ମହତାବଙ୍କୁ ମାଡ଼ିଆସୁଛି ମହାବିପଦ : ବହିଲାଣି ଓଲଟା ବାଃ..

Mahatab

ବଡ ଘର ବଡ଼ ଗୁମର କଥା  । ବୋହୂ ସାକ୍ଷୀଙ୍କ ଏତଲାରେ ରହିଛି ବଡ଼ ସଂଗୀନ ଅଭିଯୋଗ  । ନିଜ ଏତଲାରେ ଅଭିଯୋଗ କରିଛନ୍ତି ଯେ, ବାହାଘରରେ ତାଙ୍କ ବାପା ଅଢ଼େଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ବାହାଘରର କିଛି ଦିନ ପରେ ସ୍ବାମୀ ଲୋକରଞ୍ଜନ ଓ ଶାଶୁ -ଶ୍ବଶୁର ତାଙ୍କୁ ଅଧିକ ଟଙ୍କା ଆଣିବା ପାଇଁ ଦାବି କରି ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଏହା ପରେ ସାକ୍ଷୀ ତାଙ୍କ ବାପଘର ଭୋପାଳକୁ ଚାଲି ଯାଇଥିଲେ । ମାମଲା କୋର୍ଟରେ ପହଞ୍ଚିଥିଲା । ପତ୍ନୀ ସାକ୍ଷୀଙ୍କୁ ପାଖରେ ରଖିବାକୁ ସେତେବେଳେ କୋର୍ଟ ଲୋକରଞ୍ଜନଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।

କିନ୍ତୁ ସ୍ବାମୀ ଓ ଶାଶୁଘର ଲୋକ ତାଙ୍କୁ ଘରେ ରଖିବାକୁ ରାଜି ହୋଇ ନଥିଲେ  । ୨୦୧୮ରେ ସାକ୍ଷୀ ଦିଲ୍ଲୀ ଚାଲି ଯାଇଥିଲେ  । କିନ୍ତୁ ଶାଶୂ ମହାଶ୍ବେତା ମହତାବ ଓ ଶ୍ବଶୁର ଭର୍ତ୍ତୃହରି ମହତାବ ତାଙ୍କୁ ଦିଲ୍ଲୀରେ ବି ରଖାଇ ଦେଇ ନଥିଲେ  । ତା'ପରେ ସାକ୍ଷୀ ପୁଣି ଭୋପାଳ ଚାଲି ଯାଇଥିଲେ  । ଶାଶୁଘର ଲୋକଙ୍କ ମନୋଭାବ ବଦଳି ଯିବ ବୋଲି ଭାବି ବେଶ୍ କିଛି ଦିନ ଅପେକ୍ଷା କରିବା ପରେ ଶେଷରେ ସାକ୍ଷୀ ଭୋପାଳ ମହିଳା ଥାନାର ଆଶ୍ରୟ ନେଇଛନ୍ତି  ।

ସେପଟେ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ଜନିତ ମାମଲା ରୁଜୁ ହେବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ । ଭର୍ତ୍ତୃହରିଙ୍କ ବିରୋଧରେ ଏଭଳି ସଙ୍ଗୀନ ଆଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ଆରମ୍ଭ ହୋଇଯାଇଛ ଅଙ୍କକଷା  । ବିଜେଡି ସୁପ୍ରିମୋ ମଧ୍ୟ ଜିରୋ ଟଲରାନ୍ସ ନୀତିକୁ ଆଦର୍ଶ କରିଛନ୍ତି  । ଏମିତିରେ ବିଜେଡି ସହିତ ଭର୍ତ୍ତୃହରିଙ୍କ ସମୀକରଣ ଠିକ ନାହିଁ । ଅନେକ ସମୟରେ ଦଳ ଓ ସରକାରୀ କାର୍ଯ୍ୟ ସମ୍ପର୍କରେ କହି ଆସୁଥିଲେ ଭର୍ତ୍ତୃହରି । ଏହାକୁ କିଛି ନେତା ପ୍ରତିକ୍ରିୟା ପ୍ରକାଶ କରିଥିଲେ ବି ସୁପ୍ରିମୋ ନିରବ ଅଛନ୍ତି  ।

ଏବେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଲାଗି ଦଳ ତରଫରୁ ଚାପ ପଡ଼ିଲାଣି । ବୋହୂଙ୍କୁ ନିର୍ଯାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଭର୍ତ୍ତୃହରିଙ୍କ ବିରୋଧରେ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏପରିକି ତାଙ୍କୁ ଦଳରୁ ବହିଷ୍କାର କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ସଂସଦୀୟ ଦଳ ନେତା ପଦରୁ ଭର୍ତ୍ତୃହରିଙ୍କୁ ବିଜେଡି କାଢ଼ି ଦେଇଥିଲା । ପୂର୍ବରୁ ୨୦୧୩ରେ ବୋହୂ ବର୍ଷାସୋନିଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ମଧ୍ୟ ବିଜେଡିରୁ ବିତାଡ଼ିତ ହେବାକୁ ପଡିଥିଲା  ।

Share this story