ସିଏ ମୋ ଭାଇ ନୁହେଁ, ଆପଣଙ୍କ ପୁଅ…

ସିଏ ମୋ ଭାଇ ନୁହେଁ, ଆପଣଙ୍କ ପୁଅ…

ମାଉସୀ, ଚିହ୍ନି ପାରୁଛ ! ମଉସା ଜାଣିପାରୁଛ !… ମୁଁ ପଲ୍ଲବୀ, ମହାରଥୀଙ୍କ ଝିଅ । ପୂର୍ବରୁ ବାପାଙ୍କ ସହ ଆସୁଥିଲି । ବାପାଙ୍କ ପ୍ରଚାରରେ ବୁଲୁଥିଲି । ତମ ଘର ବାଟେ କେତେ ଥର ଯାଇଛି । ଆମ ପ୍ରଚାର ଗାଡି ଗଲା ବେଳେ ବାପାଙ୍କୁ ପରା ତମେ ଫୁଲ ଚନ୍ଦନ ଦେଇ ଗତ ଥର ବନ୍ଦେଇ ଦେଇଥିଲ ବିଜୟ ପାଇଁ । ଏଥର ବି ସେମିତି ଫୁଲ, ଚନ୍ଦନ ଦେଇ ବନ୍ଦାଣ କରିଦିଅ । ବାପାଙ୍କୁ ନୁହେଁ ଭାଇକୁ । କାରଣ ବାପା ଗଲାପରେ ଭାଇ ଛିଡା ହୋଇଛି । ତେଣୁ ଭାଇ ପାଇଁ ମୁଁ ଏଥର ପ୍ରଚାରରେ ଆସିଛି । ମାଉସୀ ଭାଇ ମୋର ତମ ପୁଅ ଭଳି । ତାକୁ ଆଶିର୍ବାଦ କର ସେ ଜିତିଯାଉ । ବାପା ଯେମିତି ତମମାନଙ୍କ ସବୁ କାମ କରୁଥିଲେ, ଭଲରେ ମନ୍ଦରେ ଛିଡା ହେଉଥିଲେ । ଭାଇ ବି ଠିକ୍ ସେମିତି ତମ ସହ ରହିଛି, ରହିଥିବ । ମଉସା ବାପା ଏବେ ବି ବଞ୍ଚିଛନ୍ତି, ଆମ ଗହଣରେ ଅଛନ୍ତି । ଭାଇ ଭିତରେ ତମେ ବାପାଙ୍କୁ ଦେଖିପାରୁଛ କି ନାହିଁ । ବାପାଙ୍କ ଅଧୁରା ସ୍ୱପ୍ନ ପୂରା କରିବାକୁ ସେ ସଙ୍କଳ୍ପ ନେଇଛି, ଦିନ ରାତି ଏକ କରି ସେ କାମ କରୁଛି । ସେ ଜିତିଲେ ବାପା ଉପରେ ଥାଇ ଖୁସି ହେବେ…କହିବେ ଯାହା ହେଉ ପିପିଲି ଡେଲାଙ୍ଗ ଲୋକଙ୍କ ସେବା ପାଇଁ ଏବେ ମୋ ପୁଅ ଜନତାଙ୍କ ସେବକ ସାଜିଛି । ଆସୁଛି ମାଉସୀ, ମଉସା ମନେଅଛି ତ, ମୋ ଭାଇର ଚିହ୍ନ… ଶଙ୍ଖ ଚିହ୍ନ…

ସିଏ ମୋ ଭାଇ ନୁହେଁ, ଆପଣଙ୍କ ପୁଅ…

କିଛି ଏମିତି ଢଙ୍ଗରେ ପିପିଲିରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଦୀପ ମହାରଥୀଙ୍କ ଝିଅ ତଥା ପିପିଲି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଭଉଣୀ ପଲ୍ଲବୀ । ନିର୍ବାଚକୁ ଆଉ ମାତ୍ର ସପ୍ତାହେ ଥିବା ହାଇଭୋଲଟେଜ ପ୍ରଚାରରେ ଲାଗିପଡିଛନ୍ତି ଟିମ୍ ବିଜେଡି ସହ ଜୁନିୟମ ମହାରଥୀଙ୍କ ଜମ୍ବୋ ଟିମ୍ । ସ୍ତ୍ରୀ, ଭଉଣୀ, ଭିଣୋଇ ଏବେ କର୍ମୀଙ୍କୁ ନେଇ ଗାଁ ଗାଁ, ୱାର୍ଡ ୱାର୍ଡ ଖେଦିଯାଉଛନ୍ତି । ଭାଇ ପାଇଁ ଭଉଣୀ ଭୋଟ ଭିକ୍ଷା କରୁଥିବା ବେଳେ ସକାଳରୁ ସଞ୍ଜ ଯାଏଁ କ୍ୟାମ୍ପେନକୁ ଜୋରଦାର କରୁଛନ୍ତି । ଡୋରଟୁ ଡୋର ବୁଲି ବାପାଙ୍କ ଅଧୁରା ସ୍ୱପ୍ନ, ଭାଇର ମିଶନ କଥା କହି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ମନାଉଛନ୍ତି ପଲ୍ଲବୀ ।

