ବିଜେପିର ନିର୍ଦ୍ଦେଶ : ଅପରାଜିତାଙ୍କ ସଭାରେ ଯୋଗ ଦେଲେ ହେବ କାର୍ଯ୍ୟାନୁଷ୍ଠାନ !

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସଭାକୁ ଯାଇଥିବା ବିଜେପି ନେତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ! ଏମିତି ଏକ ନିର୍ଦ୍ଦେଶ ଦେଇଛି ଜିଲ୍ଲା ବିଜେପି। ଏହି ନିର୍ଦ୍ଦେଶ ଏବେ ବିଜେପି ଶିବିରରେ ଚର୍ଚ୍ଚା ସୃଷ୍ଟି କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ହେଉଛନ୍ତି ରାଜ୍ୟ ବିଜେପି ଉପସଭାପତି । ସେ ମଧ୍ୟ ରାଷ୍ଟ୍ରୀୟ ମୁଖପାତ୍ର ଅଛନ୍ତି । ସମ୍ପ୍ରତି ଅପରାଜିତା ସାରା ରାଜ୍ୟରେ ସାଂଗଠନିକ ବିସ୍ତାରରେ ଲାଗି ପଡିଛନ୍ତି । ଅବଶ୍ୟ ଏଥିପାଇଁ ସେ ରାଜ୍ୟସ୍ତରୀୟ ନେତାମାନଙ୍କର ସହଯୋଗ ଲୋଡୁନାହାନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ କଥା ଛାଡନ୍ତୁ, କୌଣସି ପଦାଧିକାରୀଙ୍କ ସହ ବି ଆଲୋଚନା କରୁନାହାନ୍ତି । ଯାହାକୁ ନେଇ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଅପରାଜିତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ସଭାପତିଙ୍କ ଏକ ନିର୍ଦ୍ଦେଶ ଏବେ ଚର୍ଚ୍ଚା ସୃଷ୍ଟିକରିଛି ।
ଅପରାଜିତାଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଜେପି ନେତାମାନଙ୍କ ପାଖକୁ ଏକ ହ୍ୱାଟସଆପ ମେସେଜ ଯାଇଥିଲା । ଯେଉଁଥିରେ ଉଲ୍ଳେଖ କରାଯାଇଥିଲାଯେ, କୋରାପୁଟ ଜିଲ୍ଲା ବିଜେପିର ସମସ୍ତ କାର୍ଯ୍ୟକର୍ତା (ବୁଥରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ)ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛିଯେ, ଆସନ୍ତା ଅକ୍ଟୋବର ୩ ତାରିଖ ଦିନ ମାନନୀୟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କର କୋରାପୁଟ ଠାରେ କାର୍ଯ୍ୟକ୍ରମ ରହିଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାର୍ଯ୍ୟକ୍ରମ ।
ଏହା ଦଳ ଦ୍ୱାରା ନିର୍ଦ୍ଦେଶିତ, ସ୍ୱୀକୃତି ପ୍ରାପ୍ତ ବା ଅନୁମୋଦିତ ନୁହେଁ । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଂଗଠନର ନିର୍ଦ୍ଦେଶକ୍ରମେ ଜିଲ୍ଲା ବିଜେପି ପକ୍ଷରୁ ଦଳର ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଅବଗତ ଏବଂ ସୂଚିତ କରାଯାଉଛିଯେ, କେହି ମଧ୍ୟ ତାଙ୍କର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ । ଏହି ନିର୍ଦ୍ଦେଶରେ ଯେକୌଣସି ବ୍ୟକ୍ତିଙ୍କ ପକ୍ଷରୁ ବ୍ୟତିକ୍ରମ ଦେଖାଗଲେ ତାହା ଦଳଗତ ଶୃଙ୍ଖଳା ଭଙ୍ଗ ଭାବେ ବିବେଚିତ ହେବ । ଶେଷ ଧାଡ଼ିରେ ଜିଲ୍ଳା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।