ସ୍ୱପ୍ନ ଦେଖାଇଲେ କିନ୍ତୁ ନବୀନଙ୍କ ବିରୋଧରେ ଚୁପ ରହିଲେ

ଭୁବନେଶ୍ବର : ମୋଦୀ ସରକାରରେ ଦୁଇ ହେଭିୱେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ। କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ନବକଳେବର ପରେ ପ୍ରଥମଥର ପାଇଁ ଦୁଇ ଜଣ ଓଡ଼ିଶା ଗସ୍ତରେ ଆସିଥିଲେ। ଶ୍ରୀ ପ୍ରଧାନ ଆଜି ନୂଆଦିଲ୍ଲୀ ଫେରିଯାଇଥିଲା ବେଳେ ଶ୍ରୀ ବୈଷ୍ଣବ ଆସନ୍ତାକାଲି ସକାଳେ ଫେରିବେ। ଉଭୟଙ୍କ ଏହି ଗସ୍ତ ବେଶ୍ ଘଟଣାବହୁଳ ଥିଲା। ସେମାନଙ୍କ ମାରାଥନ୍ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଉତ୍ସୁକତା ପ୍ରକାଶ ପାଇଥିଲା। ଉଭୟ ଓଡ଼ିଶା ପାଇଁ ଅନେକ ସ୍ବପ୍ନ ଓ ସମ୍ଭାବନା ଦେଖାଇଛନ୍ତି। ତେବେ ସେମାନଙ୍କର କାର୍ଯ୍ୟକ୍ରମ ରାଜନୈତିକ ଥିଲେ ମଧ୍ୟ କୌଣସି ପ୍ରସଙ୍ଗରେ ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପାଟି ଫିଟାଇ ନାହାନ୍ତି।
ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ୧୯ ତାରିଖରେ ଓଡ଼ିଶାରେ ପହଞ୍ଚିବା ପରଠାରୁ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଗସ୍ତର ପ୍ରଥମ ଦିନରେ ଓଡ଼ିଆଙ୍କ ଭାବାବେଗ ସହ ନିଜକୁ ଯୋଡ଼ିବାକୁ ଉଭୟ ଉଦ୍ୟମ କରିଥିଲେ। ଓଡ଼ିଆ ଅସ୍ମିତା ସହ ଜଡ଼ିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ପରିଦର୍ଶନ କରିଥିଲେ। ସତ୍ୟବାଦୀ ହାଇସ୍କୁଲ୍ର ବିକାଶ କଥା କହିଥିଲେ। ବଡ଼ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଣ୍ଡିଆ ମାରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଦୁଇ କେନ୍ଦ୍ର ମନ୍ତ୍ରୀ। ଗସ୍ତ ସମୟରେ ବହୁ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ସେମାନେ ସାମିଲ ହୋଇଥିଲେ। ସେମାନଙ୍କ ଗସ୍ତକୁ ବେଶ୍ ପ୍ରଭାବୀ କରିବାକୁ ବିଜେପି ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ହୋଇଥିଲା। ଦକ୍ଷିଣ, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଭାଗ ନେଇଥିଲେ।
ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପର ବିକାଶ ନେଇ ଶ୍ରୀ ବୈଷ୍ଣବଙ୍କ ଉପରେ ଅନେକ ଭରସା ରହିଛି। ଗସ୍ତ ସମୟରେ ରେଳ ଭିତ୍ତିଭୂମି ବଢ଼ାଇବାକୁ ତାଙ୍କୁ ବହୁ ସ୍ମାରକପତ୍ର ଦିଆଯାଇଥିଲା। ଏହି ସମୟରେ ପଥପ୍ରାନ୍ତରେ ତାଙ୍କର କାର୍ଯ୍ୟଶୈଳୀ ଚର୍ଚ୍ଚାରେ ରହିଥିଲା। ତେବେ ରେଳର ବିକାଶ କିମ୍ବା ଅଧପନ୍ତରିଆ ଥିବା ପ୍ରକଳ୍ପକୁ ନେଇ ଶ୍ରୀ ବୈଷ୍ଣବ କୌଣସି ବଡ଼ ଧରଣର ଘୋଷଣା କରି ନାହାନ୍ତି। କିନ୍ତୁ କିଛି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ସମ୍ପର୍କରେ ସବୁଜ ସଙ୍କେତ ଦେଇଛନ୍ତି। ପୁରୀ-କୋଣାର୍କ ନୂଆ ରେଳଲାଇନ୍, ପୁରୀକୁ ବନ୍ଦେ ଭାରତ ଏକ୍ସପ୍ରେସ୍, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ, ଜୁନାଗଡ଼-ନବରଙ୍ଗପୁର ରେଳ ପ୍ରକଳ୍ପ, ଗୁଣୁପୁର-ଥେରୁବାଲି ଆଦି ପ୍ରକଳ୍ପ ଆଗକୁ ଯିବା ନେଇ ମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ଫେରିଲା ପରେ କିଛି ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ ଠୋସ୍ ପଦକ୍ଷେପ ନେବେ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି।
ସେହିପରି ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଅନେକ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟରେ ସାମିଲ ହୋଇଥିଲେ। ଜଟଣୀରେ ଦକ୍ଷତା ବିକାଶ ପ୍ରତିଷ୍ଠାନର ନୂଆ କ୍ୟାମ୍ପସ୍ର ଉଦ୍ଘାଟନୀ ଉତ୍ସବ ଓ ଆଇଆଇଟିର କାର୍ଯ୍ୟକ୍ରମରେ ମନ୍ତ୍ରୀ ସାମିଲ ହୋଇଥିଲେ। ଉଭୟ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି ଆଭାସ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ବସାଇ ରାଜ୍ୟରେ ଶିକ୍ଷାର ବିକାଶର ନକ୍ସା ଆଙ୍କିଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟର ଦୁଇ ମନ୍ତ୍ରୀ ଅନୁପସ୍ଥିତ ଥିଲେ ମଧ୍ୟ ଶିକ୍ଷାର ବିକାଶ କ୍ଷେତ୍ରରେ ଏହି ସମୀକ୍ଷା ବୈଠକ ବହୁମାତ୍ରାରେ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ସେହିପରି ରାଜ୍ୟରେ ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କରି ବିକାଶକୁ ତ୍ବରାନ୍ବିତ କରାଯିବ ବୋଲି ମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି। ପୁଣି ଗସ୍ତର ଶେଷ ଦିନରେ ଶ୍ରୀ ପ୍ରଧାନ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରତିଷ୍ଠିତ ସାହିତ୍ୟିକଙ୍କ ସହ ଆଲୋଚନା କରି ଶିକ୍ଷା ଓ ବୌଦ୍ଧିକ ଜଗତ ପ୍ରତି ତାଙ୍କର ସଂପୃକ୍ତିକୁ ଦେଖାଇଥିଲେ। ଏହା ମଧ୍ୟ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।