ସିଏ ମୋ ଭାଇ ନୁହେଁ, ଆପଣଙ୍କ ପୁଅ…

କେବେ ଖୋଲା ଜିପରେ ବସି ଭାଇ ପାଇଁ ପ୍ରଚାର କରିଛନ୍ତି ତ କେବେ ଗାଁର କୁନି ପିଲାକୁ ଧରି ତା ସହ ଖେଳି ଲୋକଙ୍କ ସିମ୍ପାଥି ଗୋଟାଇଛନ୍ତି । ସ୍ୱାମୀ ଅର୍ଦ୍ଧେନ୍ଦୁ ସେଲିବ୍ରିଟି ଥିବାବେଳେ ପଲ୍ଲବୀ ବି ଭାଇ ପାଇଁ କେଉଁ ସେଲିବ୍ରିଟି ଠାରୁ କମ ନୁହେଁ । ବାପା ଯେମିତି ପିପିଲିର ସୁନାପୁଅ ସାଜିଥିଲେ ଭାଇ ବି ପିପିଲି ଗେହ୍ଲା ପୁଅ ହେବ ସେ ନେଇ ମାରାଥନ ପ୍ରଚାର ଚଳାଇଛନ୍ତି ପଲ୍ଲବୀ । ଯାହା ଏ ଦୃଶ୍ୟ ବୟାନ କରୁଛି ।

ଅନ୍ୟପଟେ ସ୍ୱାମୀର ବିଜୟ ପାଇଁ ସ୍ତ୍ରୀ ବି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ପ୍ରଦୀପ ମହାରଥୀ ଅମର ରହେ, ରୁଦ୍ର ମହାରଥୀଙ୍କ ବିଜୟ କାମନା କରି ଛାମୁଆ ନେତାଙ୍କ ସମେତ ନିଜ ସ୍ୱାମୀଙ୍କ ଅନେକ ରାଲିରେ ବୁଲୁଛନ୍ତି ଜାଗୃତି । ୭ ଦିନ ପରେ ପିପିଲି ପାଇଁ ପଡିବ ଭୋଟ । ହାତରେ ଆଉ ମାତ୍ର କମ୍ ସମୟ ଥିବାରୁ ବିଶ୍ରାମ ଟିକେ ନେବାକୁ ବେଳ ନାହିଁ । ସ୍ୱାମୀ ଜିତିଗଲେ ଶାନ୍ତିରେ ନିଶ୍ୱାସ ମାରିବେ ଜାଗୃତି । ଅନ୍ୟ ଦଳ ସହ ଟକ୍କର ଦେବାକୁ ସମସ୍ତେ ପ୍ରଚାରରେ ଲାଗିପଡିଥିବା ବେଳେ ମହାରଥୀଙ୍କ ଏକ ଫଟୋ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି ରୁଦ୍ରଙ୍କ ପତ୍ନୀ । ଯେଉଁଥିରେ କାନ୍ଥରେ ଝୁଲିଥିବା ଏକ ବ୍ୟାନରରେ ମହାରଥୀଙ୍କ ଫଟୋ ଲାଗିଛି ଆଉ ରୁଦ୍ର ବାପାଙ୍କ ହାତ ସହ ମିଶାଇଥିବା ଦେଖିବାକୁ ମିଳିଛି, ଏମିତି ଲାଗୁଛି ସତେ ଯେମିତି ବାପାଙ୍କ ହାତ ଧରି ଜୁନିୟର ମହାରଥୀ କହୁଛନ୍ତି । ବାପା ! ତମେ ବ୍ୟସ୍ତ ହୁଅନି ମୁଁ ଅଛି ପରା, ତମ ପୁଅ ରୁଦ୍ର ଅଛି ପରା । ମୁଁ ଥାଉ ଥାଉ ଲୋକଙ୍କ ସେବାରେ କେବେ ବି ହେଳା କରିବିନି । ତମକୁ କଥା ଦେଉଛି ବାପା କଥା ଦେଉଛି…

ସିଏ ମୋ ଭାଇ ନୁହେଁ, ଆପଣଙ୍କ ପୁଅ…

ପିପିଲିବାସୀ କାହାକୁ କରିବେ ନିଜର, କାହାକୁ କରିବେ ପର । ଏପ୍ରିଲ ୧୭ରେ ଜନତା ରାୟ ଦେବାକୁଥିବା ବେଳେ ମେ ୨ରେ ଜଣାପଡିବ ପିପିଲି ପାଇଁ କିଏ ସବୁଠୁ ପରିଶ୍ରମ କରିଛି । ଯିଏ ଅଧିକ ପାଠ ପଢିଥିବ ସେ ହିଁ ପିପିଲି ପରୀକ୍ଷା ଜିତିବ ।

Share this story