳରେ ଯୋଗଦେବେ ।

ଏକଦା ଜୟଦେବ ଜେନାଙ୍କ ଏକାନ୍ତ ଅନୁଗତ ଥିବା ବିଶ୍ୱ ପରବର୍ତ୍ତୀ ସମୟରେ ବିଜେପି ରେ ଯୋଗଦେଇ ଧର୍ମେନ୍ଦ୍ରଙ୍କ ଗୂଡ଼ ବୁକରେ ରହିପାରିଥିଲେ । ୨୦୧୯ ନିର୍ବାଚନ ପ୍ରାର୍ଥୀ ଘୋଷଣା ର ଢେର ପୂର୍ବରୁ ଯାଜପୁର ବରି ଠାରେ ଅନୁଷ୍ଠିତ ଏକ ସଭାରେ ବିଶ୍ୱ ଙ୍କ ନାଁ ଘୋଷଣା କରିଥିଲେ ଧର୍ମେନ୍ଦ୍ର । ଯାହାକୁ ନେଇ ଅନେକ ବାକବିତଣ୍ଡା ଦେଖିବାକୁ ମିଳିଥିଲା । ଏବେ କିନ୍ତୁ ସମୟରେ ପରିବର୍ତ୍ତନ ଆସିଛି । ଧର୍ମେନ୍ଦ୍ର ଙ୍କ ପାଖରେ ଆଉ ବିଶ୍ୱଙ୍କୁ ଦେଖିବାକୁ ମିଳୁନାହିଁ ।

ନିଜ ନିର୍ବାଚନମଣ୍ଡଳୀ ଯାଜପୁର ବରୀ ରେ ସଂଗଠନ କୁ ସୁଦୃଢ଼ କରି ରଖିପାରିଛନ୍ତି ବିଶ୍ୱ ମଲ୍ଲିକ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ସୁନନ୍ଦା ଦାସଙ୍କୁ କଡା ଟକ୍କର ଦେଇଥିଲେ ବିଶ୍ୱ । ସୁନନ୍ଦା ୭୨ ହଜାର ୫୫୯ ଟି ଭୋଟ୍ ପାଇଥିବା ବେଳେ ବିଶ୍ୱ ପାଇଥିଲେ ୬୮ ହଜାର ୪୯୭ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଉମେଶ ଜେନା ଅମାନତ ହରାଇବା ସହ ପାଇଥିଲେ ୭ ହଜାର ୮୨ ଭୋଟ୍ । ମାତ୍ର ୪ ହଜାର ଭୋଟ୍ ବ୍ୟବଧାନରେ ସୁନନ୍ଦା ବିଜୟ ଲାଭ କରିଥିବା ବେଳେ ବିଜେପି ସହ ପ୍ରବଳ ପ୍ରତିଦ୍ବନ୍ଦିତା ର ସମ୍ମୁଖୀନ ହେବାକୁ ପଡିଥିଲା ।

ଏଭଳି ସ୍ଥିତିରେ ବିଶ୍ୱ ଯଦି ବିଜେଡିରେ ଯୋଗ ଦିଅନ୍ତି ତେବେ ଦଳ ବରୀ ରେ ଆଗାମୀ ଦିନରେ କ୍ଲିନ ସ୍ୱିପ କରିବ । ଅନ୍ୟପକ୍ଷରେ ସୁନନ୍ଦା ଙ୍କ ସ୍ୱାମୀ ଙ୍କ ନାମରେ ଏକାଧିକ କେସ ବିଜେଡି ପାଇଁ ଦିନକୁ ଦିନକୁ ଅଡ଼ୁଆ ବଢ଼ାଇ ଚାଲିଛି । ଏଣୁ ବିଶ୍ୱଙ୍କୁ ଦଳରେ ମିଶାଇ ଉଭୟ ସୁନନ୍ଦା ଓ ପୂର୍ବତନ ବିଧାୟକ ଦେବାଶିଷ ଙ୍କୁ ଚେକ ଦେବା ଯୋଜନାରେ ରହିଛି ବିଜେଡି ।

Share this story