କଳାହାଣ୍ଡିରେ ୩ ଶକ୍ତି ପ୍ରକଳ୍ପ ଲୋକାର୍ପିତ: ଉପକୃତ ହେବେ ୩୦ ହଜାର ଲୋକ

ଭୁବନେଶ୍ୱର: ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଜୟପାଟଣାର ବାନେରଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ୍ ସବ୍ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। ଏଥିସହ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ ମଧ୍ୟ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତ ମାନର ବିଶ୍ବସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ। ପାୱାର କଟ୍ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବା ସଂପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଏହି ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ଗ୍ରୀଡ ଦ୍ବାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ସିଧାସଳଖ ବିଜୁଳି ଶକ୍ତି ପାଇପାରିବେ। ଆଗାମୀ ଦିନରେ ୪୭ କିଲୋମିଟର ଦୀର୍ଘ ଆଉ ଏକ ୧୩୨ କେଭି ଡବଲ ସର୍କିଟ ଲାଇନ ଜୁନାଗଡକୁ ସଂଯୁକ୍ତ କରାଯିବ। ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ ବୋଲି ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ବାନେର୍ଠାରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡ଼କ ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି। ବିଜୁ ଏକ୍ସପ୍ରେସ ୱେ ଦ୍ବାରା କଳାହାଣ୍ଡିରେ ଶିଳ୍ପ ବିକାଶ ହେବ ବୋଲି ସେ କହିଥିଲେ। ଏହି ବିଦ୍ୟୁତ ପ୍ରକଳ୍ପ ପାଇଁ ସେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।
କାର୍ଯ୍ୟକ୍ରମରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି ବୋଲି କହିଥିଲେ। ଏଥିସହ ଦକ୍ଷିଣ କେନାଲର ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ବିଦ୍ୟୁତ ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଓପିଟିସିଏଲର ଅଧ୍ୟକ୍ଷ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନରଲା ବିଧାୟକ ଭୂପିନ୍ଦିର ସିଂ, ଉନ୍ନୟନ କମିଶନର ଯୋଗ ଦେଇଥିଲେ। ଶକ୍ତି ସଚିବ ସ୍ବାଗତ ଭାଷଣ ଦେଇଥିଲାବେଳେ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।